Skip to content
(୦୫/୧୧) ଗତକାଲି ସକାଳେ ରିପବ୍ଲି୍କ୍ ଟେଲିଭିଜନ୍ ଚ୍ୟାନେଲର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବେଇ ପୋଲି୍ସ୍ ଗିରଫ କରିବା ପରେ କେନ୍ଦ୍ର ସରକାରର ଅନେକ ମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର କେତେକ ମୁଖ୍ୟମନ୍ତ୍ରୀ ଏହା ଗଣମାଧ୍ୟମ ଉପରେ ମହାରାଷ୍ଟ୍ର ପୋଲିସରେ ଆକ୍ରମଣ ବୋଲି ତୀବ୍ର ନିନ୍ଦା କରିଛନ୍ତି । ବିଜେପି ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ସ୍ମୃତି ଇରାନୀ, ରବି ଶଙ୍କର ପ୍ରସାଦଙ୍କ ସମେତ ଅନେକ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଏହାର ନେତା ଏହାକୁ ବିରୋଧ କରି ଅନେକ ପ୍ରତିକ୍ରିୟା ଦେଇଛନ୍ତି । ଏପରିକି ବିଜେପି ଉପ-ସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଏହି ଘଟଣାଟି ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇ ଦେଉଛି ବୋଲି କହିଛନ୍ତି । ତେବେ ଯଦି ଏହା ଗଣମାଧ୍ୟମ ଉପରେ ମହାରାଷ୍ଟ୍ର ସରକାରଙ୍କ ଆକ୍ରମଣ ତେବେ ଯେଉଁ ସାମ୍ବାଦିକମାନେ ସରକାରଙ୍କୁ କେବଳ ସମାଲୋଚନା କରିଛନ୍ତି, ସେମାନଙ୍କ ବିରୋଧରେ ରାଜଦ୍ରୋହ ମାମଲା ବିଜେପି ସରକାର ଦାୟର କଲା କେମିତି? ଏମାନଙ୍କ ମଧ୍ୟରେ ହିମାଚଳ ପ୍ରଦେଶ ପୋଲିସଦ୍ୱାରା ଗିରଫ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ, ଉତ୍ତରପ୍ରଦେଶ ପୋଲିସ୍ ଦ୍ୱାରା ଗିରଫ ସାମ୍ବାଦିକ ପ୍ରଶାନ୍ତ କନୌଜିଆ, ଗୁଜରାତ ପୋଲିସ ଦ୍ୱାରା ଗିରଫ ସାମ୍ବାଦିକ ଧବଲ ପଟେଲ ସମେତ ଆହୁରି ଅନେକ ଅନ୍ତର୍ଭୁକ୍ତ । ସଦ୍ୟ ଘଟଣା ଭାବରେ ହଥରସ ଘଟଣାର ସମ୍ବାଦ ସଂଗ୍ରହ ପାଇଁ ଯାଇଥିବା କେରଳର ସାମ୍ବାଦିକଙ୍କୁ ସେଠାରେ ବିଭିନ୍ନ ଅଭିଯୋଗରେ ତାଙ୍କୁ ଜେଲ ପଠାଇ ଦିଆଗଲା । ତେବେ ସେହି ଘଟଣାଗୁଡ଼ିକ କଣ ବିଜେପିର ଏହି ନେତାମାନଙ୍କୁ ଦେଖା ଗଲା ନାହିଁ? ଅନ୍ୟ ପକ୍ଷରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଲାଗୁ ହୋଇଥିବା ଜରୁରୀ ସମୟରେ ସରକାର ବିପକ୍ଷରେ ଥିବା ସାମ୍ବାଦିକମାନଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା । କିନ୍ତୁ ଅର୍ଣ୍ଣବ ଗୋସ୍ୱାମୀ କେବେ କେନ୍ଦ୍ରର ବିଜେପି ସରକାରକୁ କୌଣସି ପ୍ରଶ୍ନ କରିଛନ୍ତି? ବରଂ ସେ ଏହି ଦଳର ମୁଖପାତ୍ର ଭାବରେ କାମ କରିଛନ୍ତି ବୋଲି ଲୋକେ କହନ୍ତି । ତେବେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗଣମାଧ୍ୟମରେ ପ୍ରକାଶିତ କୌଣସି ସମ୍ବାଦ ପାଇଁ ତାଙ୍କୁ ଗିରଫ କରାଯାଇ ନଥିବା ଏହା ପୋଲିସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୨୦୧୮ ମେ ମାସରେ ଗୋଟିଏ ପରିବାରର ଦୁଇ ସଦସ୍ୟଙ୍କ ଆତ୍ମହତ୍ୟା ପାଇଁ ଦାୟୀ କରା ଯାଇଛି । ମହାରାଷ୍ଟ୍ରର ବିଶିଷ୍ଟ ଡିଜାଇନର୍ ଅନ୍ୱେ ନାଏକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଟେଲିଭିଜନ ଷ୍ଟୁଡିଓର କୋଟିଏ ଟଙ୍କାର କାମ କରିଥିଲେ ବି ତାଙ୍କୁ ପାଇବାକୁ ଥିବା ୫ କୋଟି ୪୦ ଲକ୍ଷ ଟଙ୍କା ଦିଆଗଲା ନାହିଁ । ଫଲରେ ସେ ଓ ତାଙ୍କ ମାଆ ଏଥିପାଇଁ ଦେବାଳିଆ ହୋଇ ଶେଷରେ ଆତ୍ମହତ୍ୟା କରିଥିଲେ ଓ ତାଙ୍କ ସୁଇସାଇଡାଲ୍ ନୋଟରେ ମଧ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାମ ଉଲ୍ଲେଖ କରିଥିଲେ । ତେବେ ଏହି ମାମଲାଟିକୁ ସେତେବେଳର ଦେବେନ୍ଦ୍ର ଫଡନାଭିସ୍ ସରକାର ଚପାଇ ଦେବାକୁ ଉଦ୍ୟମ କରିଥିବାବେଳେ ବର୍ତ୍ତମାନ ସେହି ପୁରୁଣା ଫାଇଲ୍ଟି କୋର୍ଟର ଆଦେଶ ବଳରେ ପୁଣି ଖୋଲି ଥିବାରୁ ଅର୍ଣ୍ଣବ ଗୋସ୍ୱାମୀଙ୍କ ନିମନ୍ତେ ଏହା ମୁଣ୍ଡ ବ୍ୟଥାର କାରଣ ପାଲଟିଲା । କିନ୍ତୁ ଯେଉଁ ମନ୍ତ୍ରୀ ଓ ନେତାମାନେ ଏହା ଗଣମାଧ୍ୟମ ଉପରେ ଆକ୍ରମଣ ବୋଲି କହୁଛନ୍ତି, ସେମାନେ ଏହି ପୀଡ଼ିତ ପରିବାରକୁ ନ୍ୟାୟ ମିଳୁ ବୋଲି କଣ ଚାହାନ୍ତି ନାହିଁ? ତେବେ କୋର୍ଟ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇ ଦେଇଛନ୍ତି । ତେବେ ବଲିଉଡ୍ ଅଭିନେତ୍ରୀ ରୀୟା ଚକ୍ରବତ୍ତୀଙ୍କୁ କେବଳ ସନ୍ଦେହ ଆଧାରରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପାଇଁ ଦାୟୀ କରି ଅର୍ଣ୍ଣବ ତାଙ୍କୁ ଏକ ଅପରାଧୀ ଭାବେ ଚିତ୍ରଣ କରି କୌଣସିମତେ ଜେଲକୁ ପଠାଇବାରେ ସଫଳ ହୋଇଥିଲେ । ଅନ୍ୟ ପକ୍ଷରେ ଜଣକର ସୁଇସାଇଡାଲ ନୋଟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାମ ଯେତେବେଳେ ଅଛି, ତାଙ୍କୁ କିପରି ଭାବରେ ଗଣମାଧ୍ୟମ ପକ୍ଷରୁ ଚିତ୍ରଣ କରାଯିବା କଥା ଏହା ମଧ୍ୟ ଗଣମାଧ୍ୟମ ଗୁଡ଼ିକ ଓ ନେତା-ମନ୍ତ୍ରୀମାନେ ଭାବିବା ଆବଶ୍ୟକ ।
Advertisement