ହତ୍ୟା ଅଭିଯୁକ୍ତ ମାଲକାନିଗିରି ଜିଲ୍ଲାପାଳଙ୍କ ଆଉ ଏକ କାରନାମା : ୭ ମାସ ରହିଛି କର୍ମଚାରୀଙ୍କ ଦରମା ବନ୍ଦ, ମଧୁମେହ ରୋଗୀ ପିଲାପରିବାର ଦୁର୍ଦ୍ଦିନରେ !


(୧୭/୧୧) ନିଜ ବ୍ୟକ୍ତିଗତ ସହାୟକଙ୍କ ହତ୍ୟା ମାମଲାରେ ବର୍ତ୍ତମାନ ଅଭିଯୁକ୍ତ ଥିବା ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ କଳା କାରନାମା ଖୋଲିବା ଆରମ୍ଭ ହୋଇଛି । ମାଲକାନଗିରି ସବ୍‌-ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ପରେ ପୋଲିସ୍ ଶ୍ରୀ ଅଗ୍ରୱାଲଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଥିବାବେଳେ ତାଙ୍କୁ ସରକାର ରାଜ୍ୟ ଯୋଜନା ବିଭାଗକୁ ସ୍ଥାନାନ୍ତର କରିଛନ୍ତି । ତେବେ ଜିଲ୍ଲାର ପ୍ରମୁଖ ପଦବୀରେ ଯଦି ଜଣେ ଅପରାଧୀ ମନୋବୃତ୍ତିର ପଦାଧିକାରୀ ରୁହେ, ତେବେ ସେହି ପଦାଧିକାରୀ ଯେ ଅନ୍ୟମାନଙ୍କୁ କିପରି ସେବା ଯୋଗାଇଥିବେ, ତାହା ମଧ୍ୟ ପ୍ରଶ୍ନବାଚୀ । ଜିଲ୍ଲାର ଏହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଦୀର୍ଘ ଏପ୍ରିଲ ମାସରୁ ଏଯାଏଁ ଅର୍ଥାତ ସାତ ମାସ ହେଲା ସେ ଜିଲ୍ଲା ଶିକ୍ଷା ବିଭାଗର କେତେକ କର୍ମଚାରୀଙ୍କ ଦରମା ବନ୍ଦ କରି ଥିବାରୁ ତାଙ୍କ ପରିବାର ଲୋକେ ଦୁର୍ଦ୍ଦିନ ଦେଇ କାଳାତିପାତ କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, କଟକ ଜିଲ୍ଲା ନରସିଂହପୁର ବାସିନ୍ଦା ଅଶୋକ କୁମାର ବାରିକ ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକରେ ଥିବା ଇରାଲୁଗୁଣ୍ଡିର ଭୀମ ମାର୍ଜକାମୀ ହାଇସ୍କୁଲରେ ଦୀର୍ଘ ୧୪ ବର୍ଷ ହେଲା ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରି ଆସୁଛନ୍ତି । ତେବେ ଚାରିଆଡ଼େ କରୋନା ମହାମାରୀର ଭୟ ଓ ସ୍କୁଲ ଛୁଟି ଥିବାରୁ ସେ ନିଜ ପିଲା-ପରିବାରଙ୍କ ଦେଖାରେଖା କରିବା ପାଇଁ ଦୀର୍ଘ ୩୦୦ କିଲୋମିଟର ନିଜ ପୈତୃକ ଗାଁକୁ ଫେରି ଯାଇଥିଲେ । ତେବେ ତାପରେ ସେ ଦରମା ନ ପାଇବାରୁ ସ୍କଲର ପ୍ରଧାନ ଶିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ତାଙ୍କ ଦରମା ବନ୍ଦ ହୋଇଥିବା ପ୍ରଧାନଶିକ୍ଷକ ତାଙ୍କୁ କହିଥିଲେ । ତେବେ ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ ସେଠୀଙ୍କ ପ୍ରତିକ୍ରିୟା ନେବାରୁ ସେ କହିଲେ ଯେ, ସ୍କୁଲ ବନ୍ଦ ଥିବା ସମୟରେ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲ କର୍ମଚାରୀଙ୍କ ଉପସ୍ଥାନ ମାଗିଥିଲେ. ସେହି ସମୟରେ ଯେଉଁମାନେ ସ୍କୁଲରେ ଅନୁପସ୍ଥିତ ଥିଲେ ସେମାନଙ୍କ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯାଇଥିଲା । ଯଦି ଶ୍ରୀ ବାରିକ ସ୍କୁଲରେ ଅନୁପସ୍ଥିତ ଥିବେ, ତେବେ ତାଙ୍କର ଦରମା ବନ୍ଦ ହୋଇଥିବ ଓ ଏପରି ଶତାଧିକ କର୍ମଚାରୀଙ୍କ ଦରମା ବନ୍ଦ ରହିଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସେଠୀ ପ୍ରତିକ୍ରିୟା ଦେଇଛନ୍ତି । ଏପଟେ ସାତ ମାସ ହେଲା ଦରମା ପାଇ ନଥିବାବେଳେ ଅନ୍ୟ ପଟରେ ସ୍କୁଲ ପ୍ରଧାନଶିକ୍ଷକ ତାଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରି ଅନେକ ସମୟରେ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରୁଥିବାରୁ ସେ ଦୟନୀୟ ଭାବେ ଜୀବନ କାଟୁଥିବା ପ୍ରକାଶ କରିଛନ୍ତି । ଦୀର୍ଘ ୭ ମାସ ହେଲା ତାଙ୍କ ସ୍ୱାମୀଙ୍କୁ ଦରମା ମିଳି ନଥିବାରୁ ସେ ଓ ତାଙ୍କର ସାନ ପୁଅ ମଧୁମେହ ରୋଗରେ ପୀଡ଼ିତ ଥିବାରୁ ସେମାନଙ୍କୁ ଖାଇବା ପିଇବା ସହ ଔଷଧପତ୍ର କିଣିବାକୁ ଖୁବ ଅସୁବିଧା ହେଉଛି । ଫଳରେ ଦିନକୁ ଦିନ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି ବୋଲି ଶ୍ରୀ ବାରିକଙ୍କ ପତ୍ନୀ ସଞ୍ଜୁକ୍ତା ବାରିକ ଅଭିଯୋଗ କରିଛନ୍ତି । ଶ୍ରୀ ବାରିକ ମଧ୍ୟ ଜିଲ୍ଲାରେ ଥିବା ନିଜ ସମ୍ପର୍କୀୟଙ୍କ ସାହାଯ୍ୟରେ ବଡ଼ କଷ୍ଟରେ ଖାଇବାକୁ ମୁଠାଏ ପାଉଥିଲେ ବି କୌଣସି ଅଧିକାରୀ ତାଙ୍କର ଗୁହାରୀ ଶୁଣୁ ନ ଥିବାରୁ ସେ ବହୁ ଚିନ୍ତାରେ ଥିବା ସେ ପ୍ରକାଶ କରିଛନ୍ତି । ତେବେ କରୋନା ସମୟରେ କାହାରି ଦରମା ବନ୍ଦ ହେବ ନାହିଁ ବୋଲି ସରକାର ଡିଣ୍ଡିମ ପିଟୁଥିଲେ ବି ୩୦୦ କିଲୋମିଟର ଦୂରରେ ନିଜ ପିଲା ପରିବାରଙ୍କୁ ଛାଡ଼ି ସ୍କୁଲରେ କାର୍ଯ୍ୟ କରୁଥିବା ଏହି କର୍ମଚାରୀଙ୍କ ପାଇଁ ସରକାର କେବେ ସଦୟ ହେବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ହତ୍ୟା ଅଭିଯୁକ୍ତ ମାଲକାନିଗିରି ଜିଲ୍ଲାପାଳଙ୍କ ଆଉ ଏକ କାରନାମା : ୭ ମାସ ରହିଛି କର୍ମଚାରୀଙ୍କ ଦରମା ବନ୍ଦ, ମଧୁମେହ ରୋଗୀ ପିଲାପରିବାର ଦୁର୍ଦ୍ଦିନରେ !