(୧୦/୮) ଦଳିତ ଖ୍ରୀଷ୍ଟିୟାନ ଓ ମୁସଲିମଙ୍କୁ ଅନୁସୂଚିତ ଜାତିରେ ସାମିଲ କରିବାକୁୁ ସୁପ୍ରିମକୋର୍ଟରେ ଏକ ମାମଲା ରହିଛି । ତେବେ ଏହି ସଂଖ୍ୟାଲଘୁ ବର୍ଗର ଲୋକଙ୍କ ପ୍ରତି ସାମ୍ବିଧାନିକ ମୌଳିକ ଅଧିକାରରୁ ବଂଚିତ କରିଥିବାରୁ ‘ନେସନାଲ୍ କାଉନସିଲ୍ ଅଫ୍ ଚର୍ଚ୍ଚେସ୍’ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି । ସେଥିରେ ଉଲ୍ଲେଖ କରାଯାଇଛି ଯେ, ଭାରତ ଯେତେବେଳେ ସ୍ୱାଧିନତା ପାଇଲା ସେତେବେଳେ ସମସ୍ତ ନାଗରୀକ ନ୍ୟାୟ, ସମାନତା, ସ୍ୱାଧିନତା ଓ ସମ୍ମାନ ପାଇବେ ବୋଲି ନିଶ୍ଚିତ ହେଲା । ଶତାଦ୍ଦୀ ଶତାଦ୍ଦୀ ଧରି ସାମାଜିକ ବର୍ଣ୍ଣବୈଶମ୍ୟର ଶୀକାର ହୋଇଥିବା ଲୋକଙ୍କୁ ଅନୁସୂଚିତ ଜାତି ଭାବରେ ମାନ୍ୟତା ଦେବା ସହ ସେମାନଙ୍କୁ ବିଶେଷ ସୁରକ୍ଷା ପ୍ରଦାନ କରାଗଲା । ହେଲେ ଏଥିରେ ଦଳିତ ଖ୍ରୀଷ୍ଟିୟାନ ଓ ମୁସଲିମଙ୍କୁ ବାଦ୍ ଦିଆଗଲା । ଦୁର୍ଭାଗ୍ୟକୁ ରାଷ୍ଟ୍ରପତିଙ୍କ ଏକ ବିଶେଷ ଆଦେଶ(୧୯୫୦) ବଳରେ ଧର୍ମାନ୍ତରୀତ ହୋଇଥିବା ସମସ୍ତ ଦଳିତ ଖ୍ରୀଷ୍ଟିୟାନ ଓ ମୁସଲିମଙ୍କୁ ଏହି ସାମ୍ବିଧାନିକ ଅଧିକାରରୁ ବଂଚିତ କରାଗଲା । ଏହି ସମାନ ସୁବିଧା ୧୯୫୬ ମସିହାରେ ଶିଖ୍ ସମ୍ପ୍ରଦାୟ ଓ ୧୯୯୦ ମସିହାରେ ବୋଦ୍ଧ ଧର୍ମ ବିଶ୍ୱାସୀଙ୍କୁ ମିଳିଲା । ଅଥଚ ଦଳିତ ଖ୍ରୀଷ୍ଟିୟାନ ଓ ମୁସଲିମ ଏଥିରୁ ବାହାରେ ରଖାଗଲା । ଏହି କାଉନସିଲ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଦେଶର ୭୦% ଖ୍ରୀଷ୍ଟିୟାନ ଲୋକ ଏହି ଦଳିତ ସମ୍ପ୍ରଦାୟରୁ ଆସିଛନ୍ତି । ଦଶନ୍ଧି ଦଶନ୍ଧି ଧରି ଯେତେବେଳେ ସେମାନଙ୍କୁ ନ୍ୟାୟ ମିଳିଲାନି, ସେତେବେଳେ ବାଧ୍ୟ ହୋଇ ରାଷ୍ଟ୍ରପତିଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ୍ (୧୮୦/୨୦୦୪) ଦାଖଲ କରାଗଲା । କିନ୍ତୁ ଏଯାଏଁ ସେମାନଙ୍କୁ ନ୍ୟାୟ ମିଳି ନ ଥିବାରୁ ସରକାର ଏହାକୁ ବିଚାର କରିବାକୁ ଏହି ବିବୃତିରେ ଦାବୀ କରାଯାଇଛି ।
ଦଳିତ ଖ୍ରୀଷ୍ଟିୟାନ ଓ ମୁସଲିମଙ୍କୁ ଅନୁସୂଚିତ ବର୍ଗର ମାନ୍ୟତା ଦେବାକୁ ଦାବୀ
