(୧୬/୮) କରୋନା ଭୂତାଣୁ ସଂକ୍ରମଣକୁ ରୋକିବାକୁ ସରକାର ଅନେକ ନିୟମ କରିଥିଲେ ବି ସ୍ଥଳ ବିଶେଷରେ ଏହା ଫେଲ୍ ମାରିଥିବା ମନେ ହୁଏ । ଉଦାହଣସ୍ୱରୂପ, ଆପଣ ଯଦି ବଲାଙ୍ଗୀରର କୌଣସି ସରକାରୀ ସଂସ୍ଥା ବା ସରକାରଙ୍କ ଦ୍ୱାରା ପରିଚାଳିତ କୌଣସି ବ୍ୟାଙ୍କକୁ ଯିବେ, ତେବେ ସେଠାରେ ଆପଣଙ୍କୁ ଅନେକ ନିୟମ ମାନିବାକୁ ପଡ଼ିବ । ଆବଶ୍ୟକ ସାମାଜିକ ଦୂରତାରେ ରହି କାମ କରିବାକୁ ପଡ଼ିବ । ପୂର୍ବରୁ ଏହି ସାମାଜିକ ଦୂରତା ୧ ମିଟର ବୋଲି କୁହାଯାଉଥିଲେ ବି ଏବେ ଏହା ୨ ମିଟର ବୋଲି ସରକାର ଧାର୍ଯ୍ୟ କରିଛନ୍ତି । କିନ୍ତୁ ବଲାଙ୍ଗୀର ସହରରେ ଥିବା କେତେକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାକୁ ଗଲେ, ସେଠି ଏହି ନିୟମକୁ କେହି ମାନୁଥିବା ଦେଖିଲେ ବିଶ୍ୱାସ କରି ହେବ ନାହିଁ । ଏଠି ଦିଆ ହେଇଥିବା ଦୁଇଟି ଫଟୋରେ ତିନି ଜଣ ଗ୍ରାହକ ଏକା ସାଙ୍ଗରେ ଷ୍ଟିଲ୍ ଚୌକିରେ ବସିଥିବାବେଳେ ପଇସା ଜମା କରିବା କାଉଣ୍ଟରରେ ମଧ୍ୟ ଏକା ସାଙ୍ଗରେ ତିନି ଜଣ ଠିଆ ହେଇଥିବା ଦେଖିବାକୁ ମିଳୁଛି । ତେବେ ପ୍ରକୃତରେ ଏହା ପ୍ରଶାସନର ଅବହେଳା କି ସଂସ୍ଥାର ଅବହେଳା ତାହା ବୁଝିବା ଟିକିଏ ମୁସ୍କିଲ୍! ଏମିତି ଦୃଶ୍ୟ ଦେଖିଲେ ଯିଏ ହେଲେ କ’ଣ କହିବନି ଯେ, ଏଠାରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାକୁ କରୋନା ନିଜେ ଡରୁଛି, ହେଲେ ସରକାରୀ ସଂସ୍ଥାକୁ ଖୁବ ଡରାଉଛି ବୋଲି ? ଏମିତିରେ ଜିଲ୍ଲାରେ ଦିନକୁ ଦିନ ଶହଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ କ’ଣ ଆଶ୍ଚର୍ଯ୍ୟ ଲାଗିବ କି! କାଉଣ୍ଟର ସାମ୍ନାରେ ଚୌକି ରଖି ସାମାଜିକ ଦୂରତା ବଜାୟ ରଖିବା ଦ୍ୱାରା କାଉଣ୍ଟର ଭିତରେ ଥିବା ସଂସ୍ଥାର କର୍ମଚାରୀ ସିନା ସୁରକ୍ଷିତ, କିନ୍ତୁ ଗ୍ରାହକ ପାଖାପାଖି ଠିଆ ହେଲେ ସେମାନେ କ’ଣ ସୁରକ୍ଷିତ ? ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୁଏ ।
କରୋନା ଡରୁଛି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାକୁ, ହେଲେ ଡରାଉଛି ସରକାରୀ ସଂସ୍ଥାକୁ !
