(୧୯/୧୦) ଓଡିଭି ସାମ୍ବାଦିକ ରମେଶ ରଥଙ୍କୁ ପୋଲିସ୍ କିଛିଦିନ ପୂର୍ବେ ରାସ୍ତାରୁ ଉଠାଇ ନେବା ପରେ ଓଡ଼ିଶାର ବିଜେଡି ଓ ମହାରାଷ୍ଟ୍ର ସରକାର ଗଣମାଧ୍ୟମର ପ୍ରତିନିଧିଙ୍କୁ ପାକିସ୍ତାନ ପରି ବେଆଇନ ଭାବେ ଏପରି କରୁଛନ୍ତି ବୋଲି ରାଜ୍ୟସଭା ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମନ୍ତବ୍ୟ ଦେଇଛନ୍ତି । ଏହା ପ୍ରକୃତ ଫାଶିବାଦ, ତେଣୁ ଓଟିଭି ସାମ୍ବାଦିକ ଓ ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭିର ସାମ୍ବାଦିକ ପ୍ରଦୀପ ଭଣ୍ଡାରାଙ୍କ ମୁକ୍ତି ପାଇଁ ସ୍ୱର ଉତ୍ତୋଳନ କରିବାକୁ ସେ ତାଙ୍କର ସମର୍ଥକମାନଙ୍କୁ ଟ୍ୱିଟର ପେଜ୍ରେ ଆହ୍ୱାନ ଦେଇଛନ୍ତି । ଏହାକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ସମେତ ରାଜ୍ୟର ଅନ୍ୟାନ୍ୟ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ବିଜେଡିର ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଏହାର ବିରୋଧ କରି ଶ୍ରୀ ପଣ୍ଟାଙ୍କୁ ଏହି ରାଜ୍ୟର ଲୋକେ ଉଭୟ ଲୋକସଭା ଓ ରାଜ୍ୟସଭାକୁ ପଠାଇଥିବା କଥା ସେ ମନେ ପକାଇ ଦେଇଛନ୍ତି । ଏହା ପ୍ରତ୍ୟେକ ଓଡ଼ିଆ ଓ ଓଡ଼ିଆ ସଂସ୍କୃତି ପାଇଁ ପରିହାସ ବୋଲି ଡକ୍ଟର ପାତ୍ର ପ୍ରକାଶ କରିଛନ୍ତି । କଂଗ୍ରେସ ନେତା ତଥା କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ଉଲାକା ମଧ୍ୟ ଶ୍ରୀ ପଣ୍ଡାଙ୍କର ଏହି ମନ୍ତବ୍ୟକୁ ବିରୋଧ କରି ପ୍ରକାଶ କରିଛନ୍ତି ଯେ, ନା ତ ମୁମ୍ବେଇ କୌଣସି ପାକ୍ତିସ୍ତାନ ଅଧିକୃତ କାଶ୍ମିର ନା ଓଡ଼ିଶା କୌଣସି ପାକିସ୍ତାନ ଅଟେ । ଏହି ଘଟଣାକୁ ରାଜନୈତିକ ରୂପ ଦେଉ ଥିବାରୁ ସେ ଶ୍ରୀ ପଣ୍ଡାଙ୍କୁ ସମାଲୋଚନା କରିଛନ୍ତି । ରାଜନୈତିକ ବାଦବିବାଦ ଭିତରେ ବି ଆଇନ ଶୃଙ୍ଖଳା ବ୍ୟବସ୍ଥା ଅନୁସାରେ ତଦନ୍ତ ହେବା ଆବଶ୍ୟକ ବୋଲି ଶ୍ରୀ ଉଲାକା ପ୍ରକାଶ କରିଛନ୍ତି । ଏହାକୁ ନେଇ ଲୋକେ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କୁ ସୋସିଏଲ୍ ମିଡିଆରେ ଓଡ଼ିଶାର ଅର୍ଣ୍ଣବ ଗୋସ୍ୱାମୀଙ୍କ ଆବିର୍ଭାବ ବୋଲି ଚିତ୍ରଣ କରିବାକୁ ମଧ୍ୟ ପଛାଇ ନାହାନ୍ତି । ତେବେ କେନ୍ଦୁଝର ଲୋକସଭା ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଏକ ଭିଡିଓକୁ ଭାଇରାଲ୍ କରି ତାଙ୍କୁ ନିନ୍ଦିତ କରିଥିବା ଅଭିଯୋଗରେ ଓଟିଭି ସାମ୍ବାଦିକଙ୍କୁ ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି । ଗତ ଲୋକସଭା ନିର୍ବାଚନରେ ଓଟିଭି ସାମ୍ବାଦିକ ରମେଶ ମହାପାତ୍ର ତାଙ୍କର କେତେକ ସହଯୋଗୀଙ୍କ ସହ ମିଶି ସାଂସଦ ମୁର୍ମୁଙ୍କ ଏକ ଅଶ୍ଲିଳ ଭିଡିଓ ବନାଇ ଭାଇରାଲ୍ କରିଥିଲେ । ସାଂସଦ ମୁର୍ମୁ ନିଜେ ଏକ ଭିଡିଓ ବାର୍ତ୍ତାରେ ଅଭିଯୋଗ କରିଛନ୍ତି ଯେ ଏହି ଘଟଣା ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ହେବା ପରେ ଶ୍ରୀ ବୈଜୟନ୍ତ ପଣ୍ଡା ଓ ତାଙ୍କ ଚ୍ୟାନେଲ ପକ୍ଷରୁ ଏହାଦ୍ୱାରା ଗଣମାଧ୍ୟମର କଣ୍ଠରୋଧ କରାଯାଉଛି ବୋଲି ଲୋକଙ୍କୁ ଭୁଆଁ ବୁଲାଇ ରାଜ୍ୟ ସରକାରଙ୍କୁ ଦୋଷ ଦିଆଯାଉଛି । ଯଦି ସାଂସଦ ମୁର୍ମୁଙ୍କ ସ୍ଥାନରେ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ଝିଅର ଏମିତି ଫେକ୍ ଭିଡିଓ ବନାଇ ତାଙ୍କର ସମ୍ମାନ ହାନୀ କରାଯାଇଥାନ୍ତା, ତେବେ ସେ କଣ କରିଥାନ୍ତେ ବୋଲି ସାଂସଦ ମୁର୍ମୁ ପ୍ରଶ୍ନ କରିଛନ୍ତି । ତେବେ ରାଜ୍ୟର ଜଣେ ଆଦିବାସୀ ସମ୍ପ୍ରଦାୟର ଅବିବାହିତ ଝିଅ, ଯିଏ କି ସାଂସଦ ଥିଲେ ବି ତାଙ୍କର ଭିଡିଓ ଭାଏରାଲ କରିଥିବା ଅଭିଯୁକ୍ତମାନଙ୍କୁ ଯଦି ଶ୍ରୀ ପଣ୍ଡା ସଂରକ୍ଷଣ ଦେଉଛନ୍ତି, ତେବେ ସାଧାରଣ ଲୋକଙ୍କ ପ୍ରତି କଣ ହେଉ ନଥିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାଦ୍ୱାରା ରାଜ୍ୟର ପ୍ରମୁଖ ଟିଭି ଚ୍ୟାନେଲ୍ ଓଟିଭିର ଛବିରେ ମଧ୍ୟ ପ୍ରଭାବ ପଡ଼ିଥିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଲୋକେ କହିଛନ୍ତି ।
ଅର୍ଣ୍ଣବ ଗୋସ୍ୱାମୀଙ୍କ ରାସ୍ତାରେ ବୈଜୟନ୍ତ : ଓଡ଼ିଶାକୁ ପାକିସ୍ତାନ ବୋଲି କହିବାକୁ ବିରୋଧ କଲେ ରାଜ୍ୟର ପ୍ରମୁଖ ଦଳ !
