ପ୍ରଶାସନର ଦାଦାଗିରି : ଉତ୍ତରପ୍ରଦେଶ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଘରେ ବନ୍ଦ କରି ଅଧ ରାତିରେ ପ୍ରଶାସନର ଶବ ସଂସ୍କାର !


(୩୦/୯) ଭାରତର ଇତିହାସରେ ବୋଧହୁଏ ପ୍ରଥମ । ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ସହ ଦୁଃଖର ସମୟରେ ଛିଡ଼ା ହେବା ପରିବର୍ତ୍ତେ ସରକାରୀ କଳ ସେ ପରିବାରକୁୁ ଘରେ ବନ୍ଦ କରି ରଖି ସେମାନଙ୍କୁ ନିଜ ଝିଅର ଶବସଂସ୍କାରରେ ଭାଗ ନେବାକୁ ଅବରୋଧ କରିବା । ଉତ୍ତରପ୍ରଦେଶ ହାଥରସର ଦୁଷ୍କର୍ମ ପୀଡ଼ିତାଙ୍କ ଗତକାଲି ମୃତ୍ୟୁ ହେବା ପରେ ଏହାକୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯିବା ପରେ ସରକାରୀ କଳ ଅଧ ରାତିରେ ଶବ ସଂସ୍କାର କରି ଦେଇଛି । ପ୍ରକାଶ ଯେ, ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କ ବାପା ଓ ଭାଇ ସଫଦରଜଙ୍ଗ ଡାକ୍ତରଖାନା ସମ୍ମୁଖରେ ଶବ ନେବା ପାଇଁ ଅନଶନରେ ବସି ପଡ଼ିଲେ । କିନ୍ତୁ ତଥାପି ବି ସେମାନଙ୍କୁ ଶବ ଦିଆଯାଇ ନଥିଲା । ହେଲେ ପ୍ରଶାସନ ରାତି ୧ ଟାରେ ଶବକୁ ଏକ ଆମ୍ବୁଲାନ୍ସରେ ନେଇ ତାଙ୍କ ଗାଁରେ ପହଂଚିଥିଲା । ଘରଲୋକଙ୍କୁ ରାତିରେ ଶବ ସତ୍କାର କରିବାକୁ ପୋଲିସ ବାଧ୍ୟ କରିବାରୁ ଗାଁରେ ପ୍ରବଳ ବିରୋଧ ହୋଇଥିଲା । ବାଲ୍ମିକୀ ସମାଜ ଅନୁସାରେ ମୃତକଙ୍କ ଶବସଂସ୍କାର କେବଳ ଦିନବେଳା କରାଯାଇଥାଏ, ତେଣୁ ସେମାନେ ରାତିରେ ତାହା କରିବାକୁ ମନା କରି ଦେଇଥିଲେ । ଶବକୁ ଆମ୍ବୁଲାନ୍ସରୁ ଓହ୍ଲାଇ ଘରକୁ ଆଣିବାକୁ ଯେତେ ଗୁହାରି କରିଥିଲେ ବି ତାହା କେହି ଶୁଣି ନଥିଲେ । ଏହାପରେ ପୋଲିସ ବଳପୂର୍ବକ ଶବକୁ ନେଇ ସଂସ୍କାର କରିବାକୁ ଉଦ୍ୟମ କରିବାରୁ ପୀଡ଼ିତାଙ୍କ ମା ଆମ୍ବୁଲାନ୍ସ ଆଗରେ ଶୋଇ ପଡ଼ିଲେ । ଲୋକଙ୍କ ପ୍ରତିବାଦକୁ ଦେଖି ପୋଲିସ୍ ପୀଡ଼ିତାଙ୍କ ପରିବାରକୁ ଘରେ ବନ୍ଦ କରି ବାହାର ପଟୁ ତାଲା ଦେଇଦେଲା । ସେମାନଙ୍କୁ ପୀଡ଼ିତାଙ୍କ ମୁହଁ ମଧ୍ୟ ଦେଖିବାକୁ ଦିଆଗଲା ନାହିଁ । କିନ୍ତୁ ତଥାପି ପୋଲିସ ଶବକୁ ନେଇ ରାତି ୩ ଟାରେ ଦାହ କରିଥିବା ଅଭିଯୋଗ ହୋଇଛି । ରାତି ଅଧରେ ଶବସଂସ୍କାର କରି ପୋଲିସ ପ୍ରଶାସନ ଅପରାଧୀମାନଙ୍କୁ ସୁରକ୍ଷା ଦେବାକୁ କାର୍ଯ୍ୟ କରୁଛି ବୋଲି ସାଧାରଣରେ ଲୋକେ ଅଭିଯୋଗ କରିଛନ୍ତି । ପୀଡ଼ିତା ନିଜ ମାଆ ସହ କ୍ଷେତକୁ ଘାସ କାଟିବାକୁ ଯାଇଥିବାବେଳେ ୪ ଜଣ ବ୍ୟକ୍ତି ତାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ ବୋଲି ପରିବାର ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ବି ପୋଲିସ୍ ଏଥିପ୍ରତି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି । ତେବେ ‘ରାମରାଜ୍ୟ’ ସ୍ଥାପନ କରିବାକୁ ଡିଣ୍ଡିମ୍ ପିଟୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିମନ୍ତେ ଏକ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଘରେ ବନ୍ଦ କରି ଶବସଂସ୍କାର କରିବା ହିନ୍ଦୁ ରୀତିନୀତି ଓ ଭାରତୀୟ ସମ୍ବିଧାନର କ’ଣ ଉଲଂଘନ ନୁହେଁ କି? ଆହୁରି ମଧ୍ୟ, ‘ବେଟି ବଚାଓ, ବେଟି ପଢ଼ାଓ’ ଶ୍ଲୋଗାନ୍ ଦେଉଥିବା ପ୍ରଧାନମନ୍ତ୍ରୀ ମୋଦୀ ଏ ଘଟଣାରେ ନୀରବ ରହିବା ସମସ୍ତଙ୍କୁ ତାଜୁବ୍ କରିଛି । ତେବେ ଏହି ଘଟଣା ଯୋଗୁଁ ଲୋକେ ଉତ୍ତରପ୍ରଦେଶ ସରକାରଙ୍କୁ ଅପରାଧିଙ୍କ ସମର୍ଥକ ଭାବେ ଚିତ୍ରଣ କରିବାକୁ ପଛାଇ ନାହାନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ପ୍ରଶାସନର ଦାଦାଗିରି : ଉତ୍ତରପ୍ରଦେଶ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଘରେ ବନ୍ଦ କରି ଅଧ ରାତିରେ ପ୍ରଶାସନର ଶବ ସଂସ୍କାର !