(୧୭/୮) ପାଂଚଟି ଆଦିବାସୀ ପରିବାରର ନିର୍ମାଣଧିନ ଗୃହକୁ ଭାଙ୍ଗିଥିବା ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ପଂଚାୟତର ସରପଂଚ ଓ ତାଙ୍କ ସ୍ୱାମୀଙ୍କୁ ଲୋଇସିଂହା ପୋଲିସ୍ ଗିରଫ କରିଛି । କରୋନା ଲଢ଼େଇରେ ସାମିଲ ହେବାକୁ ମିଳିଥିବା ଜିଲ୍ଲାପାଳ କ୍ଷମତାର ଦୁରୂପଯୋଗ କରି ୫ ଟି ପରିବାରର ନିର୍ମାଣଧିନ ଗୃହକୁ ଭାଙ୍ଗିବାକୁ ସରପଂଚ ଆଦେଶ ଦେଇଥିଲେ । ଉକ୍ତ ଗୃହଗୁଡ଼ିକ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ନିର୍ମାଣ ହେଉଥିଲା ବୋଲି ଜଣାପଡ଼ିଛି । କିନ୍ତୁ ସରପଂଚଙ୍କ ସ୍ୱାମୀଙ୍କ କହିବାନୁଯାୟୀ, ଉକ୍ତ ନିର୍ମାଣଧିନ ହେଉଥିବା ଘରଗୁଡ଼ିକ ଜଙ୍ଗଲ ଜମି ଇଲାକା ଭିତରେ ଥିବାରୁ ସେମାନଙ୍କୁ ବାରଣ କରାଯାଇଥିଲା, କିନ୍ତୁ ସେମାନେ ନ ମାନିବାରୁ ଏହାକୁ ଭାଙ୍ଗି ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ, ସେମାନଙ୍କୁ ଜମି ଦିଆଯାଇ ନଥିଲେ ବି ସେମାନଙ୍କ ନାମରେ ଅର୍ଥ ମଞ୍ଜୁର ହୋଇଥିଲା ଓ ତାଙ୍କ ବ୍ୟାଙ୍କଖାତାରେ ମଧ୍ୟ ତାହା ସ୍ଥାନାନ୍ତରଣ ହୋଇଥିଲା । କାହାର ବାସଗୃହ ବେଆଇନ ଭାବରେ ଭଙ୍ଗାଯିବା ତ ଏକ ଅପରାଧ । କିନ୍ତୁ ସରପଂଚଙ୍କ ସ୍ୱାମୀଙ୍କ କହିବା କଥା ଯଦି ସତ, ତେବେ ଏହା ସାଂଘାତିକ । କେତେକ ଜମି ନଥିବା ପରିବାରକୁ ବ୍ଲକସ୍ତରୀୟ ଅଧିକାରୀ କେଉଁ ଅଧିକାର ବଳରେ ଅର୍ଥ ମଞ୍ଜୁର କରିଛନ୍ତି, ତାହା ତଦନ୍ତସାପେକ୍ଷ । ଭୂମିହୀନଙ୍କୁ ଜମି ଓ ଘର ଦେବାକୁ ନିୟମ ଥିଲେ ବି ବିନା ଜମି ଆବଣ୍ଟନରେ ଗୋଟିଏ ପରିବାର ନାମରେ କେମିତି ଅର୍ଥ ମଞ୍ଜୁର ହେଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ହିତାଧିକାରୀମାନଙ୍କୁ ସ୍ଥାନୀୟ ତହସିଲଦାର ଓ ଆରଆଇ ଜମି ଯୋଗାଇଥିବା ସେମାନେ କହୁଥିଲେ ବି ସରପଂଚ କେମିତି ତାହା ଜାଣି ପାରିଲେ ନାହିଁ ଓ ନିର୍ମାଣଧିନ ଘରଗୁଡ଼ିକୁ ଜେସିପି ମେସିନ ଲଗାଇ ଭାଙ୍ଗିଦେଲେ? ଲୁଚାଛପାରେ କ’ଣ ଜମି ଆବଣ୍ଟନ ହୋଇଛି, ଏପରି ଅନେକ ପ୍ରଶ୍ନ ମନରେ ଉଙ୍କି ମାରେ ।ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ପଦକ୍ଷେପ ନେଇ ଏଥିରେ ସଂପୃକ୍ତ ଥିବା ପଦାଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁୁୁ ସାଧାରଣରେ ଦାବୀ ହୁଏ ।
ସାଲେଭଟା ସରପଂଚଙ୍କଦ୍ୱାରା ଘର ଭଙ୍ଗା ଘଟଣା : ଜମି ନ ଥିଲେ ବି ଘର ବନେଇବାକୁ ଅର୍ଥ ମଞ୍ଜୁର ହେଲା କିପରି ?
