(୦୫/୧୧) ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରକ୍ତ ଭଣ୍ଡାରରେ ଦାତବ୍ୟ ରକ୍ତ ବିକ୍ରି ହେଉଥିବା ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା । ତଦନ୍ତ ପରେ ଏଠାରେ କାର୍ଯ୍ୟରତ ଟେକ୍ନିସିଆନ ନରେଶ ଚନ୍ଦ୍ର ମିଶ୍ରଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା । ତେବେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କେବଳ ଥାନାରେ ଏକ ରିପୋର୍ଟ ଦେଇ ଚୁପ୍ ହୋଇ ବସିଥିବା ଦେଖିବାକୁ ମିଳିଛି । ନିଜ ବିଭାଗର ଦୁର୍ବଳତା ତଥା ଶ୍ରୀ ମିଶ୍ରଙ୍କ କାରନାମାକୁ ଲୁଚାଇବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ଏଣେ ଦାତବ୍ୟ ରକ୍ତ ବିକ୍ରି ଘଟଣା ସମ୍ପର୍କରେ ରାଜ୍ୟ ରକ୍ତ ଟ୍ରାନ୍ସଫ୍ୟୁଜନ ପରିଷଦ ସଂପୃକ୍ତ ସିଡିଏମ୍ଓଙ୍କୁ ପତ୍ରସଂଖ୍ୟା ୧୧୫୦/୦୩/୧୧/୨୦୨୦ ମାଧ୍ୟମରେ ତାଙ୍କଠୁ ରିପୋର୍ଟ ତଲବ୍ କରିଛନ୍ତି । ତେବେ ଏବେ ରାଜ୍ୟ ପରିଷଦର ଏ ଚିଠି ପାଇବା ପରେ ସ୍ଥାନୀୟ ସିଡିଏମ୍ଓ ଏହାର ଉତ୍ତର ଦେବାକୁ ବାଧ୍ୟ ହୋଇଛନ୍ତି । ଘଟଣାକୁ ଚପାଇ ଦେବା ଉଦ୍ଦେଶ୍ୟରେ ଶ୍ରୀ ମିଶ୍ରଙ୍କ ନାମରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନଥିବାବେଳେ ଥାନାରେ ଏତଲା ହେବା ପରେ ସେ ଛୁଟିରେ ଥିବାରୁ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପକୁ ଲୋକେ ନାପସନ୍ଦ କରିଛନ୍ତି ।
ଦାତବ୍ୟ ରକ୍ତ ବିକ୍ରି ଘଟଣାରେ ହସ୍ତକ୍ଷେପ କରି ବଲାଙ୍ଗୀର ସିଡିଏମ୍ଓଙ୍କଠୁ ରିପୋର୍ଟ ତଲବ୍ କଲେ ରାଜ୍ୟ ପରିଷଦ !
