-ତପନ ସାହୁ
କନିଷ୍ଠ ଶିକ୍ଷକ, ଚାନ୍ଦବାଲି, ଭଦ୍ରକ 
ବୋଉ! ମୋର ମେସେଜ୍ ଆସିଗଲା ବୋଉ । ମୋ ରେଜିଷ୍ଟ୍ରେସନ୍ ନମ୍ବର ହେଉଛି ଏମ୍-୪୨୭୫୬୭୩ । ମୁଁ ଏବେ ଓଡ଼ିଶା ଯାଇପାରିବି ବୋଉ । ମୋତେ ଆଉ କେହି ଅଟକେଇ ପାରିବେନି… । ଫୋନରେ ନିଜ ମାଆକୁ ଏସବୁ କହି ଖୁସିରେ ନାଚିବାକୁୁ ଲାଗିଲା ଚଗଲା । ଘଣ୍ଟାଏ ହେଲାଣି ସେମିତି ମୋବାଇଲରେ ଲାଗିଥିଲା । ମଝିରେ ମଝିରେ ଫୋନ୍ କରି ପଚାରୁଥାଏ ଗାଁରେ ଥିବା ତା’ ସାଙ୍ଗ ମଦନକୁ । ମଦନ ଯେମିତି ଯେମିତି କହୁଥିଲା ଚଗଲା ସେମିତି ସେମିତି ଫର୍ମ ପୂରଣ କରୁଥିଲା, ଓଡ଼ିଶା ସରକାରଙ୍କ କୋବିଦ-୧୯ ପୋର୍ଟାଲରେ । ଶେଷରେ ରେଜିଷ୍ଟ୍ରେସନ୍ ସକସେସ୍୍ ହେଲା ବୋଲି ତା’ ବୋଉ ସହ ପୁଳାଏ ଗପି ସାରିଲାଣି ଚଗଲା ।
ପୁଅ ମୁହଁରୁ ଏସବୁ ଶୁଣିବା ପରେ ମନଟା ଟିକେ ହାଲୁକା ହେଲା ଚଗଲା ବୋଉର । ଯାହା ହେଉ, ଠାକୁରେ ଡାକ ଶୁଣିଲେ! ସାଙ୍ଗେ ସାଙ୍ଗେ ପଡ଼ିଶା ଘର ନଖି ନାନୀଠାରୁ ଅଧପାଏ କ୍ଷୀର ନେଇ ଭୋଗ କଲା ଗାଁ ଶିବ ମନ୍ଦିରରେ । ଗୁଆ ପଇସା ବି ବସେଇଲା ଆଉ ମାନସିକ ରଖିଲା ମୋ ଚଗଲାଟା ଯିମିତି ଭଲରେ ଭଲରେ ଆସି ଘରେ ପହଞ୍ଚୁ । ମନ୍ଦିରରୁ ଆସି ଚାରିଆଡ଼େ ଡେଙ୍ଗୁରା ପିଟିଦେଲା ମୋ ପୁଅ ଫୁନକୁୁ ମେସେସ୍ ଯାଇଛି । ସରକାର ତାକୁ ଘିନ୍ତି ଆଣିବେ । ବିଚରା ଚଗଲା ବୋଉର ପାଞ୍ଚବରଷ ହେଲାଣି ଗେରସ୍ତ ମେଲାଣି, ଏଇ ୨୮ ବର୍ଷର ଭେଣ୍ଡିଆ ପୁଅଟାକୁ ଛାଡ଼ିଦେଲେ ଆଉ କିଏ ବା ଅଛି ତା’ର? ସୁରଟ ସୂତାମିଲରେ ରହି ଚଗଲା ଯାହା ଦୁଇ ପଇସା ପଠାଏ, ବୋଉ ଶାନ୍ତିରେ ଶାଗ ପଖାଳ ଦିଗଣ୍ଡା ଖାଏ, ବାଡ଼ିଘରେ ଦିପାଇଟି କରି କିଛି ପନିପରିବା ଫଳେଇଛି । ରାସନ୍ କାର୍ଡ଼ରୁ ଚାଉଳ ଭତ୍ତା ଯେତିକି ପାଏ ସେତିକି ତ ଖରଚ କରିବାକୁ ଲୋକ ନିଅଣ୍ଟ । ବେଳେବେଳେ ଚଗଲାକୁ କହେ ତୁ ପଇସା କିଛି ଛଞ୍ଚୁଥା, ସାଙ୍ଗମେଳିରେ ପଡ଼ି ପଇସା ଉଡ଼ାନା କି ମୋତେ ପଠାନା ତୋ ଭବିଷ୍ୟତ ପାଇଁ ରଖୁଥା ।
ହେଲେ ଏ କି କରୁଣା ଆଇଲା ଯେ, ଗାଡ଼ିଘୁଡ଼ା ସବୁ ବନ୍ଦ, ପୁଅଟା ମୋର ହନ୍ତସନ୍ତ ହଉଚି ଘରକୁ ଆସିବ ବୋଲି । ପୁଅର ଫେରିବା ଚିନ୍ତାରେ ପାଟିକୁ ଆଉ ଦାନା ରୁଚୁନି ଚଗଲା ବୋଉର । ମାଇପି ଲୋକଟା ତା ଦେଇଁ ଯେତିକି ହବା କଥା ଢେର କଲାଣି । ଦିନକୁ ତିନି ନଅଟ ହେଉଛି ସରପଞ୍ଚଘରକୁ । ସରପଞ୍ଚ ବି କଥା ଦେଇଛନ୍ତି ପୁଅ ତମର ନିଶ୍ଚୟ ଫେରିବ, ବ୍ୟସ୍ତ ହୁଅନା ।
ପୁଅର ଫେରିବା କଥା ଶୁଣି ଚଗଲା ବୋଉ ଛାତିଟା କୁଣ୍ଢେମୋଟ । ପରଦିନ ସକାଳୁ ଚଗଲାକୁ ଫୋନ କରି କହୁଛି, ଧନ ହେପାତ ହେଇ ଆସିବୁ । କାହା ସାଙ୍ଗରେ ମିଶିବୁ ନାହିଁ କି କାହାକୁ ଛୁଇଁବୁ ନାହିଁ । ଟି.ଭି କହୁଥିଲା ମୁହଁରେ କପଡ଼ା ଦେଲେ କରୁଣା କୁଆଡ଼େ ଡେଇଁ ପାରିବନି? ସାବିନିରେ ହାତ ଧୁଇବୁ ହେଲା! ପୁରା ହୁସିଆର ହେଇ ଆସିବୁ । ଓଃ ହୋ! ତୁ ବନ୍ଦ କଲୁ! କେତେଥର ଆଉ ସେହି କଥା କହିବୁ? ଟି.ଭିର ସେହି କଥା, ଫୋନ କଲେ କମ୍ପ୍ୟୁଟର ସେଇକଥା କହୁଛି, ପୁଣି ତୁ ବି ସେଇକଥା କହୁଛୁ? ମୁଁ କ’ଣ ଛୋଟଛୁଆ ହେଇଛି? ହଉ, ତୁ ଫୋନ୍ ରଖ୍!
ପରଦିନ ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶା ଅଭିମୁଖେ ବାହାରି ପଡ଼ିଲା ବସ୍ । ଚଗଲା ତା’ ବୋଉକୁ ଫୋନ୍ କରି କହିଲା, ବୋଉ ମୁଁ ବସରେ ବସିଲି । ଆଜି ଦିନସାରା ବସରେ ବସିବି, ରାତିଟା ବି ବସରେ କଟିବ । ପହଂଚିଲା ବେଳକୁ କାଲି ଦିନ ୨ଟା କି ୩ଟା ହେଇଯିବ । ମୁଁ ଗାଁରେ ପହଂଚିଲେ ତୁ ସ୍କୁଲ ପାଖକୁ ଆସିବୁ, ମୋତେ ଦେଖା କରି ଯିବୁ, ପୁଣି ଚଉଦ ଦିନ ଆଉ ଦେଖି ପାରିବୁନି ଯେ? ହଉ ହଉ ତୁ ହେପାତ ହେଇ ଆ! ଏଥର ଚଗଲା ବୋଉର ଗୋଡ଼ ଆଉ ତଳେ ଲାଗିଲାନି । ଦିନସାରା ଖାଲି ନଖି ନାନି ଘର, ବାସ ଅପା ଘର, ନଖି ନାନୀ ଘର…ବାସ ଅପା ଘର ଏପଟସେପଟ ହେଇ କାଟିଦେଲା । ରାତିସାରା ବି ସେମିତି ଆଖି ମଟମଟ କରି ଚାହିଁଛି । ନିଆଁ ନଗା ଆଖିକୁୁ କ’ଣ ନିଦ ଆଉଚି? ଇଚ୍ଛା ହଉଛି ଚଗଲାକୁ ଟିକେ ଫୋନ କରନ୍ତି! ହେଲେ ମୋତେ କ’ଣ ନମ୍ବର ଟିପି ଆସିବ? ମଦନକୁ କହିଲେ ହାନ୍ତେ ଲଗେଇ ଦିଅନ୍ତା! ହେଲେ ସିଏ ତ ତାଙ୍କ ଘରେ ଶୋଇଥିବ । ଏତେ ରାତିରେ ଯାଇ ଡାକିବାଟା ଠିକ୍ ହେବନି? ଥାଉ! ନହେଲା ନାହିଁ? ଚଗଲାଟା କି ବସ୍ରେ ଶୋଇ ଯାଇଥିବ! ସକାଳ ହେଲେ ବଳେ ଫୋନ୍ କରିବନି? ଇମିତି ଭାବୁଭାବୁ ଆଖିଟା ଟିକେ ବୁଜି ଆସିଲା । ହେଲେ ମଦନ ଘର କୁକୁଡ଼ା ରାବିବା ଆଗରୁ ଚଗଲା ବଉ ଉଠି ସାରିଲାଣି, ପାହାନ୍ତା ରାତିରୁ ଗାଧୁଆ ପାଧୁଆ ସାରି, ଅପେକ୍ଷା କରିଛି ମନ୍ଦିର ପହଡ଼ ଖୋଲିବାକୁ । ସକାଳ ହେଲା ଚଗଲା ବୋଉ ଯାଇ ନଖିନାନୀ ଘରେ ହାଜର । କାଲି କହିଥିଲି ମୋ ପାଇଁ କ୍ଷୀର ରଖିଛ ତ? ସାଙ୍ଗେସାଙ୍ଗେ ଅଣ୍ଟିରେ ଖୋସିଥିବା କୋଡ଼ିଏ ଟଙ୍କିଆ ନୋଟ୍ କାଢ଼ି ବଢ଼େଇ ଦେଲା ନଖୀ ନାନୀକି । ହେଇ ନିଏ ପଇସା କ୍ଷୀର ଦେ । ନନା ଗଲେଣି, ପୁଣି ମନ୍ଦିର ଭିଡ଼ ହେଇଯିବ । ପୁଣି ଯୋଗକୁ ସୋମବାର । ନଖିନାନୀ କ୍ଷୀର ଗ୍ଲାସ୍ ବଢ଼େଇଲେ ଚଗଲା ବୋଉକୁ ତା’ ସାଙ୍ଗକୁ ପାଞ୍ଚ ଟଙ୍କିଆ କଏନ୍ । କାରଣ କ୍ଷୀର ଗ୍ଲାସ୍ର ଦାମ୍ ଥିଲା ପନ୍ଦର ଟଙ୍କା । ଚଗଲା ବୋଉ କହିଲା ନିଏ ନିଏ ପାଞ୍ଚଟଙ୍କା ତୁ ରଖ୍, ଫେରେଇଲା ଆଣିକି?
ମୁଁ ଯାଉଛି । ବାସ୍ ସିଧା ଧାଇଁଲା ମନ୍ଦିର । ବାଟସାରା ଗୁଣୁଗୁଣୁ ହଉଛି, ନନାକୁ କହିବି ଭଲିକି ମନ୍ତ୍ର ପଢ଼ିକି କ୍ଷୀର ଢାଳିବେ, ପୁଣି ଗୁଆ ପଇସା ଉଠେଇବାକୁ ପଡ଼ିବ । ଗଲାବେଲେ ଦେଖିଲା ମନ୍ଦିର ପାଖ ଚଉରା ପିଣ୍ଡିରେ ମଦନ ବଇଚି । ମଦନକୁ କହିଲା, ବାପାଟା ଚଗଲାକୁ ହାନ୍ତେ ଫୁନ୍ ନଗାନି! କେତେବାଟ ହେଲାଣି । ତୁ ରହ ଲୋ! ମୁଁ ଟିକେ ନ୍ୟୁଜ୍ ଦେଖିସାରେ । ତୁ ଯାଆ ମନ୍ଦିରରୁ ଆସେ । ମଦନ କଥା ଶୁଣି ଚଗଲା ବୋଉ ଦି ପାଦ ମନ୍ଦିର ଆଡ଼କୁ ଯାଇଛି କି ନାହିଁ, ମଦନ ଫୋନରେ ଶୁଭିଲା ସୁରଟରୁ ଓଡ଼ିଶା ଆସୁଥିବା ବସ୍ ଓଲଟି ୫ ମୃତ, ୨୫ ଆହତ । ଚଗଲା ବୋଉ ଆଖି ପିଛୁଳାକେ ଦୌଡ଼ିଗଲା ମଦନ ପାଖକୁ । କ’ଣ ହେଲା? କୋଉ ବସ୍? ଚଗଲାକୁ ଟିକେ ଫୋନ୍ ଲଗା! ଜଲଦି! ଜଲଦି! ମଦନ ଯେତେ ଚେଷ୍ଟା କଲେ ବି ଚଗଲାରର ଫୋନ୍ ସୁଇଚ୍ ଅଫ୍ । ଚଗଲା ବୋଉର ଆଉ ବୁଝିବାକୁ ବାକି ନଥିଲା । କିଛି ସମୟ ପାଇଁ ଜଡ଼ ପାଲଟିଗଲା ଚଗଲା ବୋଉ । ନିର୍ବାକ ହେଇ ହଳେ ପ୍ରଶ୍ନିଳ ଆଖିରେ ଶିବ ମନ୍ଦିର ଆଡ଼କୁ ଚାହିଁ ରହିଲା କିଛି କ୍ଷଣ । ହଠାତ୍ କ’ଣ ହେଲା କେଜାଣି, ଦମ୍ବାଲ୍ କିନା ମାଟିକାମୁଡ଼ି ପଡ଼ିଲା ମନ୍ଦିର ସାମ୍ନାରେ । ମଦନ, ମନ୍ଦିର ନନା ଓ ଆଉ କିଛି ମାଇପେ, ମରଦ ଘେରିଗଲେ ଚଗଲା ବୋଉକୁ । ନାଡ଼ି ଚିପି ଦେଖିଲେ ତା’ ଦିହରେ ଆଉ ଜୀବନ ନାହିଁ । ସମସ୍ତେ କୁହାକୁହି ହେଉଥିଲେ ପ୍ରବାସୀ ପୁଅ ପାଇଁ ବିଚରା ବୁଢ଼ୀଟା… ।
ସେତେବେଳକୁ ଚଗଲା ବୋଉର କ୍ଷୀର ଗ୍ଲାସ୍ଟା ତଳେ ଢାଳି ହେଇ ପଡ଼ି କରୋନା ଭୂତାଣୁର ଚିତ୍ର ଆଙ୍କୁଥିଲା… ।