(୦୯/୯) ରାମମନ୍ଦିର ନିର୍ମାଣ କରିବାକୁ ଦେଶସାରା ରଥଯାତ୍ରା କରି ଲୋକଙ୍କଠୁ ସଂଗ୍ରହ କରିଥିବା ୧୪୦୦ କୋଟି ଟଙ୍କା ବିଜେପି ଖାଇଗଲା ଓ ତାର ହିସାବ ଦେବାକୁ ପଛଘୁଞ୍ଚା ଦେଉଛି ବୋଲି ଏହି ଆନ୍ଦୋଳନର ପୁରୋଧାମାନେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବାନୁସାରେ ରାମମନ୍ଦିର ନିର୍ମାଣ କରିବାକୁ ୧୯୪୭ ମସିହାରୁ କୋର୍ଟରେ ମାମଲା ଚାଲି ଆସୁଥିଲା, ସେତେବେଳେ ବିଜେପିର ଲାଲକୃଷ୍ଣ ଆଡ଼ଭାନୀଙ୍କ ସମେତ ଆରଏସ୍ଏସ୍ର ପ୍ରମୁଖ ନେତାମାନେ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାମାନଙ୍କ ସହ ଯୋଗାଯୋଗ କରି କହିଲେ ଯେ ରାମମନ୍ଦିର ନିର୍ମାଣ କରିବାକୁ ଯେଉଁ ମାମଲା ଚାଲୁଛି, ଅପଣମାନେ ଚାହିଁଲେ ତାକୁ ଆମେ ରାଜନୀତିକରଣ କରିଦେବା ଓ ଯେତେବେଳେ ଆମ ସରକାର ଗଠନ ହେବ ତାପରେ ସବୁ ସମାଧାନ ହୋଇଯିବ ବୋଲି କହିଥିଲେ । ତାଙ୍କ କଥାକୁ ସେମାନେ ବିଶ୍ୱାସ କରି ଦେଶସାରା ରଥଯାତ୍ରା ବାହାର କରି ଲୋକଙ୍କଠୁ ୧୪୦୦ କୋଟି ଟଙ୍କା ସଂଗ୍ରହ କରିଥିଲେ, କିନ୍ତୁ ସେଥିର ହିସାବ ଏବେ ସେମାନେ ଦେଉ ନାହାନ୍ତି । ଏପରିକି ଏହି ଆନ୍ଦୋଳନ ସହ ଜଡ଼ିତ ପ୍ରମୁଖ ନେତାମାନଙ୍କ ମୃତ୍ୟୁକୁ ନେଇ ମଧ୍ୟ ସେମାନେ ସନ୍ଦେହ କରିଛନ୍ତି । ଅଶୋକ ସିଂହଲଙ୍କ ସ୍ୱାସ୍ଥ୍ୟ ଠିକ ଥିଲେ ବି ଦିଲ୍ଲା ଯିବା ପରେ ହଠାତ୍ ମୃତ୍ୟୁ ହେବା ତଥା ଜେଡ୍୍ ସ୍ତରୀୟ ସୁରକ୍ଷା ଥିବା ପ୍ରବୀଣ ତୋଗାଡ଼ିଆ ରାସ୍ତାକଡ଼ରେ ପଡ଼ି ରହିବା ଓ କମଳେଶ ତିୱାରୀଙ୍କର ସୁରକ୍ଷା ପାଇଁ ୨୪ ଜଣ ସୁରକ୍ଷା କର୍ମଚାରୀ ନିଯୁକ୍ତ ହୋଇଥିଲେ ବି ତାଙ୍କ ହତ୍ୟା ହେବା ଘଟଣା ସେମାନଙ୍କୁ ସନ୍ଦେହରେ ପକାଇଛି । ବିଜେପି ସମୟରେ ହିନ୍ଦୁତ୍ୱବାଦୀ ପ୍ରମୁଖ ନେତାମାନଙ୍କୁ ଜଣ ଜଣ କରି ହତ୍ୟା କରି ଦିଆଗଲା ବୋଲି ସେମାନେ ଅଭିଯୋଗ କରିଥିବା ଏକ ଭିଡିଓ ସୋସିଏଲ ମିଡିଆରେ ଦେଖିବାକୁ ମିଳୁଛି ।
ରାମ ମନ୍ଦିର ନିର୍ମାଣ ପାଇଁ ସଂଗୃହୀତ ୧୪୦୦ କୋଟି ଟଙ୍କା ବିଜେପି ଖାଇଗଲା ବୋଲି ସାଧୁସନ୍ଥଙ୍କ ଅଭିଯୋଗ !
