(୦୨/୯) ବର୍ତ୍ତମାନର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ୨୦୦୭ ରେ ୧୧ ଦିନର କାରାବାସ ଭୋଗ କରି ସେ ସଂସଦରେ ଭୋ ଭୋ ହୋଇ କେମିତି କାନ୍ଦି ଥିଲେ ସେକଥା ମନେ ପକାଇ ଦେଇଛନ୍ତି ଟେଲିଭିଜନ ଏଙ୍କର ଅଭିସାର ଶର୍ମା । ଆଉ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଯେତବେଳେ କାନ୍ଦୁଥିଲେ ସେତେବେଳେ ଅଭିସାର ଶର୍ମା ‘ଆଜତକ୍’ ଟେଲିଭିଜନ ଚ୍ୟାନେଲ ପାଇଁ କାର୍ଯ୍ୟ କରୁଥିଲେ ଓ ସଂସଦ ଭିତରେ ଥିବା ପ୍ରେସ ଗ୍ୟାଲେରୀରେ ଏହି ଦୃଶ୍ୟ ଦେଖି ଆଚମ୍ବିତ ହୋଇଯାଇଥିଲେ ବୋଲି କହିଛନ୍ତି । ଆପଣଙ୍କୁ ଯଦି ୧୧ ଦିନର କାରାବାସର କଷ୍ଟ ପାଇଁ ସଂସଦ ଭବନରେ ସମସ୍ତଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିବାକୁ ପଡ଼ିଲା, ତେବେ ଡାକ୍ତର କଫିଲ ଖାନଙ୍କ ବିରୋଧରେ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଲଗାଇ ୨୦୦ ଦିନ ଯାଏଁ ଜେଲରେ ବନ୍ଦ କରି ରଖି ଥିବାରୁ ତାଙ୍କୁ କେମିତି ଲାଗି ନଥିବ ବୋଲି ସେ ଆଦିତ୍ୟ ଯୋଗୀଙ୍କୁ ମନେ ପକାଇ ଦେଇଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ଡାକ୍ତର କଫିଲ ଖାନ ଯେଉଁ ଭାଷଣ ଦେଇଛନ୍ତି ସେଥିରେ ରାଷ୍ଟ୍ରୀୟ ଏକତାର କଥା ଦେଖିବାକୁ ମିଳୁଛି ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି । ସେଥିପାଇଁ ହାଇକୋର୍ଟ ଡାକ୍ତର ଖାନଙ୍କୁ ରାଷ୍ଟ୍ରୀୟ ଏକତାର ପ୍ରତୀକ ବୋଲି କହିଛନ୍ତି । ସରକାରଙ୍କ ବିରୋଧରେ ଭାଷଣ ଦେଲେ କାହା ବିରୁଦ୍ଧରେ ରାଷ୍ଟ୍ରୀୟ ସୁରକ୍ଷା ଆଇନ ସରକାର ଲାଗୁ କରିପାରିବେନି ବୋଲି ହାଇକୋର୍ଟ ଏହି ଆଦେଶରେ କହିଛନ୍ତି । ଜେଲରେ ଥାଇ ମଧ୍ୟ ଡାକ୍ତର କଫିଲ ଖାନ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହ ସଂପର୍କରେ ରହି ସମାଜରେ ଅରାଜକତା ପ୍ରସାର କରୁଛନ୍ତି ବୋଲି ଦୁଇ ଥର ତାଙ୍କ ଜେଲଦଣ୍ଡକୁ ବଢ଼ାଇ ଥିବାର ସେ ସୂଚନା ଦେଇଛନ୍ତି । ହେଲେ ହାଇକୋର୍ଟକୁ ସରକାର ଏହାର କୌଣସି ପ୍ରମାଣ ଦେଇ ପାରି ନଥିଲେ ବୋଲି ଶ୍ରୀ ଅଭିସାର ଶର୍ମା ପ୍ରକାଶ କରିଛନ୍ତି ।
୧୧ ଦିନ ଜେଲରେ ରହି ସଂସଦରେ ଭୋ ଭୋ କାନ୍ଦିଥିବାର କଥା ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ମନେ ପକାଇଦେଲେ ଅଭିସାର ଶର୍ମା !
