(୧୧/୬) ସୁବର୍ଣ୍ଠପୁର ଜିଲ୍ଲା ଡୁଙ୍ଗୁରୀପାଲି ବ୍ଲକ ଅନ୍ତର୍ଗତ ଅନ୍ଧାରିବାଞ୍ଜି ପଂଚାୟତରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ଜିଲ୍ଲାପାଳ କ୍ଷମତାପ୍ରାପ୍ତ ସରପଂଚ ବନମାଳୀ ସା ୧୮ ବର୍ଷ ବୟସ୍କା ଜଣେ ଯୁବତୀଙ୍କୁ ଅସଦାଚରଣ ମାମଲାରେ ଗତକାଲି ସୁବର୍ଣ୍ଣପୁର ପୋଲିସ୍୍ ଭୁବନେଶ୍ୱରରୁ ଗିରଫ କରିଛି । ବୁଧବାର ଗିରଫ ଅଭିଯୁକ୍ତ ବନମାଳୀ ସାଙ୍କୁ ବିନିକା ଜେଏମଏଫ୍ସି କୋର୍ଟରେ ହାଜର କରାଯାଇଥିଲା, ତେବେ କୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇ ଯିବାରୁ ତାଙ୍କୁ ସୋନପୁର ଜେଲ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ସରପଂଚକୁ ଧରିବା ପାଇଁ ଏସ୍ପି ଦେବୀ ପ୍ରସାଦ ଦାଶ ଏକ ଟିମ ଗଠନ କରିଥିଲେ । ସୋନପୁର ଆଇଆଇସି ଲୋକେଶ କୁମାର ସାହୁଙ୍କ ନେତୃତ୍ୱରେ ଗଠିତ ଏକ ପୋଲିସ୍ ଟିମ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ସରପଂଚ ବନମାଳୀଙ୍କୁ ଭୁବନେଶ୍ୱରସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରୁୁ ଗିରଫ କରିଥିଲେ ।
ଡୁଙ୍ଗୁରୀପାଲି ବ୍ଲକ କୁଲୁଥପାଲି ଗ୍ରାମର ଜନୈକା ଯୁବତୀ କୋଇମ୍ବାଟୁରର ଏକ ସୂତାକଳରେ କାମ କରୁଥିଲେ । ତେବେ ଲକଡାଉନ୍ ଯୋଗୁଁ ସେ ଜୁନ ୧ ତାରିଖରେ ଗାଁକୁ ଫେରିବାରୁ ତାଙ୍କୁୁ ଅନ୍ଧାରିବାଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁୁ ପଡ଼ିଲା । ଏହି ସମୟରେ ସରପଂଚ ବନମାଳି ଏହି କେନ୍ଦ୍ରକୁ ବିଭିନ୍ନ ସମୟରେ ଆସି ଜନୈକା ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ କରିଥିଲେ । ଯୁବତୀଙ୍କ ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବାରୁ ‘ଭୀମ ଆର୍ମି’ ର କର୍ମକତ୍ତାଙ୍କ ହସ୍ତକ୍ଷେପ ପରେ ଥାନାକୁ ମାମଲା ଯାଇଥିଲା । ଗୋଟିଏ ଦିନ ଭିତରେ ଅଭିଯୁକ୍ତକୁ ଗିରଫ କରିବାକୁୁ ଆଇଆଇସି ପ୍ରତିଶୃତି ଦେଇଥିଲେ ବି ତାହା ନ ହେବାରୁ ମଙ୍ଗଳବାର ଦିନ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାତି ସୁଦ୍ଧା ଗିରଫ କରାଯିବ ବୋଲି ଏସଡିପିଓଙ୍କ ପ୍ରତିଶୃତି ପରେ ‘ଭୀମ ଆର୍ମି’ର ସଦସ୍ୟଗଣ ବିକ୍ଷୋଭରୁ ଓହରିଥିଲେ । ତେବେ ସେହି ରାତିରେ ହିଁ ସରପଂଚ ବନମାଳୀଙ୍କୁ ପୋଲିସ ଗିରଫ କରିଛି । ସରକାର ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବାରୁ କେତେକ ସରପଂଚ ଏହାର କିପରି ବିନିଯୋଗ କରୁଛନ୍ତି, ସେ ଭିତରୁ ଏହା ଏକ ଉଦାହରଣ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି ।
କ୍ୱାରେଣ୍ଟାଇନ ସେଣ୍ଟରରେ ଦଳିତ ଯୁବତୀଙ୍କୁୁ ଅସଦାଚରଣ ମାମଲାରେ ଜିଲ୍ଲାପାଳ ଗିରଫ!
