ଦୋକାନଗୃହ ଭାଙ୍ଗିବା ପଡ଼ିଲା ମହଙ୍ଗା : ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଟିଟିଲାଗଡ଼ ଉପ-ଜିଲ୍ଲାପାଳଙ୍କ ନାମରେ ରୁଜୁ ହେଲା ମାମଲା !


(୧୮/୧୦) ଭିନ୍ନକ୍ଷମ ଯୁବତୀଙ୍କ ଦୋକାନଗୃହ ଭାଙ୍ଗିବା ମହଙ୍ଗା ପଡ଼ିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ ତଥା ଆଇଏଏସ୍ ସୋମେଶ କୁମାର ଉପାଧ୍ୟାୟ, କଣ୍ଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝୀ, ପୌରପାଳିକାର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣପ୍ରିୟା ମିଶ୍ର ଓ ରାଜସ୍ୱ ନିରୀକ୍ଷକ ବନମାଳୀ ବାରିକଙ୍କ ନାମରେ କଣ୍ଟାବାଞ୍ଜି ଥାନାରେ ଏକ ମାମଲା ରୁଜୁ ହୋଇଛି । ସୂଚନାଯୋଗ୍ୟ ଯେ କଣ୍ଟାବାଞ୍ଜି ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟ ପାଖରେ ଥିବା ସ୍ଥାନୀୟ ସୁରଜିତ ସିଂ ମାଖିଜାଙ୍କ ୬ ଟି ଦୋକାନଗୃହକୁ ଗତ ଅଗଷ୍ଟ ୧୪ ତାରିଖ ଦିନ ପ୍ରଶାସନ ପକ୍ଷରୁ ବଳପୂର୍ବକ ଭାଙ୍ଗି ଦିଆଯାଇଥିଲା । ଶ୍ରୀ ମାଖିଜା ମାମଲାଟି କୋର୍ଟରେ ବିଚାରଧୀନ ଅଛି ବୋଲି ଯେତେ ବି ବୁଝାଇବାକୁ ଚେଷ୍ଟା କରିଥିଲେ ବି ଅଧିକାରୀମାନେ ତାହା ବୁଝି ନଥିଲେ । ଶ୍ରୀ ମାଖିଜାଙ୍କ ଭିନ୍ନକ୍ଷମ ଝିଅ ରୂପଲ ମାଖିଜା ଏଠାରେ ଗୋଟିଏ ଜେରକ୍ସ ଦୋକାନ କରି ନିଜ ଗୁଜରାଣ ମେଣ୍ଟାଉଥିବାବେଳେ ଦୋକାନଗୃହ ଗୁଡ଼ିକ ଭାଙ୍ଗି ଯିବା ପରେ ସେ ବେରୋଜାଗାର ହୋଇଗଲେ । ଫଳରେ ଅନ୍ୟନୋପାୟ ହୋଇ ଉଭୟ ବାପ-ଝିଅ କଣ୍ଟାବାଞ୍ଜି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ ବି କେହି ସେମାନଙ୍କ କଥାକୁ ଗୁରୁତ୍ୱ ନ ଦେବାରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ । ଏହାପରେ ମଧ୍ୟ ସେମାନଙ୍କୁ କୌଣସି ସୁଫଳ ନ ମିଳିବାରୁ ଶ୍ରୀ ମାଖିଜା ବାଧ୍ୟ ହୋଇ ସେପ୍ଟେମ୍ବର ୨୩ ତାରିଖ ଦିନ ଭାରତୀୟ ସମ୍ବିଧାନର ଧାରା ୨୨୬ ଅନୁଯାୟୀ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ । ତେବେ ବଲାଙ୍ଗୀର ଏସ୍‌ପି ଓ କଣାବାଞ୍ଜି ଥାନାଧିକାରୀଙ୍କୁ ପକ୍ଷଭୁକ୍ତ କରିଥିବା ଏହି ମାମଲାରେ ଚଳିତ ମାସ ୮ ତାରିଖ ଦିନ ମାନ୍ୟବର ହାଇକୋର୍ଟ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ମାମଲାଟିର ଫଇସଲା ଶୁଣାଇ ବେଆଇନ ଭାବରେ ଦୋକାନଗୃହ ଭାଙ୍ଗିବାରେ ସଂପୃକ୍ତ ଥିବା ଅଧିକାରୀମାନଙ୍କ ବିରୁଦ୍ଧରେ ଥାନାରେ ଅପରାଧିକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଗତ ୧୫ ତାରିଖ ଦିନ ଶ୍ରୀ ମାଖିଜାଙ୍କ ଝିଅ ରୁପଲ କୌର ମାଖିଜାଙ୍କ ରିପୋର୍ଟ ପରେ କଣ୍ଟାବାଞ୍ଜି ଥାନାରେ ଭାରତୀୟ ଦଣ୍ଟବିଧି ଆଇନର ଧାରା ୪୨୭, ୫୦୬, ୨୯୪, ୩୪୧, ୩୭୯ ଓ ୩୪ ରେ କଣ୍ଟାବାଞ୍ଜି ଥାନା କେଶ ନଂ. ୨୨୩/୨୦୨୦ ରେ ଏକ ମାମଲା ରୁଜୁ ହୋଇଛି । ତେବେ ଏବେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା । ( ରିପୋର୍ଟ–ଏସ କେ ସମିମ୍‌)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଦୋକାନଗୃହ ଭାଙ୍ଗିବା ପଡ଼ିଲା ମହଙ୍ଗା : ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଟିଟିଲାଗଡ଼ ଉପ-ଜିଲ୍ଲାପାଳଙ୍କ ନାମରେ ରୁଜୁ ହେଲା ମାମଲା !