ସଂପର୍କର ଡାଳପତ୍ର (କାହାଣୀ )

ଜୟଶ୍ରୀ ସାହୁ, ବରଗଡ

ବର୍ଷସାରା ଖାଲିପଣର ଯନ୍ତ୍ରଣା ଭୋଗୁଥିବା ଘରକୁ କେତେ ଘଣ୍ଟାର ଅବଧିରେ କେତେ ବା ଚଳଚଞ୍ଚଳ କରାଯାଇ ପାରେ ? ଯା ହଉ ଉପର ମହଲାଟା ପାରା ମାନଙ୍କ ଅକ୍ତିଆରରେ ଥିବାରୁ ତାଲା ଖୋଲିବାମାତ୍ରେ ସେମାନଙ୍କ ଘୁଟୁର ଘୁଁର ଆଓ୍ବାଜରୁ କିଛିଟା ପରିଚିତିର ବାସ୍ନା ମିଳିଯାଏ । ପୂରା ଘରଟା ତ ସଫା ସୁତୁରା କରିହୁଏନି। କେତେ ଘଣ୍ଟାର ଚଳପ୍ରଚଳ ପାଇଁ ଉଦ୍ଦିଷ୍ଟ ଜାଗା ଟିକକ ଆଗରୁ ଚୁମକି ସଫା କରିଦେଇଥାଏ । ସୁନନ୍ଦା ପେକ କରି ଧରି ଆସିଥାଏ ଆମ୍ବଡାଳ, ହଳଦି,ଅରୁଆ ଚାଉଳୁଠୁ ଝୋଟି ଦେବାପାଇଁ ପିଠଉ, ବାପାଙ୍କ ପାଇଁ ଦୁଇଟି ଫ୍ଲାଷ୍କରେ ଗରମ ପାଣି ଆଉ ଚା,ମହୁଲ ପତ୍ରର ଖଲିଦନା, ଭାତ,ଡାଲି, କ୍ଷୀରି,ପିଠା, ଲେଥା, ଭଜା, ଇତ୍ୟାଦି। ଗାଁ ଭିତରେ ଥିବା ପୁରୁଣା ଡିହରେ ବଡବାପା ଏକାକୀ ପଡିଥିବାବେଳେ ଏଣେ ସହରରେ ବି,ବାପାମାଁ, ବଡମାଁ ଡକାଡକି ହେଇ ଆଗରୁ ବାହୁଡି ଗଲେଣି। ଲାଗେ, ଯେମତି ଏ ଦୁଇ ଭାଇଙ୍କ କାଉଁରିଆ ଉରାଟ ଭାଙ୍ଗିବା ପାଇଁ ବେଗି ବେଗି ଜଲଦି ପଳେଇଛନ୍ତି। ତଥାପି,ଉରାଟ ଗଲା କି? ଡାକେ ବାଟ ଅନ୍ତରରେ ରହୁଥିବା ଗୋଟେ ବୋଲି ଝିଅ ବାସନ୍ତୀର ପଠେଇ ଥିବା ପିଠାପଣା କି ଡାଲିଭାତ ବଡବାପା ସେ ଦିନ ଛୁଅଁନ୍ତିନି, ଖାସ ଝିଅଟା ପରଗୋତ୍ରୀ ବୋଲି । ଏପଟେ ଦିନ ଦଶଟା ପୂର୍ବରୁ ହିଁ ଭାତ ଖାଇବା ତାଙ୍କ ଅଭ୍ୟାସ, ନୂଆଖାଇ ଦିନ ବି ତାର ବ୍ୟତିକ୍ରମ ହେବା ଅସମ୍ଭବ। ସେଥିପାଇଁ ସୁନନ୍ଦା ରାତି ତିନିଟାରୁ ଉଠି ପୂଜା ସାମଗ୍ରୀରୁ ଆରମ୍ଭ କରି ରନ୍ଧାବଢା ସାରି ଦେଇ ସକାଳ ସାଢେ ସାତଟା ସୁଦ୍ଧା ଡ୍ରାଇଭରକୁ ଗାଡି ଲଗେଇବା ପାଇଁ କହିଦେଇଥାଏ । ଖିଆପିଆରେ ଗୁଡାଏ ବିଧି ନିଷେଧ ରଖୁଥିବା ବାପା ବି ଯଥେଷ୍ଟ ସହଯୋଗ କରନ୍ତି ନୂଆଖାଇ ଦିନ।

ଅରୁଆ,ହରଡ ଡାଲି,ଆଳୁ,ଟମାଟୋ ବିହୀନ ଖାଦ୍ୟ, ସେ ପୁଣି ଦିନ ଅଢେଇଟା ପରେ ଯାଇ ଖାଦ୍ୟ ଗ୍ରହଣ କରୁଥିବା ବାପା ଆଜି ବଡବାପାଙ୍କ ଖାତିରରେ ଚଟାପଟ ପରମ ସନ୍ତୋଷରେ ଖାଇ ଦିଅନ୍ତି। ଆହା! ଜମିବାଡି ଭାଗ ହେବାବେଳେ, ଏ ଖାତିରଦାରୀ ଥାଆନ୍ତା କି! ମାଁର କର୍ଣ୍ଣମନ୍ତ୍ରରେ ବାପା ଭଳି ଯାଇ ନ ଥିଲେ ଆମ ଛୁଆପିଲାଙ୍କ ଜୀବନ ବି କେତେ ହରାଭରା ହେଇ ଯାଇଥାନ୍ତା ସତେ ! ଧେତ୍! ଚୁଲିକି ଯାଉ ସେ ଜମି ଖଣ୍ଡକ, ତା ପାଇଁ ବଡବାପା, ବଡ ମାଁଙ୍କ ସ୍ନେହଧାର ଆମ ପାଇଁ ଶୁଖିଗଲା। ନିଆରା ଥିଲା ସେ ସ୍ନେହ ଟିକକ। ଛଞ୍ଚାଣ ଦାଉରୁ ନିଜ ଚିଆଁକୁ ବଞ୍ଚେଇ ରଖିବା ପରି ବଡବାପା ମାଁଙ୍କଠୁ ଆମ ତିନି ଭାଇ ଭଉଣୀଙ୍କୁ ଦୂରେଇ ରଖାଗଲା। ଅନେକ ସନ୍ତାନଙ୍କୁ ଅକାଳରେ ହରେଇ ବଡବାପାଙ୍କ ଅବଶିଷ୍ଟ ଏକମାତ୍ର ଝିଅ ବାସନ୍ତୀର ମେଟ୍ରିକ ପରେ ପଢା ବନ୍ଦ କରିଦିଆଗଲା । ଅପସରା ପରି ସୁନ୍ଦର ଝିଅଟାକୁ ଅତି ସାଧାରଣ ପାତ୍ରଟେ ହାତରେ ଟେକି ଦିଆଗଲା ଅଥଚ ବାପା ନିର୍ବିକାର!ଏ ବିଷୟକ ଆମ ଭାଇଭଉଣୀଙ୍କ ସର୍ବନିମ୍ନ ବାକ୍ ସ୍ବାଧୀନତା ତ କୋଉକାଳୁ ନାକଚ କରା ସରିଥିଲା ବାପାଙ୍କ ଏକଛତ୍ର ଶାସନରେ । ବଡବାପା ବି ନିଜ ଜାତି, ସମାଜରେ ଧର୍ମରାଜ ଯୁଧିଷ୍ଠିର। ନିଜ ଦର୍ପ ଆଗରେ ସ୍ତ୍ରୀ, ସନ୍ତାନ ତୁଚ୍ଛ।
ଏକତା ପ୍ରବଳ ପ୍ରତାପଶାଳୀ ସେ ଦୁଇ ଭାଇ ଆଜି ଅଶୀତିପର ବୟସରେ କେତେ ନୀରିହ ଲାଗୁଛନ୍ତି ସତେ !
ଯାହା ଆମେ ଭାଇ ଭଉଣୀ କରିପାରି ନଥିଲୁ, ଯାହା ମୁଁ ନିଜେ କରିପାରି ନଥିଲି, କେଡେ ସୁନ୍ଦର ଭାବରେ ମୋ ସ୍ତ୍ରୀ ତାହା କରିକି ଦେଖେଇ ଦେଲା ଆଜି ! କହି ସିନା ପାରୁ ନ ଥିଲି ହେଲେ ବଡବାପାଙ୍କ ପ୍ରତି ମାଁର ବ୍ୟବହାର ମତେ ଭୀଷଣ କଷ୍ଟ ଦଉଥିଲା । ବେଶି କଷ୍ଟ ଦଉଥିଲା ବାପାଙ୍କ ନିରବତା । ବଡବାପାଙ୍କ ଖାଇବା ସମୟ ଖୁବ ଗଡି ଯାଉଥିଲା,ଦେଢଶୁର ବୋଲି ମାଁ ତାଙ୍କୁ ପରଶୁ ନଥିଲା , ଅଇଁଠା ଖଲି ସାଉଁଟିବା ବେଳେ ବଡବାପାଙ୍କ ଖଲିଟା ଛାଡି ଦଉଥିଲା। ନୂଆଖାଇ ଦିନ ଅଶାନ୍ତି କୁ ଏଡେଇବା ପାଇଁ ସବୁ କଷ୍ଟ ଚାପି ରଖି ଚୁପ ରହୁଥିଲି ।ସତେ ଯେମିତି ନୂଆଖାଇ ଥିଲା ମୋ ପାଇଁ ଜମା ଶୁଖି ନ ଥିବା ଏକ ଅଜାଗା ଘା । ଅଥଚ,ସତେ ଯେମିତି ମୋର ଅବଶୋଷର ମାଟିରେ ପରିତ୍ରୁପ୍ତିର ଶସ୍ୟ ଉପୁଜାଇବା ପାଇଁ ସୁନନ୍ଦା ସହ ମୋର ବିବାହ । ବାପା, ବଡବାପାଙ୍କ ରୁଚି ଅରୁଚିକୁ ସମୀହ ଦେଖେଇ ନୂଆଖାଇ ଅବସରରେ ଦୁହିଙ୍କ ଆତ୍ମାକୁ ଯୋଡି ଦେଲା ଏ ଝିଅଟା।

ଏ ଥର ଗାଁରୁ ଫେରିବା ବେଳେ ବାପା କହୁଥିଲେ,\” ତମ ଭାଇ ଭଉଣୀ କାହାରି ତ ଅଭାବ ଅସୁବିଧା ନାଇଁ । ଗାଁ ମୁଣ୍ଡର ସେ ଜମି ଖଣ୍ଡକ ବାସନ୍ତୀ ନାଁରେ ଲେଖିଦେଲେ ଭଲ ହୁଅନ୍ତା । ତମେମାନଙ୍କ ପଢାପଢି ପାଇଁ ତା ବାହାଘର ବେଳେ କିଛି ଦେଇ ହେଲାନି । “

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସଂପର୍କର ଡାଳପତ୍ର (କାହାଣୀ )