ଅସ୍ଥାୟୀ ଡାକ୍ତରଖାନା ଅଂଚଳକୁ ମେ ୩୦ ତାରିଖ ମଧ୍ୟରାତ୍ରିଯାଏଁ କଣ୍ଟେନମେଣ୍ଟ ଜୋନ ଘୋଷଣା। 
ଆଜି ନବରଙ୍ଗପୁରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି । ଆକ୍ରାନ୍ତ ଜଣକ ଡାବୁଗାଁ ବ୍ଲକ ମେଦନା ଅଂଚଳର ଜଣେ ୨୦ ବର୍ଷ ବୟସ୍କ ଯୁବକ ବୋଲି ସୂଚନା ମିଳିଛି । ସେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରୁ ଫେରିଥିବାବେଳେ ୧୪ ତାରିଖରୁ ଚନ୍ଦାହାଣ୍ଡି ବ୍ଲକ ବନ୍ଧକଣା କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ସୂଚନା ମିଳିଛି । ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ‘ସୋମ୍’ ହସପିଟାଲକୁ ସ୍ଥାନାନ୍ତରୀତ କରାଯାଇଛି । ବନ୍ଧକଣା ସେଣ୍ଟରରେ ରହୁଥିବା ସମସ୍ତଙ୍କ ସ୍ୱାଗ ପରୀକ୍ଷା ପୂର୍ବରୁ ନେଗେଟିଭ ଥିଲେ ବି ପୁଣି ଥରେ ସ୍ୱାବ୍ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି । ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବି ଲୋକେ ଆତଙ୍କିତ ନ ହେବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୨୩୧୬ ଜଣଙ୍କ ନମୁନା ପରୀକ୍ଷାରୁ ୨୧୨୪ ଜଣଙ୍କ ନେଗେଟିଭ ଥିବା ଜଣା ପଡ଼ିଛି । ଜିଲ୍ଲାକୁ ଏଯାଏଁ ୪୭୯୪ ଜଣ ବାହାର ରାଜ୍ୟରୁ ଫେରିଥିବା ସୂଚନା ମିଳିଛି । ଜିଲ୍ଲାରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତ ରହୁଥିବା ଚନ୍ଦାହାଣ୍ଡି ବ୍ଲକ ବନ୍ଧକଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅସ୍ଥାୟୀ ହସପିଟାଲ ସମେତ ୧୦୦ ମିଟର ଦୂରତାଯାଏଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହା ଆଜିଠାରୁ ମେ ୩୦ ତାରିଖ ମଧ୍ୟରାତ୍ରିଯାଏଁ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି ।