(୧୨/୧୦) ରାଜ୍ୟର ବହୁ ଆଇଏଏସ୍, ଆଇପିଏସ୍ ସମେତ ବହୁ ହାଇ ପ୍ରୋଫାଇଲ ନେତାଙ୍କ ନାମରେ ମିଥ୍ୟା ଆକାଉଣ୍ଟ ଖୋଲା ଯାଇଥିବା ଜଣାପଡ଼ିଛି । ଏଥିପାଇଁ ଜନସାଧାରଣ ଆଗରୁ ସାବଧାନ ନ ହେଲେ ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଛି । ରାଜ୍ୟ ଗୁଇନ୍ଦା ବିଭାଗ ଡିଆଇଜି ଅନୁପ କୁମାର ସାହୁ ମଧ୍ୟ ଏହାର ଶୀକାର ହୋଇଛନ୍ତି । ଗତକାଲି ସେ ତାଙ୍କର ଏକ ମିଥ୍ୟା ଆକାଉଣ୍ଟ ଫେସବୁକ୍ରେ ଖୋଲା ଯାଇଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ସଙ୍ଗେସଙ୍ଗେ ତାଙ୍କ ନିଜର ଫେସବୁକ ଆକାଉଣ୍ଟରୁ ଏକ ପୋଷ୍ଟ କରି ଲୋକଙ୍କୁ ସାବଧାନ ରହିବାକୁ କହିଥିଲେ । ସେହି ମିଥ୍ୟା ଆକାଉଣ୍ଟକୁ ତାଙ୍କର ଜଣେ ବନ୍ଧୁ ସଙ୍ଗେସଙ୍ଗେ ଫେସବୁକକୁ ରିପୋର୍ଟ କରିବାରୁ ତାହାକୁ ଫେସବୁକ ତରଫରୁ ବ୍ଲକ୍ କରି ଦିଆଯାଇଥିବା ସେ ଗଣମାଧ୍ୟମକୁ କହିଛନ୍ତି । ଗତ ବର୍ଷେ ଦେଢ଼ ବର୍ଷ ମଧ୍ୟରେ ସୋସିଏଲ୍ ମିଡିଆରେ ଅନେକ ଆଇଏଏସ୍୍ ଓ ଆଇପିଏସ୍ ଅଧିକାରୀଙ୍କ ମିଥ୍ୟା ଆକାଉଣ୍ଟ ଖୋଲା ଯାଇଥିବା ଜଣାପଡ଼ିଛି । ବରଗଡ଼ ଜିଲ୍ଲାପାଳ ଜ୍ୟୋତିଃ ରଞ୍ଜନ ପ୍ରଧାନ, ଏସ୍ପି ପଦ୍ମିନି ସାହୁ, ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପୱନ, ରେଳବାଇ ପୋଲିସ୍ର ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କ ନାମରେ ମଧ୍ୟ ମିଥ୍ୟା ଆକାଉଣ୍ଟ ଖୋଲା ଯାଇଛି । ତେବେ ଏ ସମ୍ପର୍କରେ ଅଭିଯୋଗ ହେବାରୁ ପୋଲିସ୍ କେତେଜଣଙ୍କୁ ଗିରଫ ମଧ୍ୟ କରିଛି । ସାଇବର୍ ଅପରାଧୀ ଗୋଷ୍ଠୀର ଲୋକେ ଏପରି ମିଥ୍ୟା ଆକାଉଣ୍ଟ ଖୋଲି ଏହି ବରିଷ୍ଠ ଅଧିକାରୀଙ୍କ ନାମରେ ଅନେକ ସାହାଯ୍ୟ ଓ ଅର୍ଥ ହାତେଉଥିବା ଜଣାପଡ଼ିଛି । ଏଣୁ ସୋସିଏଲ ମିଡିଆରେ ଅଜଣା ଲୋକଙ୍କ ସହ ବନ୍ଧୁତା କରିବା ପୂର୍ବରୁ ତାଙ୍କୁ ଭଲରେ ପରଖିବାକୁ ସାବଧାନ କରାଯାଇଛି
ଜନସାଧାରଣ ସାବଧାନ୍ : ରାଜ୍ୟର ବହୁ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କ ନାମରେ ସୋସିଏଲ ମିଡିଆରେ ମିଥ୍ୟା ଆକାଉଣ୍ଟ !
