(୨୮/୧୦) ଗତ ୨୫ ତାରିଖ ‘କରୋନା କାଳରେ ଥକି ପଡ଼ିନି ଆକାଶବାଣୀ ବଲାଙ୍ଗୀର’ ଶୀର୍ଷକରେ ରାଜ୍ୟର ଏକ ପ୍ରମୁଖ ଦୈନିକ ଖବରକାଗଜରେ ପ୍ରକାଶିତ ସମ୍ବାଦଟି ଉଦ୍ଦେଶ୍ୟ ପ୍ରଣୋଦିତ ଓ ଏହା ନିନ୍ଦନୀୟ ! ସୂଚନାଯୋଗ୍ୟ ଯେ, ‘ନବୋଦୟ’ ର ୨୩ ତାରିଖ ଦିନ ଆକାଶବାଣୀର ଏହି କେନ୍ଦ୍ରରେ ଦୀର୍ଘ ଗୋଟିଏ ମାସ ହେଲା ନିୟମିତ କାର୍ଯ୍ୟକ୍ରମ ପ୍ରସ୍ତୁତ କରା ଯାଉଥିବା ବନ୍ଦ ଥିବାରୁ ‘ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ବନ୍ଦ ହେବା ସ୍ଥିତିରେ : ସ୍ଥାନୀୟ ଗଣମାଧ୍ୟମ ଓ ସଂଗଠନ ନୀରବ’ ଶୀର୍ଷକ ଏକ ସମ୍ବାଦଟି ପ୍ରକାଶ ପାଇଥିଲା । ତେବେ ଏହି ସମ୍ବାଦଟି ଭିତ୍ତିହୀନ ଓ ଆକାଶବାଣୀ ସ୍ୱାଭାବିକ ଭାବେ ଚାଲିଛି ବୋଲି ଲୋକଙ୍କୁ ଦର୍ଶାଇବାକୁୁ ସଂପୃକ୍ତ ଖବରକାଗଜ ତଥା ସ୍ଥାନୀୟ ଆକାଶବାଣୀ କେନ୍ଦ୍ର ତରଫରୁ ଏହିି ହୀନ ଉଦ୍ୟମ କରାଯାଇଥିଲା ବୋଲି କଣ କୁହାଯିବ ନାହିଁ? ଏହାକୁ ନେଇ ଉକ୍ତ ଖବରକାଗଜର ଜିଲ୍ଲା ତଥା ସ୍ଥାନୀୟ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି ସେମାନେ ସେଥିପ୍ରତି ଆଖି ବୁଜି ଦେଇ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ଆଦୌ ଗୁରୁତ୍ୱ ନ ଦେଇ ଆକାଶବାଣୀର ଗୁଣ ଗାନ କରିଥିଲେ । ଆକାଶବାଣୀ ବଲାଙ୍ଗୀରରୁ କେବଳ ଶନିବାର ଦିନକୁ ଛାଡ଼ି ପ୍ରତ୍ୟହ ସନ୍ଧ୍ୟା ୭ ଟା ୩୦ ମିନିଟରେ ନିୟମିତ ଭାବେ ନୂଆ ନୂଆ କାର୍ଯ୍ୟକ୍ରମ ପ୍ରସାରଣ ହୋଇଥାଏ । ଏହା ବାଦ୍ ସପ୍ତାହକୁ ତିନି ଦିନ ଲେଖାଏଁ ଯୁବବାଣୀ ଓ ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ ଅଧ ଘଣ୍ଟା ଲେଖାଏଁ ପ୍ରସାରଣ ହୋଇଥାଏ, ଯାହାକି ଗତ ସେପ୍ଟେମ୍ବର ତୃତୀୟ ସପ୍ତାହରୁ ପ୍ରସ୍ତୁତି ବନ୍ଦ ରହିଛି ଓ କେବଳ ପୁରୁଣା କାର୍ଯ୍ୟକ୍ରମର ପୁନଃପ୍ରସାରଣ ଚାଲିଛି । କେବଳ ଦଶହରା ଉପଲକ୍ଷେ ନୂଆ ଭାବେ ପ୍ରସ୍ତୁତ ହାତ ଗଣତି ଚାରି-ପାଂଚଟି ସାଂସ୍କୃତିକ କାର୍ଯ୍ୟକ୍ରମ ଏ ଭିତରେ ପ୍ରସାରଣ ହୋଇଛି । ତେବେ ମାସକୁ ପ୍ରାୟ ୫୦ ଟି ନୂଆ କାର୍ଯ୍ୟକ୍ରମ କିଶାନବାଣୀ, ଯୁବବାଣୀ ଓ ଗୃହଲକ୍ଷ୍ମୀ ବିଭାଗରେ ପ୍ରସ୍ତୁତ ହେଉଥିବାବେଳେ ଏହାକୁ ନେଇ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ ନ କରି ଦଶହରା ଉପଲକ୍ଷେ ପ୍ରସ୍ତୁତ ହାତ ଗଣତି କେଇଟା କାର୍ଯ୍ୟକ୍ରମ ପାଇଁ ଆକାଶବାଣୀର ପ୍ରଶଂସା କରିବାକୁ ଖବରକାଗଜ ସଂସ୍ଥାଟି ଶ୍ରେୟ ମନେ କଲା କେମିତି? ଏହାକୁ କ’ଣ କାମଳ ସାମ୍ବାଦିକତା ବୋଲି କେହି କହିବ ନାହିଁ? କେବଳ ଏହି ଖବରକାଗଜ ନୁହେଁ, ଆକାଶବାଣୀ ସହ ଓତଃପ୍ରୋତ ଭାବେ ଜଡ଼ିତ ଏକାଧିକ ଗଣମାଧ୍ୟମ ପ୍ରତିନିଧି ଅଛନ୍ତି, ଯେଉଁମାନେ ଆକାଶବାଣୀର ବିରୁଦ୍ଧରେ କିଛି ଖବର ପ୍ରକାଶ କରିଦେଲେ ବୋଧହୁଏ ସେମାନଙ୍କୁ ଆଉ ଏଠି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ମିଳିବନି ବୋଲି ଭୟରେ ଆକାଶବାଣୀରେ ଯାହା ଅନିୟମିତତା ହେଉଥିଲେ ବି ବୋଲକରା ପ୍ରତିନିଧି ଭାବେ ସେମାନେ ଚୁପ୍ ରହିଥାନ୍ତି । ତେବେ ଗଣମାଧ୍ୟମ ପ୍ରତିନିଧିଙ୍କ ଏପରି ମନୋଭାବ ପାଇଁ ଆମ ଅଂଚଳ ଆଜି ପଡ଼ୋଶୀ ଜିଲ୍ଲାମାନଙ୍କଠାରୁ ବି ଅନେକ କ୍ଷେତ୍ରରେ ପଛରେ ପଡ଼ିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏପରି ଗଣମାଧ୍ୟମ ବା ଖବରକାଗଜକୁ ସ୍ଥାନୀୟ ଲୋକ ଭରସା କରି ଚାଲିଲେ ଏହି ଆକାଶବାଣୀ କେନ୍ଦ୍ର ସମେତ ଅନ୍ୟାନ୍ୟ ସରକାରୀ ସଂସ୍ଥା ଏଠାରୁ ଯେ ଦିନେ ବନ୍ଦ ନ ହେବ, ତାହା କିଏ ବାଃ କହିପାରିବ !
ରାଜ୍ୟର ପ୍ରମୁଖ ଦୈନିକ ଖବରକାଗଜ ଦ୍ୱାରା ଆକାଶବାଣୀ ବଲାଙ୍ଗୀରର ଚାଟୁକାରିତା ଉଦ୍ଦେଶ୍ୟ ପ୍ରଣୋଦିତ ଓ ନିନ୍ଦନୀୟ !
