(୧୪/୮) ଲୋକେ ଡାକ୍ତର କଫିଲ ଖାନ ପରି ଲୋକଙ୍କୁ ଜେଲରୁ ମୁକୁଳାଇବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଉଥିବାବେଳେ ସ୍ୱାଧ୍ୱୀ ପ୍ରଜ୍ଞା ଓ ଆଶାରାମ ବାପୁଙ୍କୁ ମଧ୍ୟ କେବେ ନ୍ୟାୟ ମିଳିବ ବୋଲି ସୋସିଏଲ ମିଡିଆରେ କେତେକ ଆପତ୍ତି ଉଠାଇଛନ୍ତି । ସାଧ୍ୱୀ ପ୍ରଜ୍ଞା ଏବେ କ୍ୟାନସର୍ ପୀଡ଼ିତ ତେଣୁ ତାଙ୍କ ପ୍ରତି କୋର୍ଟ ଆଉ ଅଧିକ କଠୋର ହେବା ଉଚିତ ନୁହେଁ, ସେହିପରି ଅଶାରାମ ବାପୁ ମଧ୍ୟ ଦୀର୍ଘ ୭ ବର୍ଷ ହେଲା ଜେଲରେ ଅଛନ୍ତି, ତାଙ୍କୁ ମଧ୍ୟ ଜାମିନ୍ ମିଳିବା ଦରକାର ବୋଲି ସୋସିଏଲ ମିଡିଆରେ ଆଲୋଚନା ହେଉଛି । ଆଶାରାମ ବାପୁ ପ୍ରତାରଣା ପୂର୍ବକ ଲୋକଙ୍କୁ ହିନ୍ଦୁଧର୍ମରୁ ଅନ୍ୟ ଧର୍ମକୁ ଦୀକ୍ଷିତ କରୁଥିବାରୁ କେତେକ ବ୍ୟକ୍ତି ଏହା ସହି ନ ପାରି ତାଙ୍କୁ ମିଥ୍ୟା କେଶରେ ଫଶାଇ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଆଶାରାମ ବାପୁ ୨୦୧୩ ମସିହାରୁ ଏକ ନାବାଳିକାକୁ ଧର୍ଷଣ ମାମଲାରେ ଜେଲରେ ଅଛନ୍ତି । ତାଙ୍କୁ ଏଯାଏଁ ଜାମିନ ମିଳିପାରି ନାହିଁ । ପ୍ରତ୍ୟୁତ୍ତରରେ, କେତେକ ଆଇଟି ସେଲ୍ର ଲୋକ ଧର୍ଷଣ କେଶରେ ଫଶିଥିବା ଆଶାରାମ ବାପୁ ଓ ବୋମା ବିସ୍ଫୋରଣ ମାମଲାରେ ଫଶିଥିବା ସାଧ୍ୱୀ ପ୍ରଜ୍ଞାଙ୍କ ପାଇଁ ଏତେ ଚିତ୍କାର କରୁଥିଲେ ବି ଗଙ୍ଗା ନଦୀ ପାଇଁ ଉପବାସ ରହି ଶେଷରେ ପ୍ରାଣ ତ୍ୟାଗ କରିଥିବା ସ୍ୱାମୀ ସାନନ୍ଦଙ୍କ ସପକ୍ଷରେ ଏତେ ଯୁକ୍ତି କରି ପାରିଲେ ନାହିଁ ବୋଲି କେତେକ ପ୍ରଶ୍ନ କରିଛନ୍ତି ।
ସାଧ୍ୱୀ ପ୍ରଜ୍ଞା ଓ ଆଶାରାମ ବାପୁଙ୍କୁ ନ୍ୟାୟ କେବେ ମିଳିବ ବୋଲି ବ୍ୟାପକ ଚର୍ଚ୍ଚା !
