(୧୩/୮) ଚଳିତ ବର୍ଷ କରୋନା ଯୋଗୁଁ ସ୍ୱାଧିନତା ଦିବସ ହେବ କି ନାହିଁ ବୋଲି ଲୋକେ ଚିନ୍ତା କରୁଥିବାବେଳେ ରାଜ୍ୟ ସରକାର କେଉଁ ମନ୍ତ୍ରୀ କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ, ତାହା ଗୃହ ବିଭାଗ ସୂଚନା ଦେଇଛି । ଉକ୍ତ ସୂଚନାନୁଯାୟୀ, ଯଦ୍ୟପି ମୁଖ୍ୟ ଅତିଥି ଅନିବାର୍ଯ୍ୟ କାରଣ ବଶତଃ କୌଣସି ଜାଗାକୁ ନିର୍ଦ୍ଧାରୀତ ସମୟରେ ପହଂଚି ପାରିବେନି, ତେବେ ସେଠିକାର ଜିଲ୍ଲାପାଳ କିମ୍ବା ଅତିରିକ୍ତ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ ବୋଲି ଆଦେଶ ଜାରି କରାଯାଇଛି । ତେବେ ଏ ବର୍ଷ ସ୍ୱାଧିନତା ଦିବସରେ ପଶ୍ଚିମ ଓଡ଼ିଶାର କଳାହାଣ୍ଡିକୁ ଛାଡ଼ି ଦେଲେ ବାକି କୌଣସି ଜିଲ୍ଲାକୁ ମନ୍ତ୍ରୀ ଯିବାର କାର୍ଯ୍ୟକ୍ରମ ନଥିବା ଜଣାପଡ଼ିଛି । କଳାହାଣ୍ଡି ଜିଲ୍ଲା ପାଇଁ ରାଜ୍ୟ ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଯିବାର କାର୍ଯ୍ୟକ୍ରମ ଥିବାବେଳେ ପୁରୀ ପାଇଁ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀ; କଟକ ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ; କନ୍ଧମାଳ ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ; ଗଞ୍ଜାମ ପାଇଁ ରାଜ୍ୟ ଯୋଜନା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା; ମାଲକାନଗିରି ପାଇଁ ପଂଚାୟତିରାଜ, ପାନୀୟ ଜଳ ଓ ଆଇନମନ୍ତ୍ରୀ ଶ୍ରୀ ପ୍ରତାପ ଜେନା; କେନ୍ଦୁଝର ପାଇଁ କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ, ପଶୁ ସମ୍ପଦ ବିକାଶ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁ; ନୟାଗଡ଼ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି; ବାଲେଶ୍ୱର ପାଇଁ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ; ସୁନ୍ଦରଗଡ଼ ପାଇଁ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ; ଗଜପତି ପାଇଁ ଅନୁସୂଚିତ ଜାତି ଓ ଅନୁସୂଚତି ଜନଜାତି ତଥା ସଂଖ୍ୟାଲଘୁ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା; ଖୋର୍ଦ୍ଧା ପାଇଁ ଶକ୍ତି, ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର; ଅନୁଗୁଳ ପାଇଁ ବିଜ୍ଞାନ, ବୈଷୟୀକ ବିଦ୍ୟା ଓ ସାମାଜିକ ନିରାପତ୍ତା ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା; ଯାଜପୁର ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ; ମୟୁରଭଞ୍ଜ ପାଇଁ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ; ରାୟଗଡ଼ା ପାଇଁ ଦକ୍ଷତା ବିକାଶ ଓ କାରିଗରୀ ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ, ନଗରଙ୍ଗପୁର ପାଇଁ ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନାଥ ଦାସ ଓ କୋରାପୁଟ ପାଇଁ ଇଲେକ୍ଟ୍ରନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବ ବ୍ୟାପର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସ୍ତରୀୟ ସ୍ୱାଧିନତା ଦିବସ ପାଳନ କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ବ୍ରହ୍ମପୁର ଓ ରାଉରକେଲାରେ ଉଭୟ ଅଂଚଳର ଆରଡିସିମାନେ ପତାକା ଉତ୍ତୋଳନ କରିବେ ବୋଲି ସୂଚନା ଦିଆଯାଇଛି । ତେବେ ଭଦ୍ରକ, ବରଗଡ଼, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନୂଆପଡ଼ା, ସୁବର୍ଣ୍ଣପୁର, ଢେଙ୍କାନାଳ, ଜଗତସିଂହପୁର, ସମ୍ବଲପୁର ଓ ବଲାଙ୍ଗୀରରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା କାର୍ଯ୍ୟକ୍ରମ ରହିଛି ।
ଏଥର ଅଗଷ୍ଟ ୧୫ ରେ ପଶ୍ଚିମ ଓଡ଼ିଶାର କେବଳ କଳାହାଣ୍ଡି ଜି୍ଲ୍ଲାକୁ ମନ୍ତ୍ରୀ ଆସିବେ !
