(୩୦/୬) କଣ୍ଟାବାଞ୍ଜି ସହରରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଥିବା ଉଦ୍ୟାନ ବିଭାଗର ପରାମର୍ଶ କେନ୍ଦ୍ରଟି ବ୍ୟବହାର ନ ହୋଇ ଭୂତକୋଠି ଭାବେ ପଡ଼ି ରହିଥିବା ଅଭିଯୋଗ ହୋଇଛି । ଏହି ପରାମର୍ଶ କେନ୍ଦ୍ରଟିର ନିର୍ମାାଣ କାମ ଦୀର୍ଘ ଦିନରୁ କରାଯାଇଥିଲେ ବି ଏହା ସମ୍ପୂର୍ଣ୍ଣ ହୋଇ ପାରି ନାହିଁ । ଫଳରେ ଏହା ଅବ୍ୟବହୃତ ହୋଇ ପଡ଼ି ରହିବା ସହ ସରକାରଙ୍କ ଅର୍ଥର ମଧ୍ୟ ଅପଚୟ ବୋଲି ଜନସାଧାରଣ ଅନୁଭବ କଲେଣି । କେଉଁ କାରଣ ପାଇଁ ଏହି ଗୃହର ନିର୍ମାଣ କାମ ହୋଇପାରୁ ନାହିଁ, ତାହା କିଛି ଜଣାପଡ଼ୁ ନାହିଁ । ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେଲା ଓ ବର୍ତ୍ତମାନ ସରକାରୀ କାଗଜପତ୍ରରେ କେଉଁ ଅବସ୍ଥାରେ ରହିଛି ତାର ମଧ୍ୟ କୌଣସି ଫଳକ ଦିଆଯାଇ ନାହିଁ ବୋଲି ଅଭିଯୋଗ ହେଉଛି । ସରକାରଙ୍କ ତରଫରୁ କୌଣସି ନିର୍ମାଣ କାମ ଆରମ୍ଭ ହେଲେ ସେହି ସ୍ଥାନରେ ଫଳକ ରହିବା ନିୟମ ଥିଲେ ବି, ଏଠି ତାହା ଦେଖିବାକୁ ମିଳି ନାହିଁ । ତେଣୁ ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁୁ ଜିଲ୍ଲା ପ୍ରଶାସନକୁ ସ୍ଥାନୀୟ ଜନସାଧାରଣ ଦାବୀ ଜଣାନ୍ତି ।
ଉଦ୍ୟାନ ବିଭାଗ ପରାମର୍ଶ କେନ୍ଦ୍ର ପାଲଟିଛି ଭୂତକୋଠି!
