–ମୀନାକ୍ଷୀ ପଣ୍ଡା
ସୋହାଗ ସାଗରେ ଶିହରଣ ଭରେ ସତ ଢ଼େଉ ସ୍ୱପ୍ନାୟିତ
ହିମଗିରି ସମ ଯା’ ଧୈର୍ଯ୍ୟ ଅସୀମ ପୁରୁଷ ରୂପେ ଜନ୍ମିତ
ରୂପ କମନୀୟ ପାବନ ହୃଦୟ କରୁଣା କଲ୍ଲୋଳ ମନ
କ୍ଷମା ପାରାବାର ଦୟାର ନିର୍ଝର ଆଶା ପାରିଜାତ ବନ । ।
ଅସୁମାରୀ ପ୍ରେମ ଯା’ହୃଦେ ଅସୀମ ପରମ ପ୍ରେମିକଟିଏ
ପାବନେ ପ୍ଲାବିତ ପ୍ରଣୟେ ପୂରିତ ପୂଣ୍ୟତାରେ ଅବଗାହେ
ବଟବୃକ୍ଷ ପ୍ରାୟ ବିସ୍ତାରିଣ କାୟ ବୁକୁରେ ନିଅନ୍ତି ଟେକି
ସହନ୍ତି ଜଞ୍ଜାଳ ସଂସାର ଗରଳ ସଦାଶିବ ସମ ଢ଼ୋକି । ।
ସାଜି ସେ ସନ୍ତାନ କରଇ ମୋଚନ ଜନନୀର ଯେତେ କୋହ
ସହି ଶତ ଦୁଃଖ ଅଜାତଇ ସୁଖ ପୋଛି ଭଗିନୀର ଲୁହ
ପୁରୁଷର ବିନା ନୁହଁଇ ସମ୍ପୂ୍ର୍ଣ୍ଣା ନାରୀଟିଏ ଦୁନିଆର
ପତି ପରଂବ୍ରହ୍ମ ପୁରୁଷ ଉତ୍ତମ ପତି ପରମ ଈଶ୍ୱର । ।
ବିଶ୍ୱାସ ବଳୟେ ବନ୍ଧୁଟିଏ ସିଏ ବସନ୍ତର ବର୍ଣ୍ଣବିଭା
ପରିପୂର୍ଣ୍ଣ ପ୍ରାଣେ ପୂର୍ଣ୍ଣତା ସେ ଆଣେ ପରଶି ପ୍ରଣୟ ପ୍ରଭା । ।
। । ପୁରୁଷ । । (କବିତା)
