(୦୯/୯) ଜାପାନରେ ଏକ ମାଲବାହୀ ଜାହାଜ ସମୁଦ୍ରରେ ବୁଡ଼ି ଯାଇଥିବା ଜାଣିବାକୁ ମିଳିଛି । ଏହି ଦୁର୍ଘଟଣା ଯୋଗୁଁ ବିଶ୍ୱସାରା ଲୋକେ ଶୋକ ପ୍ରକାଶ କରିଛନ୍ତି । ଗଲ୍ଫ ଲାଇଭ୍ଷ୍ଟକ-୧ ନାମକ ଏକ ଜାହାଜ ପୂର୍ବ ଚୀନ ସାଗର ତଟରୁ ପ୍ରାୟ ୬୦୦୦ ଗାଈଙ୍କ ସହ ୪୩ ଜଣଙ୍କୁ ନେଇ ବାହାରିଥିଲା । ଏହା ଅମାମୀ ଓସିଆ କୂଳରେ ପହଂଚିବା ପୂର୍ବରୁ ଜାହାଜରେ ସମସ୍ୟା ଦେଖା ଦେଇଥିଲା । ଜାହାଜର କ୍ୟାପଟେନ ବାର୍ତ୍ତା ମଧ୍ୟ ପ୍ରେରଣ କରିଥିଲେ, ହେଲେ କେହି ସାହାଯ୍ୟ କରିବାକୁ ଆସିବା ପୂର୍ବରୁ ଜାହାଜଟି ବୁଡ଼ି ଯାଇଥିଲା । ଜାହାଜଟି ବୁଡ଼ିବା ଯୋଗୁଁ ଏଥିରେ ଥିବା ୬୦୦୦ ଗାଈ ସମେତ ଚାଳକ ଦଳର ୪୨ ଜଣ ସଦସ୍ୟ ସମୁଦ୍ର ଗର୍ଭରେ ବୁଡ଼ି ଯାଇଥିଲେ । କେବଳ ଜଣେ ବ୍ୟକ୍ତିକୁ ତଟରକ୍ଷୀ ବାହିନୀ ରକ୍ଷା କରି ପାରିଥିବା ଜଣା ପଡ଼ିଛି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ଜଣାପଡ଼ି ନାହିଁ । ଜାହାଜଟି ଆସିବା ସମୟରେ ସେହି ଅଂଚଳରେ ଝଡ଼ତୋଫାନ ହେଉଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଇଛି । ତେବେ ଏହି ଜାହାଜରେ ଫିଲିପାଇନ୍ସର ୩୮ ଜଣ, ନ୍ୟୁଜିଲାଣ୍ଡର ଦୁଇ ଜଣ ଓ ଅଷ୍ଟ୍ରେଲିଆର ଜଣେ ସଦସ୍ୟ ଥିଲେ । ଉଦ୍ଧାର୍ କାର୍ଯ୍ୟରେ ୫ ଟି ବିମାନକୁ ଲଗା ଯାଇଥିବା ଜଣାପଡ଼ିଛି ।
ଜାପାନର କାର୍ଗୋ ଜାହାଜ ବୁଡ଼ିଲା : ୬୦୦୦ ଗାଈ ସମେତ ୪୨ ଲୋକଙ୍କ ଜଳସମାଧି
