(୦୪/୧୧) ସରକାରଙ୍କ ବିରୁଦ୍ଧରେ ଗର୍ଜିଲା ଜିଲ୍ଲା କଂଗ୍ରେସ। ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଜଳ ସଂକଟ ଦେଖା ଦେଉଥିଲେ ବି ଚାଷ ଉପରେ ଏଠିକାର ଲୋକ ମୁଖ୍ୟତଃ ନିର୍ଭର କରିଥାନ୍ତି । ଜିଲ୍ଲାରେ ଗତ ୨୦୧୯ ମସିହାରେ ୨୦୩୪୯ ଜଣ ଚାଷୀ ପଞ୍ଜିକରଣ କରିଥିବାବେଳେ ୨୦୨୦ ମସିହାରେ ୧୫୪୧୭ ଜଣ ଚାଷୀଙ୍କ ନବୀକରଣ ହେଲା ଓ ନୂତନ ଭାବେ ୧୨୭୫୫ ଟି ମଣ୍ଡିକାର୍ଡ଼ ପଞ୍ଜିକରଣ ହୋଇଥିଲା । ତେବେ ୨୦୨୦ ମସିହାରେ ସମୁଦାୟ ୨୮୧୭୨ ଚାଷୀ ପଞ୍ଜିକରଣ କରିଛନ୍ତି। ୧୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି କୃଷି ପ୍ରଧାନ ଜିଲ୍ଲାରେ ୨୮୧୭୨ ଜଣ ଚାଷୀ ପଞ୍ଜିକରଣ କରିବା ଏହା ଏକ ସବୁଠାରୁ ନିମ୍ନ ମାନର ପଞ୍ଜିକରଣ ଅଟେ। ଜଣେ ଚାଷୀ ମାସକୁ ୫ କିଲୋ ଚାଉଳ ପାଉଥିବା ବିପିଏଲ କାର୍ଡ଼ କଟିଯିବା ଭୟରେ ପଞ୍ଜିକରଣ କରୁ ନାହାନ୍ତି । ଯେଉଁ ବ୍ଲକ ଗୁଡାକ କେବଳ ଧାନ ଚାଷ ଉପରେ ନିର୍ଭର କରୁଛି ସେହି ବ୍ଲକରେ କମ ସଂଖ୍ୟାରେ ଚାଷୀ ପଞ୍ଜିକରଣ କରିଥିବାବେଳେ ଧାନ ଚାଷ ହେଉ ନଥିବା ବ୍ଲକରେ ଅଧିକ ଚାଷୀ ପଞ୍ଜିକରଣ ହେଇଥିବାରୁ ଏହା ଭୁଲ ହୋଇଥିବା ଆଶଙ୍କା କରାଯାଉଛି । ୨୬୩୮ ଜଣ ଚାଷୀ ଇଣ୍ଟରନେଟ୍ ସଂଯୋଗରେ ବାଧା ହେବା କାରଣରୁ ପଞ୍ଜିକରଣ କରିବାରୁ ବଞ୍ଚିତ ହୋଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି। ଏହାର ସମାଧାନ ଅତିଶୀଘ୍ର କରା ନଗଲେ ଆଗାମୀ ଦିନରେ ବିଧାୟକ, ସାଂସଦ ଓ ଜିଲ୍ଲାପାଳଙ୍କ ଆବାସିକ ଭବନ ସମ୍ମୁଖରେ ଚାଷୀଙ୍କୁ ନେଇ ଅନଶନ କରାଯିବ ବୋଲି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ସଦନ ନାୟକଙ୍କ ସମେତ ଜିଲ୍ଲା କଂଗ୍ରେସ କୃଷକ ସଭାପତି ବୃନ୍ଦାବନ ତ୍ରିପାଠୀ, ସରୋଜ ପାତ୍ର, ଦିଲ୍ଲୀପ ବେହେରା, ସୁବାଷ ଚନ୍ଦ୍ର ସୁର ପ୍ରମୁଖ ଉପସ୍ଥିତ ଥିଲେ। (ରିପୋର୍ଟ-ବାବୁଲି ଗଣ୍ଡ)
ଚାଷୀଙ୍କ ପଞ୍ଜିକରଣକୁ କେନ୍ଦ୍ର କରି ସରକାରଙ୍କ ବିପକ୍ଷରେ ଗର୍ଜିଲା ଜିଲ୍ଲା କଂଗ୍ରେସ।
