(୧୮/୬) ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର ବାରେଙ୍ଗପଦର ଓ ମଞ୍ଚାଗାଁ ପଂଚାୟତରେ ତିନୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ବିଏସ୍ଏଫ୍ କ୍ୟାମ୍ପରୁ ୪ ଜଣ ଯବାନ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ତେଣୁ ନବରଙ୍ଗପୁରରେ ସମୁଦାୟ ୭ ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି । ଭବିଷ୍ୟତରେ କରୋନା ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ତେନ୍ତୁଳିଖୁଣ୍ଟି ବ୍ଲକର ବାରେଙ୍ଗାପଦର ପଂଚାୟତକୁ ୪୮ ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି । ଔଷଧ ଦୋକାନ, କ୍ଲିନିକ, ପାଥୋଲେବ ଏବଂ ପେଟ୍ରୋଲପମ୍ପ ଭଳି ଅତ୍ୟାବଶ୍ୟକ ଜିନିଷକୁ ଛାଡ଼ି ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବା ଉପରେ କଟକଣା ଜାରି କରାଯାଇଛି । ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସଙ୍ଗେ ସଙ୍ଗେ ସାମାଜିକ ଦୂରତା ଭଳି କରୋନା ସଂକ୍ରମଣ ନିୟମ ସବୁକୁ ପାଳନ କରି ରୋଗପ୍ରତି ଆଦୌ ଭୟଭୀତ ନହେବା ପାଇଁ ନବରଙ୍ଗପୁର ଜିଲ୍ଲାପାଳ ଡଃ. ମିଶ୍ର ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।
ନବରଙ୍ଗପୁରରେ ୪ ବିଏସ୍ଏଫ୍ ଯବାନଙ୍କୁ କରୋନା । ୪୮ ଘଣ୍ଟା ସଟ୍ଡାଉନ୍ ଘୋଷଣା ।
