(୦୨/୧୦) ହଥରସ୍ ଘଟଣାରେ ଉତ୍ତର ପ୍ରଦେଶ ଭୟଭୀତ ହୋଇଥିବା ଖବର ଜାଣିବାକୁ ମିଳିଛି । ସରକାର କୌଣସିମତେ ପରିବାରର କୌଣସି ତଥ୍ୟ ଗଣମାଧ୍ୟମକୁ ଯେପରି ନ ଯିବ ସେଥିପାଇଁ ପୋଲିସ୍ ଜରିଆରେ ନୂଆ ନୂଆ ଉପାୟ ଅବଲମ୍ବନ କରି ଚାଲିଛନ୍ତି । ଗତକାଲି ବିଭିନ୍ନ ରାଜନୈତିକ ଦଳ, ସଂଗଠନ ଓ ସାମାଜିକ କର୍ମକର୍ତ୍ତାମାନେ ହଥରସର ପୀଡ଼ିତାଙ୍କ ପରିବାରକୁ ଯେପରି ଭେଟି ନ ପାରିବେ ପୋଲିସ-ପ୍ରଶାସନ ମିଶି ସେଠାରେ ୧୪୪ ଧାରା ଜାରି କରିଦେଲେ । ଏପରିକି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଯିବାକୁ ଦେଲେ ନାହିିଁ । ଆଜି ମଧ୍ୟ ପରିବାରଠୁ ଲୋକଙ୍କୁ ଦୂରେଇ ରଖା ଯାଇଥିବା ଜଣେ ସମ୍ପର୍କୀୟ ନାବାଳକ ସେଠାରୁ ଖସି ଆସି ଗଣମାଧ୍ୟମ ଆଗରେ ପ୍ରକାଶ କରିଛି । ନାବାଳକ ଜଣକ ଘାସ କାଟିବାକୁ ଯାଉଛି କହି ପୋଲିସକୁ କହିି ଗାଁରୁ ୧ କିଲୋମିଟର ଦୂରରେ ଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ହାବୁଡ଼ରେ ପଡ଼ିବାରୁ ଏହା ସେ କହିଛନ୍ତିିଛି । ପରିବାରର କୌଣସି ସଦସ୍ୟକୁ ଅନ୍ୟ କାହାରି ସହ ମିଶିବାକୁ ଦିଆଯାଉ ନାହିଁ ଓ ସେଠାରେ ପ୍ରାୟ ୧୫୦ ପୋଲିସ୍ ସେମାନଙ୍କୁ ଜଗିଥିବା ନାବାଳକ ଜଣକ ପ୍ରକାଶ କରିଛନ୍ତି । ପରିବାର ଲୋକେ ଭିଡିଓ ବନେଇ ବାହାରକୁ ଛାଡ଼ୁ ଥିବାରୁ ସେମାନଙ୍କର ମୋବାଇଲ ଫୋନକୁ ପୋଲିସ ନେଇ ଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ଆଜି ସକାଳେ ନିର୍ଭୟାଙ୍କ ନିମନ୍ତେ ସୁପ୍ରିମକୋର୍ଟରେ ଲଢ଼େଇ କରିଥିବା ଓକିଲ ସୀମା କୁସୱାହାଙ୍କୁ ମଧ୍ୟ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଦେଇ ନଥିଲା । ଏଥିପାଇଁ ସେଠାରେ ବିନା ନେମପ୍ଲେଟ୍ ଲଗାଇ ଡ୍ୟୁଟି କରୁଥିବା ଏଡିଏମ୍ଙ୍କୁ ଓକିଲ୍ କୁସୱାହା ପରିଚୟ ମାଗି ତାଙ୍କ ମୁହଁକୁ ତଳ କରି ଦେଇଥିବା ମଧ୍ୟ ଜାଣିବାକୁ ମିଳିଛି । ଭାରତ ଇତିହାସରେ ଜଣେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଏପରି ବନ୍ଦୀ କରି ରଖିବା ପୂର୍ବରୁ କେବେ ବି ଦେଖାଯାଇ ନାହିଁ । ଏହାଦ୍ୱାରା ଯୋଗୀ ଓ ମୋଦୀ ସରକାରଙ୍କ ପତନର ଓଲଟା ଗଣନା ଆରମ୍ଭ ହୋଇଗଲା ବୋଲି ଚାରିଆଡ଼େ ଚର୍ଚ୍ଚା ଚାଲିଛି । ସୂଚନାଯୋଗ୍ୟ ଯେ, ନିର୍ଭୟାଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ କରିଥିବା ସୀମା କୁସୱାହା ଏହି ମାମଲାଟି ମଧ୍ୟ ନିଜେ ଲଢ଼ିବେ ବୋଲି ଘୋଷଣା କରି ସାରିଛନ୍ତି ।
ହଥରସ୍ ଗଣଦୁଷ୍କର୍ମ ଘଟଣାରେ ସରକାର ଭୟଭୀତ : ପୋଲିସ୍ ପୀଡ଼ିତାଙ୍କ ପରିବାରର ମୋବାଇଲ ଫୋନକୁ ବି ନିଜ କବ୍ଜାରେ ରଖିଲା !
