(୧୨/୭) ଗତ ୧୦ ତାରିଖ ଦିନ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲା ଅନ୍ତର୍ଗତ ଭାଟପର ଗାଁରେ ରହୁଥିବା ଖ୍ରୀଷ୍ଟିୟାନ ପାଦ୍ରୀ ପାଷ୍ଟର ମୁନସୀ ଦେଓ ତାଣ୍ଡଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ସୂଚନାନୁସାରେ, ପାଷ୍ଟର ମୁନସୀ ଦେଓ ଗତ ୧୦ ତାରିଖ(ଶୁକ୍ରବାର) ଦିନ ୪ ଟା ସମୟରେ ଏକ ଉପବାସ ପ୍ରାର୍ଥନା ସଭା ଚଳାଉଥିଲେ, ଯାହା କି ସନ୍ଧ୍ୟା ୫ ଟା ୩୦ ରେ ସେ ସାରି ଦେଇଥିଲେ । ନକ୍ସଲମାନଙ୍କ ଶୈଳୀରେ ଦଳେ ଲୋକ ତାଙ୍କ ଘରକୁ ଆସି ତୁରନ୍ତ ତାଙ୍କ ହାତ ଦୁଇଟିକୁ ବାନ୍ଧି ଦେଇ ତାଙ୍କୁ ଅଧ କିଲୋମିଟର ଦୂରଯାଏଁ ନେଇ ସେଠାରେ ତାଙ୍କୁ ଗୁଳି କରି ମାରିଦେଲେ । ଉକ୍ତ ଦଳରେ ୩ ଜଣ ମହିଳାଙ୍କ ସମେତ ମୋଟ ୬ ଜଣ ଲୋକ ଥିବା ସେଠିକାର ଅନ୍ୟ ଜଣେ ପାଦ୍ରୀ ପାଷ୍ଟର ବିଜୟ କୁମାର ସୂଚନା ଦେଇଛନ୍ତି । ତାଙ୍କ ମୃତ ଦେହକୁ ସେଠାରୁ ଉଦ୍ଧାର କରାଯାଇଥିବା ସେ ଗଣମାଧ୍ୟମକୁ ଜଣାଇଛନ୍ତି । ତାଙ୍କ କହିବାନୁଯାୟୀ ସେହି ଗାଁର କେତେକ ଲୋକ ଖ୍ରୀଷ୍ଟିୟାନ ଧର୍ମରେ ବିଶ୍ୱାସ କରୁଥିବାରୁ ତାଙ୍କୁ ଅନେକ ପ୍ରକାର ତାଡ଼ନା ଦେଉଥିଲେ । ପାଷ୍ଟର ମୁନସୀ ଦେଓଙ୍କର ଏବେ ତାଙ୍କ ସ୍ତ୍ରୀ ଓ ୩ ଜଣ ଛୋଟ ଛୁଆ ଅଛନ୍ତି ଓ ସେମାନେ ମଧ୍ୟ ଆତଙ୍କିତ ଅବସ୍ଥାରେ ସେଠି ଥିବା ଜଣା ପଡ଼ିଛି । ସୂଚନାଯୋଗ୍ୟ ଯେ, ଦେଶରେ ଏହି ହତ୍ୟା ଘଟଣାକୁ ମିଶାଇ ଏଇ ଗୋଟିଏ ମାସ ଭିତରେ ୩ ଜଣ ଖ୍ରୀଷ୍ଟିୟାନଙ୍କୁୁ ହତ୍ୟା କରାଗଲାଣି । କିଛି ଦିନ ପୂର୍ବରୁ ତିନି ବର୍ଷ ଧରି ଖ୍ରୀଷ୍ଟିୟାନ ଧର୍ମ ଗ୍ର୍ହଣ କରିଥିବା ଓଡ଼ିଶାର ମାଲକାନଗିରି ଜିଲ୍ଲାର କେନ୍ଦୁଗୁଡ଼ା ଗାଁର ୧୪ ବର୍ଷର ନାବାଳକ ସମାରୁ ମାଡ଼କାମୀଙ୍କୁ ମଧ୍ୟ କେତେକ ଧର୍ମାନ୍ଧ ବ୍ୟକ୍ତି ଘରୁ ବଳପୂର୍ବକ ନେଇ ଯାଇ ସେହିପରି ହତ୍ୟା କରିଥିଲେ । ତାପରେ ଚାରି ବର୍ଷ ହେଲା ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିଥିବା ଝାରଖଣ୍ଡ ରାଜ୍ୟର ଖୁଣ୍ଟି ଅଂଚଳର ବରୀ ଗାଁର କାନ୍ଦେ ମୁଡୁ ନାମକ ଜଣେ ୨୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଘରଦ୍ୱାର ଭାଙ୍ଗି ତାଙ୍କ ଉପରେ ଆକ୍ରମଣ କରି ତାଙ୍କ ଗଳା ଚିପି କେତେକ ଧର୍ମାନ୍ଧ ବ୍ୟକ୍ତି ହତ୍ୟା କରିଥିବା ଜଣା ପଡ଼ିଥିଲା ।
ଏହି ଦିଗରେ କାର୍ଯ୍ୟ କରୁଥିବା ‘ପର୍ସିକ୍ୟୁସନ ରିଲିଫ୍’ ନାମକ ଏକ ସଂସ୍ଥାର ତଥ୍ୟ ଅନୁଯାୟୀ ୨୦୧୬ ମସିହାରୁ ଏଯାଏଁ ଭାରତରେ ଖ୍ରୀଷ୍ଟିୟାନ ମାନଙ୍କ ପ୍ରତି ୨୦୬୭ ଟି ହିଂସାତ୍ମକ ଘଟଣା ଘଟି ସାରିଲାଣି । ଆମେରିକାର ଆୟୋଗ-‘ଇଣ୍ଟରନେସନାଲ ରିଲିଜିଅସ୍ ଫ୍ରିଡମ’ ଭାରତକୁ ସର୍ବାଧିକ ଧର୍ମବିଶ୍ୱାସ ଜନିତ ତାଡ଼ନା ହେଉଥିବା ଦେଶର ତାଲିକାରେ ପ୍ରଥମ ନମ୍ବରରେ ରଖିଛି ।
ମହାରାଷ୍ଟ୍ରରେ ଖ୍ରୀଷ୍ଟିୟାନ ପାଷ୍ଟରକୁ ଗୁଳି କରି ହତ୍ୟା
