(୦୫/୧୦) କଣ୍ଟାବାଞ୍ଜି ପୌରପାଳିକାର ବିଭିନ୍ନ କାର୍ଯ୍ୟ କରିବାକୁ ଗତ ୨୦୧୮ ମସିହାରେ ହୋଇଥିବା ଚୁକ୍ତି ମୁତାବକ ଏଯାଏଁ ପ୍ରାୟ ୨୦ ଲକ୍ଷ ଟଙ୍କା ପାଇବାକୁ ଦାବୀ କରି ୩ ଜଣ ଠିକାଦାର ପୌରପାଳିକା ସମ୍ମୁଖରେ ଧାରଣାରେ ବସିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ସ୍ଥାନୀୟ ଠିକାଦାର ଚୈତନ୍ୟ ମାଝୀ, ପ୍ରାଣଦା ମହାନ୍ତି ଓ ବିମଳ ଜୈନଙ୍କ ସହ ପୌରପାଳିକାର ଚୁକ୍ତି ମୁତାବକ ଡ୍ରେନ୍ ନିର୍ମାଣ କାମ, ରାସ୍ତାକାମ ଓ ଖ୍ରୀଷ୍ଟିୟାନ କବରଖାନାର ଉନ୍ନତିକରଣ ପାଇଁ ସେମାନଙ୍କ ସହ ୨୦୧୮ ମାର୍ଚ୍ଚ ମାସରୁ ସେହି ବର୍ଷ ସେପ୍ଟେମ୍ବର ମାସ ଭିତରେ ବିଭିନ୍ନ ପର୍ଯ୍ୟାୟରେ ଚୁକ୍ତି ହୋଇଥିଲା । ଟେଣ୍ଡର ମୁତାବକ ସେମାନେ ଧାର୍ଯ୍ୟ ସମୟ ସୀମା ଭିତରେ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିଥିବା ସେମାନେ ଦାବୀପତ୍ରରେ ଉଲ୍କେଖ କରିଛନ୍ତି । ଏ ସମ୍ପର୍କରେ ସେମାନେ ଗତ ମାର୍ଚ୍ଚ ୪ ତାରିଖ ଦିନ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ କରିବା ପରେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ ଓ କଣ୍ଟାବାଞ୍ଜି ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଆଦେଶ ଦେଇଥିଲେ । ଇତିମଧ୍ୟରେ ସେମାନେ ଟିଟିଲାଗଡ଼ ଉପ-ଜିଲ୍ଲାପାଳଙ୍କୁ ମଧ୍ୟ ସାକ୍ଷାତ କରି ସାରିଛନ୍ତି । କିନ୍ତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାଦ୍ୱାରା କୌଣସି ସୁଫଳ ନ ମିଳିବାରୁ ଆଜି ସେମାନେ ଆମରଣ ଅନଶନରେ ବସିଥିବା ଜଣାପଡ଼ିଛି । (ରିପୋର୍ଟ : ଏସ୍କେ ସମିମ୍)
ବର୍ଷେ ପରେ ମଧ୍ୟ ବଳକା ବିଲ ନ ପାଇବାରୁ ପୌରପାଳିକା ସମ୍ମୁଖରେ ଠିକାଦାରଙ୍କ ଆମରଣ ଅନଶନ !
