(୧୧/୯) ଆମେରିକାରେ କିଛି ଦିନ ତଳେ ଏକ କୃଷ୍ଣକାୟ ଲୋକ ଉପରେ ପୋଲିସର ବର୍ବରୋଚିତ କାଣ୍ଡ ଯୋଗୁଁ ସେଠାରେ ପରିସ୍ଥିତି ଯେପରି ହୋଇଥିଲା, ପୋଲିସର ସେପରି ଅନ୍ୟ କାର୍ଯ୍ୟକଳାପ ଦେଖିବାକୁ ମିଳିଛି କଲମ୍ବିଆର ବଗୋଟା ସହରରେ । ଅଭିଯୋଗ ଅନୁଯାୟୀ ଦୁଇଟି ପିଲାର ବାପା ତଥା ୪୬ ବର୍ଷ ବୟସ୍କ ଜେଭିଅର ଅର୍ଡୋନେଜ୍ ତାଙ୍କ ସାଙ୍ଗସାଥିମାନଙ୍କ ସହ ମଦ୍ୟପାନ କରୁଥିବାବେଳେ ସାମାଜିକ ଦୂରତା ବଜାୟ ରଖି ନଥିବାରୁ ତାଙ୍କୁ ପୋଲିସ୍ ନେଇ ଯାଇଥିଲା । ତାପରେ ପୋଲିସର ନିର୍ଯ୍ୟାତନାରେ ସେ ମୃତ୍ୟୁ ବରଣ କରିଥିବା ପ୍ରତିବାଦରେ କଲମ୍ବିଆରେ ଲୋକେ ହିଂସ୍ରକ ହୋଇ ଉଠି ୪୦ ଟି ଛୋଟବଡ଼ ଥାନା ଉପରେ ଆକ୍ରମଣ କରିବା ସହ ୧୭ ଟି ଥାନାକୁ ପୋଡ଼ି ଦେଇଥିଲେ । ବଗୋଟିଆର ମେୟରଙ୍କ କହିବାନୁଯାୟୀ ଏହି ଘଟଣାରେ ଏଯାଏଁ ୭ ଜଣ ମୃତ ହୋଇଥିବାବେଳେ ୨୪୮ ଜଣ ଆହତ ହୋଇଛନ୍ତି, ଯେଉଁମାନଙ୍କ ଭିତରେ ୫୮ ଜଣଙ୍କୁ ଗୁଳି ବାଜିଛି । ଏହି ଘଟଣାକୁ ନେଇ ବିଭିନ୍ନ ଅଂଚଳରେ ପ୍ରତିବାଦ ଯୋଗୁଁ ୭୦ ଟି ମଟରଗାଡ଼ିକୁ ଲୋକେ ପୋଡ଼ି ଦେଇଛନ୍ତି । ଘଟଣାରେ ୧୦୦ ରୁ ଅଧିକ ପୋଲିସ ଅଧିକାରୀ ହତାହତ ହୋଇଥିବା ସେ ବିବିସିକୁ ଦେଇଥିବା ସୂଚନାରେ ପ୍ରକାଶ କରିଛନ୍ତି । ତାଙ୍କ କହିବାନୁଯାୟୀ ପୋଲିସକୁ ଗୁଳି ଚାଳନା କରିବାକୁ କେହି ବି ଆଦେଶ ଦେଇ ନଥିଲେ ବି ପ୍ରଦର୍ଶନକାରୀଙ୍କ ଉପରକୁ ପୋଲିସ ଗୁଳି ଚଳାଇଥିଲା । ଅର୍ଡୋନେଜ୍ଙ୍କ ଭଉଣୀଙ୍କ କହିବାନୁଯାୟୀ ତାଙ୍କ ଭାଇ ଉପରକୁ ପୋଲିସ୍ ୧୨ ଥର ବନ୍ଧୁକରେ ପ୍ରହାର କରାଯାଇଥିଲା, ଯାହା କି ସହ୍ୟ କରିବା ମୁସ୍କିଲ ।
କଲମ୍ବିଆରେ ଆମେରିକା ପୋଲିସ କାଣ୍ଡର ପୁନରାବୃତ୍ତି ଯୋଗୁଁ ୧୭ ଟି ଥାନା ଓ ୭୦ ଟି ମୋଟରଗାଡ଼ି ପୋଡ଼ିଲା !
