(୧୮/୧୦) ନିକଟରେ ‘ନୀଟ୍’ ପରୀକ୍ଷାର ଫଳାଫଳ ବାହାରିଛି ଓ ଏଥିରେ ଓଡ଼ିଶାର ସୋୟେବ ଅଫତାବ ଟପର୍ ହୋଇଥିବାବେଳେ ଦିଲ୍ଲୀର ଅକାଂକ୍ଷା ସିଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । କିନ୍ତୁ ସୋୟେବ ଅଫତାବ୍ ଓ ଆକାଂକ୍ଷା ଉଭୟେ ସମାନ ୭୨୦ ରୁ ୭୨୦ ମାର୍କ ରଖିଥିଲେ ବି ସୋୟେବ ଅଫତାବ୍ଙ୍କୁ କେବଳ କାହିଁକି ଟପର୍ ବୋଲି ଘୋଷଣା କରାଗଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ତେବେ ଏହି ପରୀକ୍ଷା ଆୟୋଜନ କରିଥିବା ‘ନେସନାଲ୍ ଟେଷ୍ଟିଂ ଏଜେନ୍ସି’ର ପଲିସି ଅନୁସାରେ କେବଳ ଜଣକୁ ଟପର ଘୋଷଣା କରାଯାଇଥାଏ ଓ ଏଥିର ମାପଦଣ୍ଡ ଭାବରେ ପରୀକ୍ଷାର୍ଥୀଙ୍କ ବୟସକୁ ବିଚାରକୁ ନିଆଯାଇଥାଏ ବୋଲି କୁହାଯାଇଛି । ଆକାଂକ୍ଷାଙ୍କ ବୟସ ତୁଳନାରେ ସୋୟେବଙ୍କୁ ଅଧିକ ବୟସ ହେଉଥିବାରୁ ତାଙ୍କୁ ଟପର୍ ଘୋଷଣା କରାଯାଇଥିବା କେତେକେ ପ୍ରକାଶ କରିଛନ୍ତି । ତେବେ ପରୀକ୍ଷା ଫଳାଫଳରେ ପ୍ରାର୍ଥୀଙ୍କ ର୍ୟାଙ୍କ ନିର୍ଦ୍ଧାରଣ କରିବା ଲାଗି ବୟସକୁ ମାପଦଣ୍ଡ ଭାବେ ବ୍ୟବହାର କରିବା ନାଗରିକର ମୌଳିକ ଅଧିକାରର ଅବମାନନା ଅଟେ ବୋଲି ଲୋକେ ଅଭିଯୋଗ କରିଛନ୍ତି । ତେଣୁ ସରକାର ‘ନୀଟ୍’ ପରୀକ୍ଷାର ର୍ୟାଙ୍କିଙ୍ଗକୁ ନେଇ ଥିବା ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ଲୋକେ ଦାବି କରିଛନ୍ତି ।
‘ନୀଟ୍’ ପରୀକ୍ଷାର ର୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ନେଇ ତେଜିଲା ବିବାଦ, ନିୟମ ପରିବର୍ତ୍ତନ ପାଇଁ ହେଲା ଦାବି !
