(୨୬/୯) ବିଶ୍ୱର ୬ ଷ୍ଠ ଧନୀ ବୋଲି କୁହାଯାଉଥିବା ‘ରିଲାୟନ୍ସ ଗୃପ’ ର ଅଧ୍ୟକ୍ଷ ଅନିଲ ଅମ୍ବାନିଙ୍କ ଆର୍ଥୀକ ସ୍ଥିତି ବର୍ତ୍ତମାନ ଠିକ ନାହିଁ । ଜାନୁୟାରୀ ମାସରୁ ଜୁନ ମାସ ଯାଏଁ ତାଙ୍କ ପାଖରେ ୯.୯ କୋଟି ଟଙ୍କାର ସୁନାଗହଣା ଥିଲା, କିନ୍ତୁ ଏବେ ତାଙ୍କ ପାଖରେ ଆଉ କିଛି ବି ନାହିଁ । ସାଧାରଣ ଜୀବନ ଯାପନ କରି କେବଳ ଗୋଟିଏ କାର୍ ଚଳାଉଛନ୍ତି, ଏପରିକି ସେ ନିଜ ସ୍ତ୍ରୀଙ୍କ ସୁନାଗହଣା ବିକି ତାଙ୍କ ଓକିଲଙ୍କ ଫି ଦେଇଛନ୍ତି ବୋଲି ଯୁକ୍ତରାଜ୍ୟର ଏକ କୋର୍ଟକୁ କହିଥିବା ଜଣାପଡ଼ିଛି । ୠଣ ପାଇଁ ଚୀନର ତିନୋଟି ବ୍ୟାଙ୍କ ସହ ହୋଇଥିବା ଚୁକ୍ତିକୁ ନେଇ ଉପୁଜି ଥିବା ବିବାଦରେ ସେ ଏପରି କହିଛନ୍ତି । ତାଙ୍କର ବିଶ୍ୱସାରା ଥିବା ସମ୍ପତ୍ତି ସମ୍ପର୍କରେ ମୁମ୍ବେରୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ହାଇକୋର୍ଟକୁ ଦେଇଥିବା ବୟାନରେ ସେ ଏପରି କହିଛନ୍ତି । ଅମ୍ବାନୀ ଲଣ୍ଡନର କୋର୍ଟକୁ କହିଛନ୍ତି ଯେ ସେ ଭାରି ଶୃଙ୍ଖଳିତ । ତାଙ୍କର ବିଳାସବ୍ୟସନ ଜୀବନ ଓ ମୋଟରଗାଡ଼ି ସମ୍ପର୍କରେ କୋର୍ଟ ପକ୍ଷରୁ ପଚରା ଯିବାରୁ ସେ କହିଥିଲେ ଯେ, ଏସବୁ ଗଣମାଧ୍ୟମର ମନଗଢ଼ା କାହାଣୀ । ଫେବୃୟାରୀ ୨୦୧୨ ରେ ପ୍ରାୟ ୯୨.୫ କୋଟି ଡଲାର ଋଣ ନେବାବେଳେ ଦେଇଥିବା ବ୍ୟକ୍ତିଗତ ଗ୍ୟାରେଣ୍ଟିର ଖିଲାପ ହୋଇଥିବା ଅଭିଯୋଗରେ ଏହି ମାମଲାର ବିଚାର ଚାଲିଛି । ତେବେ ୭୧.୭ କୋଟି ଡଲାର ଅନିଲ ଅମ୍ବାନୀ ବ୍ୟକ୍ତିଗତ ଗ୍ୟାରଣ୍ଟି ଦେଇ ଥିବାରୁ ସେ ତୁରନ୍ତ ଚୀନର ତିନୋଟି ବ୍ୟାଙ୍କକୁ ଅର୍ଥ ପରିଶୋଧ କରନ୍ତୁ ବୋଲି ଇଂଲଣ୍ଡ ହାଇକୋର୍ଟ ମଇ ମାସରେ ଆଦେଶ ଦେଇଛନ୍ତି ବୋଲି ‘ଦ ଟ୍ରିବ୍ୟନ୍’ ପ୍ରକାଶ କରିଛି । ତେବେ ଏହି ପ୍ରସଙ୍ଗକୁ ନେଇ ବର୍ତ୍ତମାନ ବିରୋଧି ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଯେଉଁ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସୁନାଗହଣା ବିକି ଓକିଲଙ୍କୁ ଫି ଦେଉଛି, ମୋଦୀ ସରକାର ସେପରି ଲୋକକୁ ୩୦,୦୦୦ କୋଟି ଟଙ୍କାର ରାଫେଲ୍ କିଣିବା ଠିକା କେମିତି ଦେଲେ ?
ଅନିଲ ଅମ୍ବାନୀଙ୍କ ଏବେ ଦୁର୍ଦ୍ଦିନ : ହାଇକୋର୍ଟକୁ କହିଲେ, ସ୍ତ୍ରୀଙ୍କ ସୁନାଗହଣା ବିକି ସେ ନିଜ ଓକିଲଙ୍କ ଫି ଦେଇଛନ୍ତି !
