(୦୧/୮) ବଲାଙ୍ଗୀର ସହର ଉପକଣ୍ଠ ଡୁଡୁକାଶିରା ନିକଟରେ ଜୁଲାଇ ୨୪ ତାରିଖରେ ହୋଇଥିବା ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୁଲିସ। ଘଟଣାର ତଦନ୍ତ ପାଇଁ ବଲାଙ୍ଗୀର ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ଚାରିଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ବାଇକ, ନଗଦ ଟଙ୍କା ଓ ମାରାଣାସ୍ତ୍ର ଜବତ କରିଥିବା ଏସଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି। ଗତ ୨୪ ତାରିଖରେ ବଲାଙ୍ଗିର ସହର ରାଜୀବନଗରର ନିକୁଞ୍ଜ କିଶୋର ତରାଇ ନିଜ ଶଳା ପ୍ରକାଶ ଚନ୍ଦ୍ର ଜେନାଙ୍କ ସହ ହର୍ଡାଟାଲରେ ଥିବା କିରୋସିନି ଡିପୋକୁ ଯାଇଥିଲେ। ସେଠାରେ ସବ ଡିଲର ମାନଙ୍କ କିରୋସିନି ବଣ୍ଟନ କରିସାରିବା ପରେ ବଲାଙ୍ଗିର କୁ ଫେରିବା ବାଟରେ ତିନି ଜଣ ଯୁବକ ଏକ ବାଇକରେ ଆସି ସେମାନଙ୍କୁ ଅଟକାଇବା ସହ ଭୁଜାଲିରେ ଆକ୍ରମଣ କରିଥିଲେ। ପରେ ତାଙ୍କ ଠାରୁ ଟଙ୍କା ଓ କାଗଜପତ୍ର ଭର୍ତ୍ତି ବ୍ୟାଗକୁ ଛଡାଇ ନେଇ ଫେରାର ମାରିଥିଲେ। ଏନେଇ ଶ୍ରୀ ତରାଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସଦର ଥାନାରେ କେସନଂ ୨୩୧ ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାର ତଦନ୍ତ ପାଇଁ ବଲାଙ୍ଗିର ଏସପିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ସଦର ଆଇଆଇସି ତୋଫାନ ବାଗ, ଏସଆଇ ଝସକେତନ ଭୋଇ, ଏସଆଇ ଗୁଇନ୍ଦି ଖାଖା, ଏଏସଆଇ ସନ୍ତୋଷ ସେନ୍ଦ୍ରିଆ ଓ ଅନ୍ୟ କର୍ମଚାରୀ ମାନଙ୍କୁ ନେଇ ଗଠନ ହୋଇଥିବା ଏହି ଟିମ ଘଟଣାର ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ଘଟଣାର ଅଭିଯୁକ୍ତ ଚାରିଜଣ ହେଲେ ସଦର ଥାନା ଅନ୍ତର୍ଗତ ଖର୍ଲିକାନୀ ଗାଁର ଦୀଲିପ ବଗର୍ତ୍ତି, ବାଗବାଡି ଗାଁର ଗୋପାଲ ବାରିକ, ଜାମୁଟିଆ ଗାଁର ମନୋଜ ସିଂ ଓ ହାତୀଶାଲପଡାର ରାଜୁ ଭୁଏ ବୋଲି ପୁଲିସ ସୂଚନା ଦେଇଛି।
ବଲାଙ୍ଗୀର ସହର ନିକଟ ଡୁଡୁକାଶିରା ଟଙ୍କା ଲୁଟ୍ ଘଟଣାରେ ୪ ଜଣ ଗିରଫ !
