କେବଳ ୩ ଘଣ୍ଟାରେ ଜାତି ପ୍ରମାଣପତ୍ର ଦେଇ ଗଞ୍ଜାମ ଜିଲ୍ଲାର ତହସିଲଦାର ମେଡମ୍ ସୃଷ୍ଟି କଲେ ଉଦାହରଣ !


(୦୨/୧୨) ସମସ୍ତେ ଜାଣନ୍ତି ଯେ ରାଜସ୍ୱ ବିଭାଗଦ୍ୱାରା ପ୍ରଦାନ କରାଯାଉଥିବା କୌଣସି ବି ପ୍ରମାଣପତ୍ର ପାଇବାକୁ ହେଲେ ଅନ୍ତତଃପକ୍ଷେ ସାତ ଦିନ ଅପେକ୍ଷା କରିବାକୁ ପଡ଼ିଥାଏ । ଆଉ ସରକାରଙ୍କ ନିୟମ ଅନୁସାରେ ବେଳେବେଳେ ଏହା ଗୋଟିଏ ମାସ ବି ଲାଗି ଯାଇଥାଏ । ତେବେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିର ତହସିଲଦାର ଡକ୍ଟର ଇପସିତା ପ୍ରିୟଦର୍ଶିନୀ ମିଶ୍ର ଜଣେ ପ୍ରତିଭାବାନ୍ ଛାତ୍ରଙ୍କ ଭବିଷ୍ୟତ ପ୍ରତି ଚିନ୍ତିତ ହୋଇ ଛୁଟି ଦିନରେ ମାତ୍ର ୩ ଘଣ୍ଟା ଭିତରେ ଅନ୍ୟ ପଛୁଆ ବର୍ଗ ପ୍ରମାଣପତ୍ର ପ୍ରଦାନ କରି ଲୋକଙ୍କଠୁ ଏଥିପାଇଁ ଖୁବ୍ ପ୍ରଶଂସା ପାଇଛନ୍ତି । ଜଣେ ଆଲୁମିନିୟମ ବାସନକୁସନ ବେପାରୀଙ୍କ ପୁଅ ବିଧୁ ଭୂଷଣ ନାୟକ ଜାତୀୟ ପ୍ରବେଶ(ନେଷ୍ଟ) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଏହା ପରେ ସେ ଭୁବନେଶ୍ୱରସ୍ଥିତ ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ଏନଆଇଏସଇଆର) ରୁ ନଭେମ୍ବର ୨୯ ତାରିଖ ରବିବାର ଦିନ ୨ ଟା ସୁଦ୍ଧା ସଦ୍ୟ ଜାରି କରାଯାଇଥିବା ନିଜ ଓବିସି ପ୍ରମାଣପତ୍ର ଦାଖଲ କରି ନାମ ଲେଖାଇବାକୁ ତହିଁ ପୂର୍ବ ଦିନ ଅର୍ଥାତ ୨୮ ତାରିଖ ଦିନ ସେଆମନ୍ତ୍ରଣପତ୍ର ପାଇଥିଲେ ଓ ଯଦି ସେ ଏହା ନ କରନ୍ତି ତେବେ ତାଙ୍କର ନାମ ଲେଖା ବାତିଲ ହୋଇଯିବ ବୋଲି ପତ୍ରରେ ଲେଖାଥିଲା । ତେବେ ସେ ଆଶା ନ ହରାଇ ସ୍ଥାନୀୟ ତହସିଲଦାର ଡକ୍ଟର ଇପସିତା ମିଶ୍ରଙ୍କୁ ରବିବାର ଦିନ ସକାଳ ୯ ଟାରେ ଦେଖା କରିଥିଲେ । ତହସିଲଦାର ଜଣକ ଏହି ଛାତ୍ରଙ୍କ ଗୁହାରି କେବଳ ଶୁଣିଲେ ତାହା ନୁହେଁ, ବରଂ ରବିବାର ଛୁଟି ଦିନ ଥିଲେ ବି ସେ ଦିନ ୧୨ ଟାରେ ଉକ୍ତ ଛାତ୍ରଙ୍କୁ ଓବିସି ପ୍ରମାଣପତ୍ର ପ୍ରଦାନ କରିଥିଲେ, ଯାହାକି ଅନ୍ୟ ତହସିଲଦାରଙ୍କ ନିମନ୍ତେ ଏକ ଉଦାହରଣ ହୋଇଗଲା । ତେବେ ଛାତ୍ରଙ୍କ କହିବାନୁଯାୟୀ ଜନସେବା କେନ୍ଦ୍ରରେ ସେ ବୁଝାବୁଝି କରିବାରୁ ଜାଣିବାକୁ ପାଇଲେ ଯେ, ଏହି ପ୍ରମାଣପତ୍ର ପାଇବାକୁ ଅନ୍ତତଃପକ୍ଷେ ୧୪ ଦିନ ଅପେକ୍ଷା କରିବାକୁ ପଡ଼ିବ, କିନ୍ତୁ ମାତ୍ର ୩ ଘଣ୍ଟା ଭିତରେ ସେ ପାଇଥିବାରୁ ସେ ଓ ତାଙ୍କ ପରିବାର ତହସିଲଦାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ତେବେ ତହସିଲଦାରଙ୍କ କହିବାନୁଯାୟୀ, ଜଣେ ଛାତ୍ରର ଭବିଷ୍ୟତ ପାଇଁ ପ୍ରମାଣପତ୍ରଟିଏ ବହୁ ଗୁରୁତ୍ୱପୂ୍‌ର୍ଣ୍ଣ ଓ ସରକାରୀ ଚାକିରୀରେ ଛୁଟିଦିନ ବୋଲି କିଛି ନାହିଁ । ତେବେ ସେ ଏହା ପୂର୍ବରୁ ମଧ୍ୟ ଅନେକ ଛାତ୍ରଙ୍କୁ ଅତି କମ ସମୟ ମଧ୍ୟରେ ଏସବୁ ପ୍ରମାଣପତ୍ର ଦେଇଥିବା ସେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ତେବେ ରାଜ୍ୟରେ ଥିବା ଅନ୍ୟ ତହସିଲଦାରମାନେ ବି ତହସିଲଦାର ଇପସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ପରି ହେଲେ, ଅଯଥାରେ ବିଭିନ୍ନ କାର୍ଯ୍ୟ ପାଇଁ ହଇରାଣ ହେଉଥିବା ଛାତ୍ରଛାତ୍ରୀଙ୍କୁ ଟିକିଏ ତ୍ରାହି ମିଳି ଯାଆନ୍ତା ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କେବଳ ୩ ଘଣ୍ଟାରେ ଜାତି ପ୍ରମାଣପତ୍ର ଦେଇ ଗଞ୍ଜାମ ଜିଲ୍ଲାର ତହସିଲଦାର ମେଡମ୍ ସୃଷ୍ଟି କଲେ ଉଦାହରଣ !