(୨୦/୮) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବନ୍ଧଗୁଡ଼ା ଗ୍ରାମ ନିକଟରେ ଥିବା ଏକ ମକାବାଡ଼ ରୁ ଏକ ମୃତ ଭାଲୁର ଶବ କୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଗ୍ରାମର କିଛି ବ୍ୟକ୍ତି ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ର ମୃତ ଦେହ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ।ଏନେଇ ଗ୍ରାମବାସୀ ବନବିଭାଗ କୁ ଖବର ଦେବାରୁ ଘଟଣା ସ୍ଥଳରେ ମୈଦଲପୁର ବନବିଭାଗ କର୍ମଚାରୀ ଉମାକାନ୍ତ ପଟ୍ଟନାୟକ ଙ୍କ ନେତୃତ୍ୱରେ ଏକ ବନ ବିଭାଗ ଦଳ ପହଞ୍ଚି ଗ୍ରାମବାସୀ ଙ୍କ ସାହାଯ୍ୟରେ ମୃତ ଭାଲୁର ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ।ଭାଲୁର ଆନୁମାନିକ ବୟସ ପ୍ରାୟ ୮ବର୍ଷ ହେବ ବୋଲି ବନବିଭାଗ କର୍ମଚାରୀ କହିଛନ୍ତି।ବର୍ତ୍ତମାନ ଭାଲୁ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଖାଦ୍ୟ ଅଭାବରୁ ଭାଲୁ ମୃତ୍ୟୁ ବରଣ କରିଥିବା ଗ୍ରାମବାସୀ କହିଛନ୍ତି। ଗତ ଦୁଇଦିନ ତଳେ ମଧ୍ୟ ତେନ୍ତୁଳିଖୁଣ୍ଟି ବ୍ଲକ ର ଉଦୟ ପୁର,ଇଚ୍ଛାପୁର, ଚରାମୂଳା ରେ ଭାଲୁ ମାନେ ଖାଦ୍ୟାଭାବ ରୁ ଗାଁ ମୁହାଁ ହୋଇ ଘରଘର ପଶୁଥିବା ଅଭିଯୋଗ ହେଇଥିଲା। ମୃତ ଭାଲୁର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ ର କାରଣ ଜଣାପଡ଼ିବ ବୋଲି ବନବିଭାଗ କର୍ମଚାରୀ ପ୍ରକାଶ କରିଛନ୍ତି।ମୃତ ଭାଲୁକୁ ଦେଖିବାକୁ ଝିପିଝିପି ବର୍ଷାରେ ମଧ୍ୟ ଆଖପାଖ ଅଞ୍ଚଳର ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।ତେବେ ଭାଲୁ ମାନେ ଗାଁ ମୁହାଁ ହେଇଥିବାରୁ ଲୋକଙ୍କ ମନରେ କକୁଆ ଭୟ ଦେଖା ଦେଇଛି।ଏନେଇ ବନ ବିଭାଗ କେତେ ସତର୍କତା ଅବଲମ୍ବନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। (ରିପୋର୍ଟ-ବାବୁଲି ଗଣ୍ଡ)
ଏବେ ଘରଘର ପଶୁଛନ୍ତି ଭାଲୁ : ମୃତ ଭାଲୁର ଶବ ଉଦ୍ଧାର କଲା ବନବିଭାଗ।
