ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମର ଗୁମର ଫିଟୁଛି, ଓଟିଭିର ଆଭିମୁଖ୍ୟ ନେଇ ସନ୍ଦେହ !


(୦୯/୯) ଭୁବନେଶ୍ୱରରେ ଏକ ନାବାଳିକା ଝିଅକୁ ଗଣଦୁଷ୍କର୍ମ ହେବା ଘଟଣା ପଛର ଗୁମର ଧିରେଧିରେ ଫିଟିବାରେ ଲାଗିଛି । ଏଥିରେ ଓଡ଼ିଆ ଟେଲିଭିଜନ ଚ୍ୟାନେଲର ଆଭିମୁଖ୍ୟ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଓଟିଭି ପକ୍ଷରୁ ‘ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ: ବ୍ଲାକମେଲ୍ କରି ଟଙ୍କା ଆଦାୟ ଥିଲା ଉଦ୍ଦେଶ୍ୟ!’ ଶୀର୍ଷକରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଗଣଦୁଷ୍କର୍ମର ଶୀକାର ହୋଇଥିବା ନାବାଳିକାଙ୍କ ମାଆଙ୍କ ଓଟିଭିରେ ଠିକା କର୍ମଚାରୀ ଭାବରେ କାମ କରୁଥିଲେ । ହେଲେ ୬ ମାସିଆ ଠିକା ଅବଧି ପୂରିବାକୁ ଆଉ ୨ ମାସ ବାକି ଥିବାବେଳେ ସେ ଏଭଳି ଅଭିଯୋଗ ଆଣିଥିଲେ । ଏହାପରେ ଓଟିଭି ଏହି ଘଟଣାଟିକୁ ଅତି ଗମ୍ଭୀରତାର ସହ ନେଇ ତଦନ୍ତ କରିଥିଲା । ତଦନ୍ତରେ ସଂପୃକ୍ତ ମହିଳା ଆଦୌ ସହଯୋଗ କରି ନଥିଲେ, ଏପରିକି ତାଙ୍କୁ ବାରମ୍ବାର ଚିଠି ଦେବାକୁ ଉଦ୍ୟମ କରାଯାଇଥିଲେ ବି ତଦନ୍ତ କମିଟି ଆଗରେ ସେ ହାଜର ହୋଇ ନଥିଲେ । ଏହାପରେ ତଦନ୍ତ କମିଟିର ମୁଖ୍ୟ ଥିବା ବରିଷ୍ଠ ମହିଳା ଅଧିକାରୀ ଜଣକ ଘଟଣା ସମ୍ପର୍କରେ ଥାନାରେ ଏତଲା ଦେବାକୁ ବି ପରାମର୍ଶ ଦେଇଥିଲେ । କମିଟିର ତଦନ୍ତରୁ ମହିଳା ଜଣକ ଆଣିଥିବା ଅଭିଯୋଗର କୌଣସି ଆଧାର ନଥିବା ଜଣାପଡ଼ିଥିଲା ବୋଲି ଏହି ରିପୋର୍ଟରେ ଓଟିଭି ପକ୍ଷରୁ ପ୍ରକାଶ କରାଯାଇଛି । ତେବେ ଓଟିଭିର ଏହି ସଫେଇକୁ ନେଇ ସନ୍ଦେହ ଉପୁଜିଛି । ଓଟିଭି ପକ୍ଷରୁ ଦିଆଯାଇଥିବା ଏହି ରିପୋର୍ଟରେ କେତୋଟି କଥା ସାର୍ବଜନୀନ ହୋଇଯାଇଛି । ନାବାଳିକା ଗଣଦୁଷ୍କର୍ମର ଅଭିଯୁକ୍ତମାନେ ଓଟିଭି କର୍ମଚାରୀ ଓ ସଂସ୍ଥା ଏକଥା ପୂର୍ବରୁ ଜାଣିଥିଲା । ଅପରପକ୍ଷରେ ପୀଡ଼ିତାଙ୍କ ୪୪ ବର୍ଷ ବୟସ୍କ ବିଧବା ମାଆଙ୍କ ଅଭିଯୋଗ ସଙ୍ଗୀନ । ସେ ଡ୍ୟୁଟିକୁ ଯିବା ସମୟରେ ଘରେ ତାଙ୍କ ନାବାଳିକା ୧୩ ବର୍ଷର ଝିଅ ଏକୁଟିଆ ଥିବାର ସୁଯୋଗ ନେଇ ଓଟିଭିର ଦୁଇଜଣ କର୍ମଚାରୀ, ଦୁଇଜଣ ସୁରକ୍ଷାକର୍ମୀ ଓ ରାରକେଲାର ଜଣେ ପୋଲିସ ସାଙ୍ଗ ସମେତ ୭ ଜଣ ୧୫ ଦିନ ଧରି ନାବାଳିକା ଝିଅକୁ ଗଣଦୁଷ୍କର୍ମ କରିଥିଲେ । ଘଟଣା ସମ୍ପର୍କରେ ଓଟିଭିର ପରିଚାଳିନା ନିର୍ଦ୍ଦେଶିକା ଜାଗୀ ମଙ୍ଗତ ପଣ୍ଡାଙ୍କୁ ଭେଟିବାକୁ ସେ ବାରମ୍ବାର ଉଦ୍ୟମ କରିଥିଲେ ବି ଶ୍ରୀମତୀ ପଣ୍ଡାଙ୍କ ସହ ଭେଟ ହୋଇପାରି ନଥିଲା । ବରଂ ମାମଲାଟିକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିଲା, ତେଣୁ ଶେଷରେ ସେ ବାଧ୍ୟ ହୋଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି ବୋଲି ପ୍ରକାଶ କରିଥିବା ଜଣାପଡ଼ିଛି । ତେବେ କିଏ ସତ, କିଏ ମିଛ କହୁଛି ପୋଲିସ ତଦନ୍ତ ପରେ ତାହା ଜଣାପଡ଼ିବ । ଯଦି ପୀଡ଼ିତାଙ୍କ ମାଆ ମିଛ କହୁଥାନ୍ତି, ତେବେ ନିଜ ଝିଅର ଇଜ୍ଜତକୁ ପଦାରେ ପକାଇବା ସହ ମିଥ୍ୟା ତଥ୍ୟ ଦେଇଥିବାରୁ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବା କଥା । ଯଦି ଓଟିଭିର କର୍ମଚାରୀ ପ୍ରକୃତରେ ନାବାଳିକା ଝିଅ ସହ ଗଣଦୁଷ୍କର୍ମ କରିଛନ୍ତି ଓ ଓଟିଭି ପକ୍ଷରୁ ଘଟଣାଟିକୁ ଚପାଇ ଦେବାକୁ ଉଦ୍ୟମ ହୋଇଛି, ତେବେ ଅଭିଯୁକ୍ତଙ୍କ ସମେତ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ମଧ୍ୟ ପୋଲିସ ପକ୍ଷଭୁକ୍ତ କରି ଆଇନାନୁଯାୟୀ ଦଣ୍ଡ ମିଳିବା କଥା ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମର ଗୁମର ଫିଟୁଛି, ଓଟିଭିର ଆଭିମୁଖ୍ୟ ନେଇ ସନ୍ଦେହ !