(୦୨/୧୧) ସୂଚନା ଅଧିକାର, ୨୦୦୫ ଯେ ସଂସଦରେ ପ୍ରଣିତ ଏକ ଆଇନ ଏହା ଉଭୟ ସରକାରୀ ଓ ବେସରକାରୀ ପଦାଧିକାରୀମାନେ ଜାଣିଥିଲେ ବି ଅନେକ ସମୟରେ ସେହି ନିୟମକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇ ଆସିଛି । ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକରେ ଥିବା ସୂଚନା ଅଧିକାରୀ ଜଣକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଗୃହ ସମ୍ବନ୍ଧୀୟ ସୂଚନାଟି ଉପଲବ୍ଧ ଥିଲେ ବି ସୂଚନା ଦେବାରେ ବ୍ଲକ କିପରି ଲୁଚାଇବାକୁ ପ୍ରୟାସ କରିଛନ୍ତି, ତାହାର ଏକ ନମୁନା ଦେଖିବାକୁ ମିଳିଛି । ପ୍ରାପ୍ତ ଅଭିଯୋଗରୁ ପ୍ରକାଶ ଯେ, ଏହି ବ୍ଲକ ଅଂଚଳର କୁଶମେଲ ଗ୍ରାମ ନିବାସୀ ସୁଧୀର ପ୍ରଧାନ ନିଜ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରା ଯାଉଥିବା ଜମିକୁ ନେଇ କୌଣସ ଆପତ୍ତ ି ଅଭିଯୋଗ ରହିଛି କି ବୋଲି ଗତ ନଭେମ୍ବର ୧୧ ତାରିଖ ଦିନ ତଥ୍ୟ ମାଗିଥିଲେ । ତେବେ ସୂଚନା ଅଧିକାରୀ ଜଣକ ଉକ୍ତ ଜମିକୁ ନେଇ କେହି କିଛି ଆପତ୍ତି କରି ନାହାନ୍ତି ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉକ୍ତ ହିତାଧିକାରୀଙ୍କୁ ପ୍ରଥମ କିସ୍ତିରେ ଏଯାଏଁ ୨୦୦୦୦ ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି । ହେଲେ ସୂଚନା ଆବେଦନକାରୀଙ୍କ ନିଜ ବାପା ସନ୍ୟାସୀ ପ୍ରଧାନ ଗତ ଅକ୍ଟୋବର ୫ ତାରିଖ ଦିନ ନିଜ ପିତୃ ଅର୍ଜିତ ଜମିରେ ବେଆଇନ ଭାବରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ହେଉଥିବା ସ୍ଥାନୀୟ ବିଡିଓଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲେ ଓ ବିଡିଓଙ୍କ ସିଲ ମୋହର ଓ ଦସ୍ତଖତ ଥିବା ପ୍ରାପ୍ତ ସ୍ୱୀକାର ସେ ପାଇଥିଲେ । କିନ୍ତୁ ଏହି ଅଭିଯୋଗ ବିଡିଓଙ୍କୁ ମିଳିଥିଲେ ବି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଅଧିକାର ବଳରେ ସୂଚନା ଦେବା ସମୟରେ ଏହି ସୂଚନାଟିକୁ ଉଦ୍ଦେଶ୍ୟ ମୂଳକ ଭାବେ ଲୁଚାଇବାକୁ ଚେଷ୍ଟା କରାଯାଇଛି କି ଅବହେଳା ଯୋଗୁଁ ଠିକ୍ ତଥ୍ୟ ଦିଆଯାଇ ନାହିଁ, ତାହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଆବେଦନକାରୀ ସୁଧୀର ପ୍ରଧାନ ପ୍ରସ୍ତୁତ ହେଉଥିବା ସୂଚନା ଦେଇଛନ୍ତି । ତେବେ କୌଣସି ସରକାରୀ କାର୍ଯ୍ୟାଳୟର ସୂଚନା ଅଧିକାରୀ ଯଦି ଠିକ ସୂଚନାଟି ଦେବାରେ ଏତେ ବ୍ୟତିକ୍ରମ, ତେବେ ଦେଶରେ ସରକାର ସ୍ୱଚ୍ଛତା ସପକ୍ଷରେ ଯେତେ ଡିଣ୍ଡିମ ପିଟିଲେ ବି କ’ଣ ହେବ?
ଧରା ପଡ଼ିଲା ସୂଚନା ଅଧିକାରୀଙ୍କ ଦାୟିତ୍ୱବୋଧ : ସୂଚନା ଦେବାକୁ ଲୁଚାଉଛନ୍ତି ସୂଚନା ଅଧିକାରୀ !
