(୦୯/୧୦) ଗତ କିଛି ଦିନ ହେଲା କଣ୍ଟାବାଞ୍ଜି ବ୍ଲଡ୍ ବ୍ୟାଙ୍କରେ ୟୁଜର୍ସ ଫି ଓ ଅନ୍ୟାନ୍ୟ ବାବଦକୁ ଦୁର୍ନୀତି ହୋଇଥିବା ‘ନବୋଦୟ’ ସମେତ ଅନ୍ୟ କେତେକ ହାତ ଗଣତି ସମ୍ବାଦପତ୍ରରେ ଖବର ପ୍ରକାଶିତ ହୋଇଥିଲା । ଏହାର ଏବେ ସୁଫଳ ଦେଖିବାକୁ ମିଳିଛି । ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଟିଟିଲାଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ କଣ୍ଟାବାଞ୍ଜି ରକ୍ତଭଣ୍ଡାରକୁ ପହଂଚି ବିଭିନ୍ନ କାଗଜପତ୍ର ଯାଂଚ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ସମୟରେ ରକ୍ତଭଣ୍ଡାର ଅଧ୍ୟକ୍ଷ ତଥା ସ୍ଥାନୀୟ ତହସିଲଦାର୍ ଅଶୋକ ମାଝୀ ଓ ମେଡିକାଲ୍ ଅଫସର୍ ଉପସ୍ଥିତ ଥିବା ଜଣାପଡ଼ିଛି । କଣ୍ଟାବାଞ୍ଜି ରକ୍ତଭଣ୍ଡାରରେ ପୂର୍ବରୁ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିବା ନରେଶ ମିଶ୍ରଙ୍କୁ ପଚରାଉଚରା କରାଯାଇଥିଲା । ୟଜର୍ସ ଫି ଆଦାୟ ବାବଦକୁ ଅଭିଯୋଗ କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସ୍ଥାନୀୟ ଯୁବ ସମାଜସେବୀ ରୋହନ କୁମାର ମହତ ତଦନ୍ତକାରୀ ଅଧିକାରୀଙ୍କୁ ଉପଯୁକ୍ତ ଭାବେ ତଦନ୍ତ କଲେ ରକ୍ତଭଣ୍ଡାରରେ ହୋଇଥିବା ଦୁର୍ନୀତି ଲୋକଲୋଚନକୁ ଆସି ପାରିବ ବୋଲି ଅନୁରୋଧ କରିଛନ୍ତି । ତେବେ ତଦନ୍ତର ଅଗ୍ରଗତି ସମ୍ପର୍କରେ ଜନସାଧାରଣଙ୍କ ସ୍ୱାର୍ଥକୁ ଦେଖି ଏହି ଗଣମାଧ୍ୟମ ସଜାଗ ରହିଥିବ, ଏଥିରେ କୌଣସି ଦ୍ୱିଧା ନାହିଁ । ସୂଚନାଯୋଗ୍ୟ ଯେ ସମାଜସେବୀ ଶ୍ରୀ ମହତ୍ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇ ଦୁର୍ନୀତିର ସାତ ଦିନ ଭିତରେ ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରା ନଗଲେ ସେ ରକ୍ତଭଣ୍ଡାର ସମ୍ମୁଖରେ ଅନଶନ କରିବେ ବୋଲି ଚେତାବନୀ ଦେଇଥିଲେ ।
‘ନବୋଦୟ’ର ପ୍ରଭାବ : କଣ୍ଟାବାଞ୍ଜି ବ୍ଲଡ୍ ବ୍ୟାଙ୍କ ଦୁର୍ନୀତିର ତଦନ୍ତ ଆରମ୍ଭ କଲା ସ୍ୱାସ୍ଥ୍ୟ ବିଭାଗ ।
