(୧୩/୧୦) ରାଜ୍ୟ ହାଇକୋର୍ଟ ଏକ ମାମଲାର ବିଚାର କରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ମାତ୍ର ୧ ସେ.ମି. କମ ଉଚ୍ଚତା ଥିବା ଅଭିଯୋଗରେ ତାଲିମ ସମୟରେ ନିଲମ୍ବିତ ହୋଇଥିବା ଜଣେ କନେଷ୍ଟବଳଙ୍କୁ ୨୫ ବର୍ଷ ପରେ ନିଜ କାର୍ଯ୍ୟରେ ଯୋଗ ଦେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି । ହାଇକୋର୍ଟ ଏହି ଉଚ୍ଚତାକୁ ଆଉ ବିଚାର ନ କରି ତାଙ୍କର ପୂର୍ବ ତାଲିମରେ ଯୋଗ ଦେଇ ପୂର୍ବ ପଦବୀରେ କାର୍ଯ୍ୟ କରିବା ଲାଗି କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଛନ୍ତି । ସୂଚନାନୁସାରେ ଡୋଳାମଣି ବିଶି ୧୯୮୯ ରେ ମାଟ୍ରିକ ପାସ୍ କରିବା ପରେ କର୍ମ ନିୟୋଜନ ସଂସ୍ଥାରେ ୧୯୯୧ ରେ ନିଜ ନାମ ପଞ୍ଜିକରଣ କରିଥିଲେ । ପରେ ସେ କନେଷ୍ଟବଳ-ରାଇଟର୍ ଭାବରେ ମନୋନୀତ ହୋଇ ୧୬ ଅଗଷ୍ଟ ୧୯୯୩ ରେ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହି ମନୋନୟନ କମିଟିରେ ତତ୍କାଳୀନ ବଲାଙ୍ଗୀର ଏସ୍ପି ଅଧ୍ୟକ୍ଷ ଭାବେ ଥିବାବେଳେ ନୟାଗଡ଼ର ପୋଲିସ୍ ଟ୍ରେନିଂ ସ୍କୁଲର ପ୍ରିନସିପାଲ ଓ ବଲାଙ୍ଗୀର ଡିଏସ୍ପି ପ୍ରମୁଖ ତିନି ଜଣ କମିଟିରେ ଥିଲେ । ଡୋଳାମଣିଙ୍କ ଉଚ୍ଚତା ୧୬୮ ସେ.ମି., ଛାତି ୮୧/୯୦ ଓ ଓଜନ ୬୫ କି.ଗ୍ରା ଥିବା ସେତେବେଳେ ରେକର୍ଡ଼ କରାଯାଇଥିଲା । ୧୯୯୪ ରେ ସେ ସୁନ୍ଦରଗଡ଼ ଜିଲ୍ଲା ହାତିବାରୀ ପୋଲିସ ଟ୍ରେନିଂ ସ୍କୁଲକୁ ସେ ତାଲିମ ପାଇଁ ଗଲେ । ତାଲିମ ନେବାର ପାଂଚ ମାସ ପରେ ସେ ୧ ସେ.ମି କମ୍ ଉଚ୍ଚତା ଥିବା ଅଭିଯୋଗ କରି ହଠାତ୍ ତାଙ୍କୁ ଉକ୍ତ ଟ୍ରେନିଂ ସ୍କୁଲରୁ ପଠାଇ ଦିଆଗଲା । ଏହାପରେ ସେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲରେ ଆବେଦନ କଲା ପରେ ଟ୍ରିବ୍ୟନାଲ ତାଙ୍କ ଆବେଦନକୁ ପ୍ରତ୍ୟାଖାନ କରିବା ପରେ ସେ ମାନ୍ୟବର ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥରଲେ । ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍ ଓ ଜଷ୍ଟିସ୍ ବି ଆର୍ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ମାମଲାର ବିଚାର କରି ସଂପୃକ୍ତ ପକ୍ଷଙ୍କ ସପକ୍ଷରେ ରାୟ ଦେଇ ସରକାରଙ୍କୁ ତାଙ୍କ କାର୍ଯ୍ୟରେ ପୁନଃଅବସ୍ଥାପିତ କରିବାକୁ ଆଦେଶ ଦେବା ସହ ତାଙ୍କର ବାକି ଥିବା ତାଲିମ କାର୍ଯ୍ୟ କରି ପୂର୍ବ ପରି କାର୍ଯ୍ୟ କରିବାକୁ ଆଦେଶରେ ଦର୍ଶାଇଛନ୍ତି ।
ମାତ୍ର ୧ ସେଣ୍ଟମିଟର ପାଇଁ ନିଲମ୍ବିତ ହୋଇଥିବା କନେଷ୍ଟବଳ ହାଇକୋର୍ଟଙ୍କ ଆଦେଶ ବଳରେ ୨୫ ବର୍ଷ ପରେ ଚାକିରୀ ଫେରି ପାଇଲେ !
