(୦୬/୧୦) କଣ୍ଟାବାଞ୍ଜି ବ୍ଲଡବ୍ୟାଙ୍କରେ ଦୁର୍ନୀତି ହୋଇଥିବା କଥା ଏବେ ସବୁଆଡ଼େ ଚର୍ଚ୍ଚା ଚାଲିଥିବାବେଳେ ପ୍ରଶାସନ ମଧ୍ୟ ଏତେ ଦିନ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ବ୍ଲଡବ୍ୟାଙ୍କ ମାନଙ୍କରେ ୟୁଜର୍ସ ଫି ଛାଡ଼ କରିଥିବାବେଳେ ଏଠାରେ ତାହା ଆଦାୟ କରାଯିବା ସହ ଗତସରକାର ମାଗଣାରେ ରକ୍ତ ଯୋଗାଇବାକୁ ନିୟମ କରିଥିଲେ ବି ଟେକ୍ନିସିଆନ୍ ନରେଶ ଚନ୍ଦ୍ର ମିଶ୍ର ଏହା ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ତତ୍କାଳୀନ ସିଡିଏମଓ ସଂଯୁକ୍ତା ସାହୁ ଶ୍ରୀ ମିଶ୍ରଙ୍କୁ ସେ ବାବଦରେ ଆଦାୟ କରିଥିବା ସମସ୍ତ ଟଙ୍କା ଫେରସ୍ତ କରିବାକୁ କହିଥିଲେ ବି ସେ ଏଯାଏଁ ତାହା ଫେରସ୍ତ ନ କରି ଅଭିଯୋଗରୁ ଖସି ଯିବାକୁ ନୂଆ ନୂଆ ବାଟ ଖୋଜୁଛନ୍ତି ବୋଲି ଅଭିଯୋଗ ହେଉଛି । ତେବେ ଶ୍ରୀ ମିଶ୍ରଙ୍କୁ ପ୍ରଶାସନ ପକ୍ଷରୁ ଦିଆ ଯାଇଥିବା ନୋଟିସ୍ର ଉତ୍ତର ଦେଇ ଜଣାଇଛନ୍ତି ଯେ, ୟୁଜର୍ସ ଫି ବାବଦକୁ ସେ କୌଣସି ଟଙ୍କା ଆଦାୟ କରି ନାହାନ୍ତି । ଯଦି ଏହା ସତ ତେବେ ତତ୍କାଳୀନ ସିଡିଏମଓ ଶ୍ରୀ ମିଶ୍ରଙ୍କୁ ଆଦାୟ ହୋଇଥିବା ୟୁଜର୍ସ ଫି ଫେରାଇବାକୁ ଗଣମାଧ୍ୟମ ସମ୍ମୁଖରେ କାହିଁକି କହିଥିଲେ? ନିଜର କଥାକୁ ପରିବର୍ତ୍ତନ କରି ଶ୍ରୀ ମିଶ୍ର ପ୍ରଶାସନ ଓ ଜନତାଙ୍କୁ ବାରମ୍ବାର ଭ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ, ନିଜ ବିଧାନସଭା ମଣ୍ଡଳୀ ପରିସରରେ ଥିବା ଏକ ବ୍ଲଡବ୍ୟାଙ୍କର କାରନାମା ସମ୍ପର୍କରେ ଗଣମାଧ୍ୟମରେ ଲଗାତାର ସମ୍ବାଦ ପରିବେଷଣ କରିବା ପରେ ମଧ୍ୟ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ନୀରବ ରହିଛନ୍ତି । ତେବେ ସେ ନୀରବ ରହିବାର ଅର୍ଥ କ’ଣ ଦୁର୍ନୀତିକୁ ସମର୍ଥନ କରିବା କି ଦୁର୍ନୀତି ବିରୁଦ୍ଧରେ ସେ ଅଛନ୍ତି ବୋଲି ବୁଝାଯିବ ?
ବ୍ଲଡବ୍ୟାଙ୍କ ଦୁର୍ନୀତିକୁ ନେଇ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଚୁପ୍ କାହିଁକି ?
