Skip to content
(୦୬/୧୧) କିଛି ଦିନ ପୂର୍ବେ ଅନୁଷ୍ଠିତ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଫଳାଫଳ ଡେମୋକ୍ରେଟିକ ପ୍ରାର୍ଥୀ ଜଏ ବାଇଡେନଙ୍କ ସପକ୍ଷରେ ଯିବା ଦେଖି ଲୋକେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଏହି ନିର୍ବାଚନର ପ୍ରଭାବ କେନ୍ଦ୍ର ସରକାର ଉପରେ ବହୁଳ ଭାବରେ ପଡ଼ିପାରେ ବୋଲି ଏବେଠାରୁ ବିଶେଷଜ୍ଞମାନେ ଆକଳନ କଲେଣି । ବର୍ତ୍ତମାନର ଆମେରିକା ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ମାତ୍ର ୨୧୪ ଟି ଆସନରେ ପଛରେ ଥିବାବେଳେ ଜଏ ବାଇଡେନ୍ ୨୬୪ ଟି ଆସନରେ ଏବେ ବି ଆଗୁଆ ରହିଛନ୍ତି । ତେବେ ଜଏ ବାଇଡେନ ଆମେରିକା ରାଷ୍ଟ୍ରପତି ହେବା ପରେ ଏହାର ପ୍ରଭାବ କେନ୍ଦ୍ରର ମୋଦୀ ସରକାର ଉପରେ ଯେ ନ ପଡ଼ିବ, ଏହା ଭାବିବା ବୋଧହୁଏ ଭୁଲ୍ ହେବ । ଡୋନାଲଡ୍ ଟ୍ରମ୍ପ ନିଜେ ଜଣେ କର୍ପୋରେଟର ହୋଇଥିବାରୁ କର୍ପୋରେଟରମାନଙ୍କୁ ସୁହାଇଲା ଭଳି ପଦକ୍ଷେପମାନ ଉଭୟେ ନେଉଥିଲେ ବୋଲି ମୋଦୀ ଓ ଟ୍ରମ୍ପ ପରସ୍ପର ନିକଟତର ହୋଇ ପାରିଥରଲେ, କିନ୍ତୁ ଜଏ ବାଇଡେନ ରାଷ୍ଟ୍ରପତି ହେବା ପରେ ସେଥିରେ ଭଟ୍ଟା ପଡ଼ିଯିବା ଏକରକମ ନିଶ୍ଚିତ । ଜଏ ବାଇଡେନ୍ ମାନବାଧିକାରର ସୂତ୍ରଧର ହୋଇଥିବାବେଳେ ମୋଦୀ ଏଥି୍ପ୍ରତି ଗୁରୁତ୍ୱ ଦେଉଥିବା କେବେ ଦେଖାଯାଏ ନାହିଁ, ଏଣୁ ଉଭୟେ ନିକଟତର ହେବା ଏତେ ସହଜ ନୁହେଁ । ଏଥିପାଇଁ ବୋଧହୁଏ ଦେଶର କେତେକ ଗୈରୀକ ଦଳର ସମର୍ଥକ ଭୋଟ ଗଣତି ସମୟରେ ମଧ୍ୟ ଟ୍ରମ୍ପଙ୍କ ଜିତିବା ନେଇ ଅନେକ ଯଜ୍ଞର ଆୟୋଜନ କରିଥିଲେ । ଏପରିକି ଗତ ଫେବ୍ରୁଆରି ମାସରେ ଯେତେବେଳେ ଚାରିଆଡ଼େ କରୋନାର ପ୍ରଭାବ ଆରମ୍ଭ ହୋଇଥିଲା, ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ଡାକି ଗୁଜରାତରେ ‘ନମସ୍ତେ ଟ୍ରମ୍ପ’ ନାମରେ ଯେଉଁ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ, ତାହାର ପ୍ରଭାବ ତ ଅନ୍ତତଃପକ୍ଷେ ଦେଖିବାକୁ ମିଳିବ ବୋଲି ଲୋକେ ଆଶଙ୍କା କଲେଣି । ଆହୁରି ମଧ୍ୟ, ଭାରତର ପ୍ରଧାନମନ୍ତ୍ରୀ ହୋଇ ମୋଦୀ ଆମେରିକାରେ ଟ୍ରମ୍ପଙ୍କ ନିମନ୍ତେ ‘ଅବ୍ କୀ ବାର୍, ଟ୍ରମ୍ପ ସରକାର୍’ ବୋଲି ଯେଭଳି ଶ୍ଲୋଗାନ୍ ମାନ ଦେଇ ଟ୍ରମ୍ପଙ୍କ ସମ୍ପର୍କରେ ସେଠାରେ ପ୍ରଚାର କରିଛନ୍ତି, ତାହା କ’ଣ ଜଏ ବାଇଡେନ୍ ଭୁଲିଯିବେ ବୋଲି କେହି ଆଶା କରିପାରେ? ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପତିଆରା ଆମେରିକାରେ ହ୍ରାସ ପାଇବାରେ ଏହା ଯଥେଷ୍ଟ ଇନ୍ଧନ ଯୋଗାଇବ । ତେବେ ଟ୍ରମ୍ପଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ପ୍ରଚାର କରି ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ହାସଲ କରିବାକୁ ଯାଇ ପରୋକ୍ଷରେ ନିଜ ପତିଆରା ହ୍ରାସ କରିବା ସହ ଭାରତର ଜଣେ ପ୍ରଧାନମନ୍ତ୍ରୀଙ୍କ ଆତ୍ମସମ୍ମାନ ଓ ସ୍ୱାଭିମାନକୁ ଯେପରି ଜଳାଞ୍ଜଳି ଦେଇଦେଲେ, ତାହା ଇତିହାସ ହୋଇ ରହିବ ।
Advertisement