(୦୩/୧୦) କଣ୍ଟାବାଞ୍ଜି ରକ୍ତଭଣ୍ଡାରରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଅଭିଯୋଗକାରୀ ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟରେ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ଜଣକ ଏହି ରକ୍ତଭଣ୍ଡାରରେ ପୂର୍ବରୁ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିଲେ । ରକ୍ତଭଣ୍ଡାରକୁୁ ଆସୁଥିବା ଗରିବ, ଖଟିଖିଆ ଓ ଦିନମଜୁରୀଆ ଲୋକଙ୍କଠୁ ସେ ବେଆଇନ୍ ଭାବେ ଅର୍ଥ ଆଦାୟ କରି ସରକାରଙ୍କୁ ବଦନାମ୍ କରିଥିଲେ ବୋଲି ଅଭିଯୋଗ ହୋଇଛି । ତୁରେକେଲା ବ୍ଲକ ଚଟୁଅନ୍କା ପଂଚାୟତ ବେହେରେନସିଟ୍ ଗାଁର ଏହି ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ୟୁଜର୍ସ ଫି ମାଗଣା ଥିବାବେଳେ ଉକ୍ତ ଟେକ୍ନିସିଆନ୍ ଜଣକ ଫେବୃୟାରୀ ୨୦୧୯ ରୁ ଜୁନ ୨୦୧୯ ଭିତରେ ପ୍ରାୟ ୭୦୦ ଲୋକଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରିଛନ୍ତି । ଏପରିକି ସେ ନକଲି ରସିଦ ବହି ଛପାଇ ଲୋକଙ୍କଠାରୁ ଟଙ୍କା ନେବା ସହ ଅଫିସ୍ର କିଣାବିକା କାର୍ଯ୍ୟରେ ସେ ବହିକୁ ବ୍ୟବହାର କରିଛନ୍ତି। ରକ୍ତଦାତାମାନଙ୍କ ପାଇଁ ଆସୁଥିବା ଖର୍ଚ୍ଚ ମଧ୍ୟ ସେ ହଡ଼ପ କରି ନକଲି କମ୍ପାନୀର ବିଲ୍ ଦେଇଥିବା ଅଭିଯୋଗ ହୋଇଛି । ଜୁଲାଇ ୨୦୧୯ ରେ ବଲାଙ୍ଗୀର ସିଡିଏମ୍ଓ ଯେତେବେଳେ ଅଚାନକ ଡାକ୍ତରଖାନା ପରିଦର୍ଶନରେ ଆସିଥିଲେ, ସେତେବେଳେ ଏହି ବିଷୟ ଅଭିଯୋଗ ହୋଇଥିଲା । ଏହାପରେ ସିଡିଏମ୍ଓ ସେତେବେଳର ମେଡିକାଲ୍ ଅଫିସର ଓ ଉକ୍ତ ଟେକ୍ନିସିଆନଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିବାର ସେ ଉଲ୍ଲେଖ କରିଛନ୍ତି । ହେଲେ ଦୀର୍ଘ ୧ ବର୍ଷରୁ ଅଧିକ ସମୟ ହେଲା ଏହି ଟଙ୍କା ଫେରସ୍ତ ନ ହେବାରୁ ଅଭିଯୋଗକାରୀ ଏବେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ପ୍ରକାଶ କରିଛନ୍ତି । ଯଦି ଜିଲ୍ଲା ପ୍ରଶାସନ ୧୫ ଦିନ ଭିତରେ ଉପଯୁକ୍ତ ପଦକ୍ଷେପ ନ ନିଏ, ତେବେ ସେ ବାଧ୍ୟ ହୋଇ କଣ୍ଟାବାଞ୍ଜି ତହସିଲ ଅଫିସ ସମ୍ମୁଖରେ ଧାରଣାରେ ବସିବେ ବୋଲି ଜଣାଇଛନ୍ତି ।
କଣ୍ଟାବାଞ୍ଜି ରକ୍ତଭଣ୍ଡାରରେ ଦୁର୍ନୀତି ଅଭିଯୋଗ : ଅଭିଯୁକ୍ତକୁ ଗିରଫ କରିବାକୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ।
