(୦୨/୧୧) ଲୋକେ ଫସଲ ବୀମା ରାଶି ପାଇ କ୍ଷତି ହୋଇଥିବା ଫସଲର ଭରଣା କରିବାକୁ ଚିନ୍ତା କରୁଥିବାବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜାମଖେରା ଗ୍ରାମର ଜଣେ ଚାଷୀ ସେହି ପଇସାକୁ ଖର୍ଚ୍ଚ କରି ଏକ କେନାଲ ଖୋଳିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ୪୮ ବର୍ଷ ବୟସ୍କ ବିଜୟ ସାହୁ ଜଣେ ଚାଷୀ । ସେ ଫସଲ ବୀମା କରିଥିବାରୁୁ ୧,୪୩,୦୦୦ ଟଙ୍କା ବୀମା କମ୍ପାନୀ ତରଫରୁ ମିଳିଥିଲା । ତେବେ ସେହି ଅର୍ଥକୁ ସେ ନିଜ ପାଇଁ କେବଳ ବ୍ୟବହାର ନ କରି ତାକୁ ଏକ କେନାଲ ଖୋଳିବାରେ ଲଗାଇଥିଲେ । ଏବେ ସେହି କେନାଲ ଦ୍ୱାରା ୩୭ ଟି ଚାଷୀ ପରିବାରର ଜମିକୁ ପାଣି ପହଂଚି ପାରୁଥିବାବେଳେ ଜଳ ସଂକଟ ସମୟରେ ତାହା ଜୀବନରେଖା ପାଲଟିଛି । ଶ୍ରୀ ସାହୁ ନିଜ ଟ୍ରାକ୍ଟର ଲଗାଇ ୪୮ ଦିନଯାଏଁ କଠିନ ପରିଶ୍ରମ କରି ଏହି କେନାଲ ଖୋଳିଥିଲେ । କେବଳ ସେତିକି ନୁହଁ, ସେ ଗାଁ ରାସ୍ତାର ବିକାଶ କରି ଲୋକେ ସୁବିଧାରେ ଯିବାଆସିବା କରିବାକୁ ଆବଡ଼ା ଖାବଡ଼ା ରାସ୍ତାକୁ ସମତୁଲ ମଧ୍ୟ କରିଥିଲେ । ଏଥି ଯୋଗୁଁ କୃଷକ ନେତା ଅଶୋକ ପ୍ରଧାନ ତାଙ୍କର ଭୂୟିୟସୀ ପ୍ରଶଂସା କରିବାଥିବାବେଳେ ଲୋକେ ତାଙ୍କର ପ୍ରଶଂସା କରୁଛନ୍ତି । ତାଙ୍କର ସ୍ୱାର୍ଥତ୍ୟାଗ ସମାଜ ପାଇଁ ଏକ ଦିଗଦର୍ଶନ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।
ଲକ୍ଷାଧିକ ଟଙ୍କାର ବୀମା ରାଶିକୁ କେନାଲ ଖୋଳିବାରେ ଖର୍ଚ୍ଚ କରି ଚର୍ଚ୍ଚାରେ ପଦ୍ମପୁରର ଚାଷୀ ବିଜୟ ସାହୁ !
