(୦୮/୮) ବଲାଙ୍ଗୀରର ସୁପୁତ୍ର ଓ୍ବିଙ୍ଗ କମାଣ୍ଡର ନିଖିଳ ରଥ ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ମିଶନ୍ ‘ଗଗନଯାନ’ ପାଇଁ ମନୋନୀତ ହୋଇଥିବା ଜଣାପଡ଼ିଛି। ଏହି ମିଶନ୍ ପାଇଁ ତାଙ୍କ ନାମ ସର୍ଟଲିଷ୍ଟ ହୋଇଥିବା ଜାଣିବା ପରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଟୁଇଟ୍ କରି ନିଖିଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ବହୁ ପ୍ରତୀକ୍ଷିତ ମିଶନ୍ ପାଇଁ ମନୋନୀତ ୪ ଜଣ ପାଇଲଟ୍ଙ୍କ ମଧ୍ୟରେ ନିଖିଳ ରହିଛନ୍ତି। ଓ୍ବିଙ୍ଗସ୍ କମାଣ୍ଡର ନିଖିଳ ଆଗକୁ ଗୋଟିଏ ବର୍ଷ ପାଇଁ ଋଷିଆରେ ତାଲିମ ଗ୍ରହଣ କରିବେ ବୋଲି ରାଜ୍ୟପାଳ ଟୁଇଟ୍ କରି ଜଣାଇଛନ୍ତି। ଏହା ସହିତ ଓଡ଼ିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମଧ୍ୟ ଟୁଇଟ୍ କରି ନିଖିଳ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ସାରା ଓଡ଼ିଶାରେ ଖୁସିର ଲହରି ଖେଳିଯାଇଛି। ଭାରତୀୟ ବାୟୁସେନାରେ ଓ୍ବିଙ୍ଗସ୍ କମାଣ୍ଡର ଭାବେ କାର୍ଯ୍ୟରତ ନିଖିଳ ରଥ ବଲାଙ୍ଗୀର ସହରର ଆଡଭୋକେଟ୍ ତଥା ରାଜନେତା ଅଶୋକ ରଥ ଏବଂ ମହିଳା କମିଶନ୍ ସଦସ୍ୟା କୁସୁମ ରଥଙ୍କ ସୁପୁତ୍ର ଅଟନ୍ତି। ସୂଚନାଯୋଗ୍ୟ ଯେ, ୨୦୨୨ ମସିହାରେ ଭାରତବର୍ଷ ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ମିଶନ୍ ‘ଗଗନଯାନ’ରେ ଅନ୍ତରୀକ୍ଷକୁ ମାନବ ପଠାଇବ।
ଓଡ଼ିଶାରେ ଖୁସିର ଲହରି : ଓ୍ବିଙ୍ଗ କମାଣ୍ଡର ନିଖିଳ ରଥ ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା ପାଇଁ ମନୋନୀତ
