(୦୧/୧୦) ଉତ୍ତରପ୍ରଦେଶର ହଥରସର ୧୯ ବର୍ଷର ଝିଅ ନିଜ ମାଆ ସହ ବିଲକୁୁ ଘାସ କାଟିବାକୁ ଯାଇଥିବାବେଳେ ତାଙ୍କୁ ଅପରାଧୀମାନେ ଅପହରଣ କରି ନେଇ ଗଣଦୁଷ୍କର୍ମ କରି ତାଙ୍କ ସହ ଯେପରି ବର୍ବରୋଚିତ ବ୍ୟବହାର କଲେ ଓ ତାଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶ ପୋଲିସ-ପ୍ରଶାସନ ମିଶି ତାଙ୍କ ମୃତଦେହକୁ ବିଳମ୍ବିତ ରାତିରେ ପରିବାର ଲୋକଙ୍କ ବିନା ଉପସ୍ଥିତିରେ ପେଟ୍ରୋଲ ଢାଳି ପୋଡ଼ିଦେଲେ, ତାହାକୁ ନେଇ ଦେଶସାରା ଲୋକଙ୍କ ମନରେ ପ୍ରବଳ ଆକ୍ରୋଶ ଭାବ ଉଠିଛି । ଏହି ଘଟଣାର ଚିତା ନ ଲିଭୁଣୁ ଉତ୍ତରପ୍ରଦେଶରେ ଆଉ ତିନୋଟି ଲୋମ ହର୍ଷଣକାରୀ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ପ୍ରଥମ ଘଟଣାରେ, ବଳରାମପୁରର ୨୨ ବର୍ଷ ବୟସ୍କ ଜଣେ ଦଳିତ ଯୁବତୀ କଲେଜ ଯାଉଥିବା ସମୟରେ ତାଙ୍କୁ ଅପରାଧୀମାନେ ଅପହରଣ କରି ନେଇ ଦୁଷ୍କର୍ମ କରିବା ସହ ଏପରି ଅତ୍ୟାଚାର କଲେ ଯେ ହସପିଟାଲରୁ ଫେରିବା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଗଲା । ଦ୍ୱିତୀୟ ଘଟଣାରେ, ଆଜମଗଡ଼ର ଏକ ନାବାଳିକାକୁ ତାଙ୍କର ଜଣେ ପଡ଼ୋଶୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତୃତୀୟ ଘଟଣାରେ, ବୁଲନ୍ଦସହରରେ ଘରେ ଶୋଇଥିବା ଏକ ନାବାଳିକାକୁ ଜଣେ ଖଳ ପ୍ରକୃତିର ଲୋକ ଅପହରଣ କରି ନେଇ ଦୁଷ୍କର୍ମ କରିଥିବା ଜଣାପଡ଼ିଛି । କଲେଜରୁ ଫେରୁଥିବା ଉକ୍ତ ଛାତ୍ରୀଙ୍କୁ ତିନିଚାରି ଜଣ ଯୁବକ ଏକ ଗାଡ଼ିରେ ବଳପୂର୍ବକ ନେଇ ଯାଇ ତାଙ୍କ ହାତରେ କୌଣସି ନିଶାଯୁକ୍ତ ଇଞ୍ଜେକସନ୍ ଦେଇ ସେମାନେ ଏକ ଘରକୁ ନେଇ ତାଙ୍କୁ ଅଟକ ରଖି ସନ୍ଧ୍ୟା ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରିବା ସହ ତାଙ୍କ ଅଣ୍ଟା ଓ ଗୋଡ଼କୁ ଭାଙ୍ଗିଦେଇ ରିକ୍ସାରେ ବସାଇ ଘରକୁ ପଠାଇଦେଲେ । ଘରେ ପହଂଚିବାର ୧୦ ମିନିଟ୍ ପରେ ତାଙ୍କ ପେଟରେ ଖୁବ୍ କଷ୍ଟ ହେବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଗଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ଲକ୍ଷ୍ନୌ ନେଇ ଯିବାକୁ ଡାକ୍ତର ପରାମର୍ଶ ଦେଲେ । ତାପରେ ପୀଡ଼ିତାଙ୍କୁ ଡାକ୍ତରଖାନାରୁ ଆଣୁଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ତାଙ୍କ ମାଆ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ତାପରେ ବିଳମ୍ବିତ ରାତି ସେହି ପୀଡ଼ିତାଙ୍କ ମୃତଦେହକୁ ମଧ୍ୟ ଦାହ କରାଯାଇଥିବା ଜଣାପଡ଼ିଛି । ତେବେ ଏହି ଘଟଣାରେ ପୀଡ଼ିତାଙ୍କ ପରିବାର ଲୋକେ ଉପସ୍ଥିତ ଥିବା ଜଣାପଡ଼ିଛି । ଦୋଷୀ ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରାଯାଇଛି ଓ ଆହୁରି କେହି ଏଥିରେ ସଂପୃକ୍ତ ଥିଲେ ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଳରାମପୁର ଏସ୍ପି ଦେବରଂଜନ ବର୍ମା ପ୍ରକାଶ କରିଛନ୍ତି । ହଥରସ୍ର ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବା ସହ ପରିବାରର ଜଣେ ବ୍ୟକ୍ତିକୁ ଚାକିରୀ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ବି ପରିବାର ଲୋକେ ଏହାକୁ ବିରୋଧ କରିଛନ୍ତି । ଏପରିକି ଯେ ସେମାନେ ନିଜ ଝିଅର ଚିତାଭସ୍କମ ମଧ୍ୟ ନେବେ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି । ତେବେ ଉତ୍ତରପ୍ରଦେଶରେ ଅପରାଧୀମାନେ କୌଣସି ଆଇନକାନୁନକୁ ନ ଡରି ଏତେ ଅପରାଧ କରିବାକୁ କିଏ ସେମାନଙ୍କୁ ମନୋବଳ ଦେଉଛି, ସରକାରଙ୍କ ଏଥିରେ କୌଣସି ସଂପୃକ୍ତି ନାହିଁ ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଉତ୍ତରପ୍ରଦେଶରେ ଆଉ ୩ ଟି ଦୁଷ୍କର୍ମ ଘଟଣା, ବର୍ବରୋଚିତ ଗଣଦୁଷ୍କର୍ମ ପରେ ଦଳିତ ଛାତ୍ରୀ ମୃତ !
