(୧୧/୧୦) ଝାରସୁଗୁଡ଼ା ଗ୍ରାମ୍ୟ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଅପହରଣ କରିଥିବା ଅଭିଯୋଗରେ ପୋଲିସ୍ ୮ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗତ ଅକ୍ଟୋବର ୬ ତାରିଖ ରାତିରେ ନିଜ ସରକାରୀ କ୍ୱାଟରରୁ ଶ୍ରୀ ପଟ୍ଟନାୟକଙ୍କୁ ଅପହର୍ତ୍ତାମାନେ ଅପହରଣ କରି ନେଇଥିଲେ । କାର୍ଯ୍ୟାଳୟର ଜଣେ ପିଅନ ଅନଧିକୃତ ଭାବେ ଦୀର୍ଘ ଦିନ ଧରି ଅନୁପସ୍ଥିତ ଓ ଛୁଟି ରହିବା ଯୋଗୁଁ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏହି ଅପହରଣର କେନ୍ଦ୍ର ବିନ୍ଦୁ ବୋଲି ଜଣାପଡ଼ିଛି । ସଂପୃକ୍ତ ପିଅନଙ୍କ ଦରମାରୁ କଟା ଯାଇଥିବା ଦରମାକୁ ନିର୍ବାହୀ ଯନ୍ତ୍ରୀଙ୍କଠାରୁ ଭରଣା କରିବାକୁ ଉକ୍ତ ପିଅନଙ୍କ ପୁଅ ଓ ତାଙ୍କ ସାଙ୍ଗମାନେ ଏହି କାଣ୍ଡ ଭିଆଇ ଥିବା ପୋଲିସ୍ ସୂତ୍ରରୁ ପ୍ରକାଶ । ତେବେ ଅପହର୍ତ୍ତାମାନେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଂଚଳର ପଙ୍କଜ ବାଗ, ଲଳିତ ତାଣ୍ଡି, ବୁଲୁ ମନହୀରା, ପ୍ରକାଶ ମହାକୁଡ଼ ଓ ନିରଞ୍ଜନ ଆଚାରୀ ବୋଲି ଜଣା ପଡ଼ିଥିବାବେଳେ ଅନ୍ୟ ତିନି ଜଣ ଝାରସୁଗୁଡ଼ାର ଶିବ ତାଣ୍ଡି, ତୋଫାନ ତାଣ୍ଡି ଓ ସଞ୍ଜୟ ସିଂ ବୋଲି ଜଣାପଡ଼ିଛି । ଅପହର୍ତ୍ତାମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଛୁରୀ, ଦୁଇଟି ଖଣ୍ଡା, ୯ ଟି ମୋବାଇଲ ଫୋନ୍ ଓ ଏକ ସୁନା ଚେନ୍ ପୋଲିସ୍ ଜବତ କରିଥିବା ପୋଲିସ୍ ପ୍ରକାଶ କରିଛି ।
ବଲାଙ୍ଗୀରରୁ ଯାଇ ଝାରସୁଗୁଡ଼ାରେ ଗ୍ରାମ୍ୟ ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଅପହରଣ, ୮ ଜଣ ଗିରଫ ।
