(୨୨/୯) ପୁରୀ ଟାଉନ ଥାନା ଏଏସ୍ଆଇଙ୍କ ଦବଙ୍ଗଗିରିର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏଥିରେ ଜିତେନ୍ଦ୍ର କୁମାର ସିଂ ନାମକ ଜଣେ ଏଏସ୍ଆଇ ଘରୋଇ କଳିର ଜମି ବିବାଦରେ ହସ୍ତକ୍ଷେପ କରି ସାଧା ପୋଷାକରେ ଜଣଙ୍କ ଘରକୁ ପଶି ମାଡ଼ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ପୋଷ୍ଟରେ ଲେଖା ହୋଇଛି ଯେ, ଘରୋଇ ଜମିବାଡ଼ି ବିବାଦକୁ ନେଇ ଥାନା ପକ୍ଷରୁ ଡାକରା ହୋଇଥିଲା, ହେଲେ ବ୍ୟକ୍ତି ଜଣକ ଥାନାକୁ ଯାଇ ପାରି ନଥିଲେ । ହେଲେ ଏଏସ୍ଆଇ ଜଣକ ଉକ୍ତ ବ୍ୟକ୍ତିଙ୍କ ଘରେ ପଶି ସେହି ବ୍ୟକ୍ତିଙ୍କୁ ମାଡ଼ ମାରୁଛନ୍ତି ଓ ଉକ୍ତ ବ୍ୟକ୍ତି ଜଣଙ୍କ ନିଜ ନାବାଳିକା ଝିଅର ପଛ ପଟେ ଲୁଚିବାକୁ ଚେଷ୍ଟା କରୁଛନ୍ତି । ନିଜ ବାପାଙ୍କୁ ବଂଚାଇବାକୁ ତାଙ୍କ ନାବାଳିକା ଝିଅ ଉକ୍ତ ଏଏସ୍ଆଇଙ୍କୁ ଗୁହାରି କରୁଥିବା ଦେଖା ଯାଉଛି । ଏପରିକି ଏଏସ୍ଆଇ ଜିତେନ୍ଦ୍ର କୁମାର ସିଂଙ୍କ ପାଖରେ ଜଣେ କନେଷ୍ଟବଳ ମଧ୍ୟ ଠିଆ ହୋଇ ଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ଘଟଣାରେ ପୁରୀ ଏସ୍ପି ହସ୍ତକ୍ଷେପ କରି ସଂପୃକ୍ତ ଏଏସ୍ଆଇଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।
ପୁରୀ ଟାଉନ ଥାନା ଏଏସ୍ଆଇଙ୍କ ଦବଙ୍ଗଗିରିର ଭିଡିଓ ହେଲା ଭାଇରାଲ୍, କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍ପିଙ୍କୁ ନିବେଦନ ।
