(୨୨/୧୦) ୧୯୯୩ ମସିହା ଡିସେମ୍ବର ୨୯ ତାରିଖ ଦିନ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ଲେଖକ, କଳାକାର ଓ ସ୍ଥାନୀୟ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଲାଗି ଆରମ୍ଭ ହୋଇଥିବା ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ବର୍ତ୍ତମାନ ଗୋଟିଏ ପ୍ରକାର ବନ୍ଦ ହେବା ସ୍ଥିତିର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କହିବାକୁ ଗଲେ, ଏହା ବର୍ତ୍ତମାନ ଗୋଟିଏ ରିଲେ କେନ୍ଦ୍ର ଭଳି ରହିଯାଇଛି । ବଲାଙ୍ଗୀରରୁ ସରକାର ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ବନ୍ଦ କରୁଥିବାବେଳେ ଏହା ବି ବନ୍ଦ ହେବା କିଛି ବଡ଼ କଥା ନୁହେଁ । ଦୀର୍ଘ ଦୁଇ ଦଶକ ପୂର୍ବେ କାର୍ଯ୍ୟ ଆରମ୍ଭ ହୋଇଥିବା ଲୋୟର ସୁକତେଲ ପ୍ରକଳ୍ପ ହେଉ ବା ବଲାଙ୍ଗୀର ବାଏପାସ୍୍, ସବୁଥିରେ ଏହି ଅଂଚଳକୁ ଅଣଦେଖା କରାଯାଉଛି । ଆଂଚଳିକ ବୈଷମ୍ୟ ମନୋଭାବ ଯୋଗୁଁ ବଲାଙ୍ଗୀରର ଅଗ୍ରଗତିକୁ ଅନ୍ୟ ଜିଲ୍ଲାର ଲୋକେ ସହ୍ୟ କରୁ ନାହାନ୍ତି ପରି ମନେ ହୁଏ । ପୂର୍ବରୁ ଏହି ଆକାଶବାଣୀ କେନ୍ଦ୍ରରୁ ବହୁ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପ୍ରସ୍ତୁ ହେଉଥିବାବେଳେ ବର୍ତ୍ତମାନ ଏହା ନିଷ୍କ୍ରିୟ ଅବସ୍ଥାରେ । ବିଭିନ୍ନ ପର୍ବପର୍ବାଣୀ ଉପଲକ୍ଷେ ହାତ ଗଣତି ଗୋଟିଏ ଦୁଇଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ବାଦ୍ ଦେଲେ ଗତ ସେପ୍ଟେମ୍ବର ତୃତୀୟ ସପ୍ତାହରୁ ବର୍ତ୍ତମାନଯାଏଁ କେନ୍ଦ୍ରରେ କୌଣସି ନୂଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ନାହିଁ ଓ ଏ ସମ୍ପର୍କରେ କୌଣସି ସୂଚନା ଦେବାକୁ କେନ୍ଦ୍ରର ଅଧିକାରୀମାନେ ଆଗଭର ନୁହନ୍ତି । ଗତ ମାସରେ ଏହି କେନ୍ଦ୍ରର କେତେଜଣ କର୍ମଚାରୀ କରୋନା ପଜିଟିଭ୍ ବୋଲି ଚିହ୍ନଟ ହେବା ପରେ ୧୪ ଦିନ ଲାଗି କେନ୍ଦ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ତାପରେ ପରେ ଏଠାରୁ ନିୟମିତ ପ୍ରସାରଣ ହେଉଥିବା ନିଜସ୍ୱ କାର୍ଯ୍ୟକ୍ରମ କିଶାନବାଣୀ, ଯୁବବାଣୀ ଓ ମହିଳାମାନଙ୍କ ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ ପ୍ରସ୍ତୁତି କରିବା ବର୍ତ୍ତମାନ ଯାଏଁ ବନ୍ଦ ରହିଛି ଓ କେବଳ ପୁରୁଣା କାର୍ଯ୍ୟକ୍ରମ ଗୁଡ଼ିକ ପୁନଃପ୍ରସାରଣ କରାଯାଉଛି । ଏହି କେନ୍ଦ୍ରରେ କୌଣସି ନୂଆ କାର୍ଯ୍ୟକ୍ରମ ବର୍ତ୍ତମାନ ପ୍ରସ୍ତୁତ ହେଉ ନଥିବାରୁ ସ୍ଥାନୀୟ ଲେଖକ ଓ କଳାକାର ମହଲରେ କ୍ଷୋଭ ପ୍ରକାଶ ପାଇଛି । କେନ୍ଦ୍ରରେ ନୂତନ କାର୍ଯ୍ୟକ୍ରମ କାହିଁକି ପ୍ରସ୍ତୁତି କରିବା ବନ୍ଦ ରହିଛି ଏହି ସୂଚନାକୁ ଗଣମାଧ୍ୟମଠାରୁ ଦୂରେଇ ରଖା ଯାଉଥିବାବେଳେ କେତେକ ଗଣମାଧ୍ୟମ ପ୍ରତିନିଧି ଏହି ପରିସ୍ଥିତି ପ୍ରତି ଅବଗତ ଥିଲେ ବି ସେମାନେ ଅଧିକାରୀଙ୍କ ମୁହଁ ଦେଖି ଚୁପ୍ ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ଏଠାରେ କାର୍ଯ୍ୟ କରୁଥିବା ଉଦ୍ଘୋଷକମାନେ ତିନି ମାସ ହେଲା ସେମାନଙ୍କ ପାଉଣା ମଧ୍ୟ ପାଇ ନଥିବା ଜଣାପଡ଼ିଛି । ‘ଲକ୍ଡାଉନ୍’ ଯୋଗୁଁ ଯେତେବେଳେ ଚାରିଆଡ଼େ ଗମନାଗମନ ଓ ସରକାରୀ ଅଫିସ୍ ବନ୍ଦ ଥିଲା, ସେତେବେଳେ ଏଠି କାର୍ଯ୍ୟରତ ଉପସ୍ଥାପକମାନେ ବହୁ କଷ୍ଟରେ କାର୍ଯ୍ୟକ୍ରମଗୁଡ଼ିକ ପ୍ରସ୍ତୁତ କରିଥିବାବେଳେ ପ୍ରସାରଣ ମଧ୍ୟ ସ୍ୱାଭାବିକ ଭାବେ ହେଉଥିଲା । ହେଲେ ଏବେ ଚାରିଆଡ଼େ ପରିସ୍ଥିତି ପୂର୍ବାପେକ୍ଷା ସ୍ୱାଭାବିକ ଥିଲାବେଳେ କେନ୍ଦ୍ରରେ କାହିଁକି ଏହି ଅଚଳାବସ୍ଥା ସୃଷ୍ଟି ହୋଇଛି ସ୍ଥାନୀୟ ଜନସାଧାରଣଙ୍କୁ ଏହା ତାଜୁବ୍ କରିଛି । ଅନ୍ୟ ପକ୍ଷରେ କେନ୍ଦ୍ରରେ ଥିବା ସାମନ୍ତବାଦୀ ଚିନ୍ତାଧାରା ବିଶିଷ୍ଟ କେତେକ ଅଧିକାରୀଙ୍କ ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା କେତେକ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଜନସାଧାରଣ, ସଂଗଠନ ଓ ରାଜନେତା ଯଦି ବେଳହୁଁ ସଂଗଠିତ ନ ହେବ, ତେବେ ଏହି କେନ୍ଦ୍ର ଯେ ଦିନେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ନଯିବ ତାହା କହି ହେବ ନାହିଁ । ଏଠାରେ କାର୍ଯ୍ୟ କରୁଥିବା ଉଦ୍ଘୋଷକମାନେ ତିନି ମାସ ହେଲା ସେମାନଙ୍କ ପାଉଣା ମଧ୍ୟ ପାଇ ନଥିବା ଜଣାପଡ଼ିଛି ।
ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ବନ୍ଦ ହେବା ସ୍ଥିତିରେ : ସ୍ଥାନୀୟ ଗଣମାଧ୍ୟମ ଓ ସଂଗଠନ ନୀରବ !
