(୦୬/୧୦) ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ କେହି ହତ୍ୟା କରି ନାହିଁ, ବରଂ ସେ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଥିବା ଏମ୍ସର ଫରେନସିକ୍ ବିଭାଗ ମୁଖ୍ୟ ପ୍ରକାଶ କରିବା ପରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟାର ମିଥ୍ୟା ପ୍ରଚାର କରି ମୁମ୍ବେ ପୋଲିସ୍ ଓ ମହାରାଷ୍ଟ୍ର ସରକାରକୁ ବଦନାମ୍ କରିବାକୁ ଜୁନ ୧୪ ତାରିଖ ଦିନ ବିଭିନ୍ନ ସୋସିଏଲ୍ ମିଡିଆରେ ୫୦୦୦୦ ଏକାଉଣ୍ଟ ଖୋଲା ଯାଇଥିଲା ବୋଲି ଜଣାପଡ଼ିଛି । ମୁମ୍ବେ ସାଇବର ପୋଲିସ କମିଶନର ସାଇବର ବିଭାଗକୁ ଏ ସମ୍ପର୍କରେ ତଦନ୍ତ କରି ସୂଚନା ଓ ପ୍ରଯୁକ୍ତି ଆଇନ ଅନୁଯାୟୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁମ୍ବେ ପୋଲିସ ଏକ ରିପୋର୍ଟ ପ୍ରସ୍ତୁତ କରିଛି ଯେଉଁଥିରେ ଏ ଘଟଣାକୁ ନେଇ ଇଟାଲୀ, ଜାପାନ, ପୋଲାଣ୍ଡ, ସ୍ଲୋଭେନିଆ, ଇଣ୍ଡୋନେସିଆ, ତୁର୍କୀ, ଥାଇଲାଣ୍ଡ, ରୁମାନିଆ ଓ ଫ୍ରାନ୍ସ ଦେଶରେ ସୋସିଏଲ୍ ମିଡିଆରେ ପୋଷ୍ଟ ଅପଲୋଡ୍ କରାଯାଇଥିଲା । ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ କହିଛନ୍ତି, ୮୪ ଜଣ ପୋଲିସ୍ ଯେତେବେଳେ କରୋନା ଯୋଗୁଁ ମୃତ୍ୟୁ ବରଣ କରିଥିଲେ ଓ ପ୍ରାୟ ୬୦୦୦ ଲୋକ ଆକ୍ରାନ୍ତ ହୋଇଥିଲେ, ସେହି ସମୟରେ ମୁମ୍ବେ ପୋଲିସକୁ ସମସ୍ତଙ୍କ ଦୃଷ୍ଟିରେ ହୀନ ଭାବେ ଦର୍ଶାଇବାକୁ ଏହି ଅଭିଯାନ ଚଳା ଯାଇଥିଲା । ଏମ୍ସର ଫରେନସିକ୍ ବିଭାଗର ରିପୋର୍ଟ ଉପରେ ପୋଲିସ୍ କମିଶନର ପରମ ବୀର ସିଂ କହିଛନ୍ତି ଯେ, ସ୍ଥାନୀୟ ପୋଲିସ୍ ପକ୍ଷରୁ ଏହି ଘଟଣାର ତଦନ୍ତ ଉପଯୁକ୍ତ ଭାବେ କରାଯାଇଥିଲା ଓ ସିବିଆଇ ଏମ୍ସ ର ଡାକ୍ତରମାନଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲା ଯାହାକି ପୋଲିସର ରିପୋର୍ଟକୁ ଏମ୍ସର ଫରେନସିକ ବିଭାଗ ସ୍ୱୀକୃତି ଦେଇଛି ବୋଲି ସେ କହିଛନ୍ତି ।
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ମିଥ୍ୟା ପ୍ରଚାର କରିବାକୁ ୮୦ ହଜାର ନକଲି ଏକାଉଣ୍ଟ ଖୋଲା ଯାଇଥିଲା !
