ଉତ୍ତର କୋରିଆର ଶାସକ କିମଜଙ୍ଗ ଉନଙ୍କ ମୃତ୍ୟୁ ହୋଇ ସାରିଥିବା ନେଇ ବିଭିନ୍ନ ଗଣମାଧ୍ୟମ ତଥା ସୋସିଏଲ ମିଡିଆରେ ଆଲୋଚନା ହେଉଛି, କିନ୍ତୁ ଆମର ହସ୍ତଗତ ହୋଇଥିବା ଏକ ରିପୋର୍ଟଟି ଭିନ୍ନ କଥା କହୁଛି । ଦକ୍ଷିଣ କୋରିଆର ଉପଗ୍ରହଠାରୁ ମିଳିଥିବା ଫଟୋ ଅନୁଯାୟୀ କିମ୍ ଏବେ ରାଜଧାନୀ ବାହାରେ ଅଛନ୍ତି । ଦକ୍ଷିଣ କୋରିଆ ବାରମ୍ବାର କହି ଆସୁଛି ଯେ କିମ୍ଙ୍କ ସ୍ୱାସ୍ଥ୍ୟକୁ ନେଇ ଯେପରି ଆଶଙ୍କା କରାଯାଉଛି, ସେପରି କିଛି ହୋଇଥିବାର କୌଣସି ସଙ୍କେତ ମିଳୁ ନାହିଁ । କିମ୍ ଯେତେବେଳେ ଏପ୍ରିଲ ୧୫ ତାରିଖ ଦିନ ନିଜ ଅଜା ତଥା ଉତ୍ତର କୋରିଆର ପ୍ରତିଷ୍ଠାତା କିମ ସଙ୍ଗଙ୍କ ୧୦୮ ମ ଜନ୍ମ ଦିବସରେ ଦେଖାଗଲେ ନାହିଁ, ସେହିଦିନଠାରୁ ଏହିସବୁ ଚର୍ଚ୍ଚା ଚାଲିଛି ଯେ କିମଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ବୋଲି । କିମ ଜଙ୍ଗ ଉନ୍ ହେଉଛନ୍ତି ଉତ୍ତର କୋରିଆକୁ ଶାସନ କରିବାରେ ତାଙ୍କ ପରିବାରର ତୃତୀୟ ପିଢ଼ିର ଲୋକ, ସେ ଆଗରୁ କେବେ ବି ଏହି ଦିନରେ ଅନୁପସ୍ଥିତ ରହି ନାହାନ୍ତି । ଉତ୍ତର କୋରିଆର ଅନେକ ବିଜ୍ଞ ବ୍ୟକ୍ତି ଅଟକଳ କରୁଥିଲେ ଯେ, କିମ ଜଙ୍ଗ ଉନଙ୍କ ପରେ ତାଙ୍କ ଭଉଣୀ କିମ୍ ୟୋ ଜଙ୍ଗ୍ ସମ୍ଭାଳି ନେବେ । କିନ୍ତୁ ଅନୁମାନ କରାଯାଉଛି ଯେ, କିମ୍ ବର୍ତ୍ତମାନ ରାଜଧାନୀ ଛାଡ଼ି ଉତ୍ତର ଉପକୂଳରେ ରହୁଛନ୍ତି । ଦକ୍ଷିଣ କୋରିଆର ଗୁଇନ୍ଦା ସଂସ୍ଥା ଏହା ମଧ୍ୟ କହିଛି ଯେ, ତାଙ୍କ ବିଷୟରେ କିଛି ସ୍ପଷ୍ଟ ଭାବେ କହି ହେବ ନାହିଁ, କାରଣ ଡିସେମ୍ବର ୨୦୧୧ ରେ ଯେତେବେଳେ ତାଙ୍କ ଅଜାଙ୍କ ମୃତ୍ୟୁ ହେଲା, ସେତେବେଳେ ଉତ୍ତର କୋରିଆର ଜାତୀୟ ଗଣମାଧ୍ୟମ ଦୁଇ ଦିନ ପରେ ଘଟଣାଟି ପ୍ରକାଶ ନ କଲା ପରେ ଯାଇ ସମସ୍ତେ ଜାଣି ପାରିଥିଲେ । ଔପଚାରିକ ଭାବେ କୋରିଆର କେନ୍ଦ୍ରୀୟ ସମ୍ବାଦ ସରବରାହ ସଂସ୍ଥା ପ୍ରକାଶ କରିଛି ଯେ, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ କିମଙ୍କ ସ୍ୱାସ୍ଥ୍ୟ ପାଇଁ ଆରୋଗ୍ୟ କାମନା କରି ବାର୍ତ୍ତା ପଠେଇଛନ୍ତି ।
ଆହୁରି ଏକ କଥା ଯେ, କିମ୍ ଲୋକଙ୍କ ନଜରଠୁ ଦୂରେଇ ରହିବା ଏହା ପ୍ରଥମ ଘଟଣା ନୁହେଁ । ୨୦୧୪ ରେ ମଧ୍ୟ ତାଙ୍କର ସାର୍ବଜନୀନ କାର୍ଯ୍ୟକଳାପ ସମ୍ପର୍କରେ ତାଙ୍କ ଦେଶର ଗଣମାଧ୍ୟମ ଦୀର୍ଘ ଛ’ ସପ୍ତାହ ଯାଏଁ କିଛି ପ୍ରକାଶ କରି ନ ଥିଲା । ପରେ ଦକ୍ଷିଣ କୋରିଆର ଗୋଇନ୍ଦା ମାଧ୍ୟମରେ ଜଣାପଡ଼ିଥିଲା ଯେ, ତାଙ୍କର ଆଣ୍ଠୁରେ ଥିବା ସମସ୍ୟା ପାଇଁ ଚିକିତ୍ସାଧିନ ଥିଲେ । (ସୌଜନ୍ୟ : ସିବିଏନ୍ ନିଉଜ୍)
ଉତ୍ତର କୋରିଆ ଶାସକ କିମଙ୍କୁ ନେଇ ଭିିନ୍ନ ରିପୋର୍ଟ
