ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିରଙ୍କୁଶ ବହୁମତ ପାଇ ୨୦୧୬ ମସିହାରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଭାର ସମ୍ଭାଳିବା ପରେ ବିଜେପି ଓ ଆରଏସ୍ଏସ୍ ସମର୍ଥକଙ୍କ ମନରେ ଅନେକ ଆଶା ଉଦଜୀବିତ ହେଲା । ସେମାନେ ଭାବିଲେ ଏଥର ଉତ୍ତରପ୍ରଦେଶରେ ଜଣେ ଗେରୁଆ ବସ୍ତ୍ରଧାରୀ ଯେତେବେଳେ ରାଜ୍ୟର ମୁଖ୍ୟ ସାମ୍ବିଧାନିକ ପଦବୀରେ ବସିଛନ୍ତି, ଏହି ଧାରାଟି ରାଷ୍ଟ୍ରକୁ ମଧ୍ୟ ବ୍ୟାପିବ । ସେହିପରି ଗୁଜରାଟ୍ ମୋଡେଲ ଉପରେ ବିଶ୍ୱାସ କରି ଯେଉଁମାନେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ଦାମୋଦାର ଦାସ ମୋଦୀଙ୍କୁ ନିରଙ୍କୁଶ ବହୁମତ ନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଭାବରେ ସମର୍ଥନ କଲେ, ସେମାନେ ଭାବିଲେ ଯେ ଏଥର ତାଙ୍କର ଦୁଃଖଦୁର୍ଦ୍ଦଶା ସରକାର ନିଶ୍ଚିତ ଦୂର କରିବେ । କିନ୍ତୁ ରାଜନୀତିରେ ସବୁ ସମ୍ଭବ ବୋଲି ଯାହା କୁହାଯାଏ, ଏହା ପ୍ରକୃତରେ ସତ! କେତେବେଳେ କିଏ କେଉଁ ପଟକୁ ଯିବ, ତାହା କେହି କହି ପାରିବ ନାହିଁ । ନେତାଙ୍କ ରାଜନୈତିକ ପାଣିପାଗ ଜାଣିବାକୁ ହେଲେ, ତାଙ୍କ ଦୁର୍ବଳତାକୁ ଜାଣିବାକୁ ହେବ ।
କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଗୋଟିଏ ରାଜନୈତିକ ଦଳର ବ୍ୟକ୍ତି ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ କେତେକ ସାମଞ୍ଜସ୍ୟ ଥିଲେ ବି ପରସ୍ପର ମଧ୍ୟରେ କେତେକ ଭିନ୍ନତା ଦେଖିବାକୁ ମିଳେ । ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ ମସିହାରେ ନିରଙ୍କୁଶ ବହୁମତ ନ ଥିଲେ ବି ୨୮୨ ଟି ଆସନ ଦଖଲ କରି ଅନ୍ୟ ଦଳମାନଙ୍କର ସମର୍ଥନରେ ପ୍ରଧାନମନ୍ତ୍ରୀ ହେବା ପରେ ଯେତେବେଳେ ପ୍ରଥମ କରି ସଂସଦକୁ ଗଲେ, ସେତେବେଳର ଦୃଶ୍ୟ ଲୋକଙ୍କୁ ଭାବବିହ୍ୱଳ କରି ପକାଇଲା । ସଂସଦ ଭିତରକୁ ପଶିବା ପୂର୍ବରୁ ଯେପରି ପ୍ରଣାମ କଲେ, ତାହା ଏବେ ବି ଲୋକଙ୍କ ମନରେ ରହିଛି । କିନ୍ତୁ ସେ ସଂସଦ ଭିତରକୁ ପଶିବା ସମୟରେ ଯେପରି ସମ୍ମାନ ଓ ଏକ ଆଦର୍ଶ ସହକାରେ ଭିତରକୁ ପଶିଥିଲେ, ପରେ ଏହାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜିବାକୁ ଲାଗିଲା । ‘ସବକା ସାଥ୍, ସବକା ବିକାଶ’, ‘ଅଚ୍ଛେ ଦିନ୍ ଆନେୱାଲା ହୈ’, ‘ବେଟି ବଚାଓ, ବେଟି ବଢ଼ାଓ’ ଭଳି ତାଙ୍କର କେତେକ ଶ୍ଲୋଗାନ୍ ନେଇ ଲୋକେ ଆପତ୍ତି କରିବାକୁ ଲାଗିଲେ । ସେ ଆସିବା ପରେ ପ୍ରଧାନମନ୍ତ୍ରୀଙ୍କ କାମ ପ୍ରଚାର ସର୍ବସ୍ୱ ବୋଲି ଲୋକେ କହିବାକୁ ଲାଗିଲେ । ସେ ଯାହା କରନ୍ତୁ ବା ନ କରନ୍ତୁ, କିନ୍ତୁ ତାଙ୍କର ପ୍ରଚାର ପ୍ରସାରରେ କୌଣସି ଊଣା ହେଲା ନାହିଁ । ଆମେରିକାର ରାଷ୍ଟ୍ରପତିମାନେ ବିଭିନ୍ନ ସମୟରେ ଜନସାଧାରଣଙ୍କୁ ଯେପରି ରେଡିଓରେ ବାର୍ତ୍ତା ଦିଅନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏକ ଅପୂର୍ବ ସୁଯୋଗ ହାତେଇ ରେଡିଓରେ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ଆରମ୍ଭ କଲେ । ଏହାଦ୍ୱାରା ତାଙ୍କୁ ଲୋକଙ୍କ ପାଖରେ ପହଂଚିବାକୁ ସୁବିଧା ହେଲା । ଡିଜିଟାଲ ଯୁଗରେ ଲୋକେ ରେଡିଓକୁ ଶୁଣୁ ନଥିବାବେଳେ ଏହା ପୁଣି ଶୁଣିବା ଆରମ୍ଭ କଲେ ବୋଲି କୁହାଗଲା । ଏହି କାର୍ଯ୍ୟକ୍ରମରେ କେତେକାଂଶରେ ଲୋକେ ତାଙ୍କଠୁ ଉତ୍ତର ମଧ୍ୟ ପାଇ ପାରିଲେ । ହେଲେ ଏହି କାର୍ଯ୍ୟକ୍ରମରେ ସେ ଲୋକଙ୍କୁ ଜ୍ଞାନ ପରିବେଷଣ କରୁଛନ୍ତି ବୋଲି ସାଧାରଣରେ ଆଲୋଚନା ବି ହେଲା । କିନ୍ତୁ ସେ ଯାହା ବି ହେଉ, ସେ ତାଙ୍କର ବିଚକ୍ଷଣ ବୁଦ୍ଧି ଓ କୌଶଳ ବଳରେ ଆନ୍ତର୍ଜାତିକ ସମୁଦାୟ ମଧ୍ୟରେ ନିଜର ଏକ ଭାବମୂର୍ତ୍ତି ଛିଡ଼ା କରାଇବାରେ ସକ୍ଷମ ହେଲେ । ସେ ଏକ ସେଲିବ୍ରିଟି ଭାବରେ ଚାରିଆଡ଼େ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା । କିନ୍ତୁ ଏତେ ସବୁ ହେଲେ ବି ଜନସାଧାରଣଙ୍କ ଦୁଃଖଦୁର୍ଦ୍ଦଶାରେ କିଛି ପରିବର୍ତ୍ତନ ହେଲା ନାହିଁ ବୋଲି ଅଭିଯୋଗ ହେଲା । ତାଙ୍କର ରାଜନୈତିକ କୌଶଳ ସାମ୍ନାରେ ତାଙ୍କ ନିଜ ଦଳ ଓ ବିପକ୍ଷରେ ଥିବା କେହି ବି ତାଙ୍କ ସହ ସମକକ୍ଷ ନାହାନ୍ତି ବୋଲି ପ୍ରଚାର କରାଗଲା । ଏହାରି ଭିତରେ ସେ ଚତୁରତାର ସହ ‘ବିମୁଦ୍ରାକରଣ’ ଭଳି ଏକ ଗମ୍ଭୀର ବିଷୟକୁ ଦେଶରେ ଲାଗୁ କରି ଜନସାଧାରଣଙ୍କ ଆକ୍ରୋଶର ପାତ୍ର ହେଲେ । କିନ୍ତୁ ଲୋକଙ୍କ ଦ୍ୱାରା ସେ ଯେତେ ଶରବ୍ୟର ସମ୍ମୁଖୀନ ହୋଇଥିଲେ ବି ସେସବୁକୁ ସେ କଳାତ୍ମକ ଢଙ୍ଗରେ ପରିଚାଳନା କରି ଆସିଛନ୍ତି ।
ଆଗକୁ ବିହାରରେ ନିର୍ବାଚନ, ତାପରେ ପଶ୍ଚିମବଙ୍ଗ ଓ ପରେପରେ ଅନ୍ୟାନ୍ୟ ରାଜ୍ୟ ସମେତ ଉତ୍ତରପ୍ରଦେଶରେ ମଧ୍ୟ ନିର୍ବାଚନ ଆସୁଛି । ଏହାରି ଭିତରେ ଉତ୍ତପ୍ରଦେଶର ହାଥରସ୍ ଘଟଣା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ଛିଡ଼ା ହୋଇଥିବା ରାଜନୈତିକ ବିଶ୍ଲେଷକଙ୍କ ମତ । ଏହି ଘଟଣା ପାଇଁ ବର୍ତ୍ତମାନ ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମଧ୍ୟରେ ଅନ୍ତକନ୍ଦଳ ଆରମ୍ଭ ହୋଇଥିବା ଲୋକେ ଅନୁଭବ କଲେଣି । ଯଦି ଏହା ସତ ନୁହେଁ, ତେବେ ହାଥରସ୍ ଘଟଣାର ୧୬ ଦିନଯାଏଁ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ପଦୁଟିଏ କହି ନଥିବାବେଳେ ହଠାତ୍ ସେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ଏସ୍ଆଇଟି ଗଠନ କରିବା କଥା କାହିଁକି ପ୍ରକାଶ କଲେ ? ହେଲେ ଏସ୍ଆଇଟି ଗଠନ ହେଲେ ବି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପୋଲିସ ଓ ପ୍ରଶାସନ ବିରୁଦ୍ଧରେ ଯେପରି ଜନସାଧାରଣ ତାତି ଉଠିଲେ, ସେଥିପାଇଁ ଉଭୟ ସରକାରଙ୍କୁ ଏହା ଚିନ୍ତାରେ ପକାଇଲା । ଏହି ଗଣଦୁଷ୍କର୍ମର ଅଭିଯୁକ୍ତମାନେ ମୁଖ୍ୟମନ୍ତ୍ରୀଙ୍କ ନିଜ ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କୁ ସେ ପ୍ରକାରାନ୍ତରେ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ଉଠିଲା । ରାଜ୍ୟରେ ପୋଲିସ୍ ଏଡିଜି ଖୋଦ୍ କହିଲେ, ପୀଡ଼ିତାକୁ ଦୁଷ୍କର୍ମ ହୋଇଥିବା କୌଣସି ପ୍ରମାଣ ମିଳି ନାହିଁ । ପରେ ପରେ ମୁଖ୍ୟମନ୍ତ୍ରୀ ମଧ୍ୟ କହିଲେ, କେତେକ ଲୋକ ବୋଧହୁଏ ଉତ୍ତରପ୍ରଦେଶରେ ହେଉଥିବା ବିକାଶ କାର୍ଯ୍ୟକୁ ପସନ୍ଦ କରୁ ନାହାନ୍ତି, ସେଥିପାଇଁ ସେମାନେ ଏହି ଘଟଣାକୁ ନେଇ ରାଜ୍ୟରେ ଦଙ୍ଗା କରାଇବାକୁ ଚେଷ୍ଟା କରୁଛନ୍ତି । ଏପରିକି ଏହି ଘଟଣାକୁ ନେଇ ଦଙ୍ଗା କରିବାକୁ ଆନ୍ତର୍ଜାତୀୟ ଷଡ଼ଯନ୍ତ୍ର ହୋଇଛି ଓ ଏଥିପାଇଁ ୧୦୦ କୋଟି ଟଙ୍କା ବିଦେଶରୁ ଆସିଛି ବୋଲି ପ୍ରଚାର କରାଗଲା । ହେଲେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାକୁ ଅସ୍ୱୀକାର କରିବା ପରେ ଏହି ଘଟଣାରେ ନକ୍ସଲ ଲିଙ୍କ ଖୋଜିବା ଆରମ୍ଭ ହେଲା । କିନ୍ତୁ ପୀଡ଼ିତାଙ୍କ ପରିବାରକୁ ଆସିଥିବା ଯେଉଁ ମହିଳାଙ୍କୁ ନକ୍ସଲଙ୍କ ସହ ଲିଙ୍କ ଅଛି ବୋଲି ପ୍ରଚାର କରାଗଲା, ସେ ଏହାକୁ ଅସ୍ୱୀକାର କରିବା ସହ ଜଣାଇଛନ୍ତି ଯେ ସେ ଜବଲପୁର ମେଡିକାଲ କଲେଜର ଜଣେ ଆସିଷ୍ଟାଣ୍ଟ ପ୍ରଫେସର୍ ।
ଏହି ଘଟଣାର ପ୍ରଭାବ ଆଗକୁ ଆସୁଥିବା ନିର୍ବାଚନରେ ପଡିବା ଯଥେଷ୍ଟ ଆଶଙ୍କା ଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କ ଆକ୍ରୋଶକୁ କିଛି ମାତ୍ରାରେ ପ୍ରଶମିତ କରିବାକୁ ଚେଷ୍ଟା କରୁଥିବା ବିଶ୍ଲେଷକଙ୍କ ଅନୁମାନ୍ । ମୁଖ୍ୟମନ୍ତ୍ରୀ ଯୋଗୀ ଅଭିଯୁକ୍ତମାନଙ୍କ ସମୁଦାୟର ସମର୍ଥନରେ ମୁଖ୍ୟମନ୍ତ୍ରୀ ପଦ ପାଇଥିବାରୁ ସେମାନଙ୍କୁ ସୁରକ୍ଷା ଦେବାରେ ଲାଗିଛନ୍ତି ଓ ମୋଦୀ ନିଜର ପ୍ରଧାନମନ୍ତ୍ରୀ ପଦକୁ ଭବିଷ୍ୟତ ଲାଗି ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସେ ଆଗାମୀ ନିର୍ବାଚନକୁ ଦେଖୁଛନ୍ତି ବୋଲି ଜନସାଧାରଣଙ୍କ ମତ । ତେବେ ଜନସାଧାରଣଙ୍କ ମନରେ ପ୍ରଶ୍ନ ଯେ, ହାଥରସ୍ ଗଣଦୁଷ୍କର୍ମ ଘଟଣାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଯେପରି ଭାବେ ପରିଚାଳନା କଲେ ଓ ଜନସାଧାରଣଙ୍କ ଆକ୍ରୋଶର ଶୀକାର ହେଲେ, ଏଥିରୁ ତାଙ୍କର ଅଦୂରଦର୍ଶୀତାର କ’ଣ ପ୍ରମାଣ ମିଳୁ ନାହିଁ ? ଅନ୍ୟ ଅର୍ଥରେ ନିଜ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ୨୦୦୨ ମସିହାରେ ଗୁଜରାତରେ ଦଙ୍ଗା ହୋଇଥିଲେ ବି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ବିଚକ୍ଷଣ ରାଜନୈତିକ ବୁଦ୍ଧି ବଳରେ ନିଜର ସ୍ୱଚ୍ଛ ଭାବମୂର୍ତ୍ତିକୁ ରକ୍ଷା କରିବାରେ କଣ ସକ୍ଷମ ହୋଇ ନାହାନ୍ତି ?
ବିଚକ୍ଷଣ ମୋଦୀ ଓ ଅଦୂରଦର୍ଶୀ ଯୋଗୀଙ୍କ ମଧ୍ୟରେ କ୍ଷମତାର ଲଢ଼େଇ ! (ସମ୍ପାଦକୀୟ)
