Skip to content
(୨୫/୧୧) ଅନୁସୂଚିତ ଜାତି ଓ ଜନଜାତି ପକ୍ଷରୁ ଆଗାମୀ କାଲି ୨୬ ତାରିଖ ଦିନ ‘ସମ୍ବିଧାନ ବଂଚାଅ’ ପ୍ରତିବାଦ କରାଯିବ ବୋଲି ଡକ୍ଟର ଉଦିତ୍ ରାଜଙ୍କ ସଂଗଠନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ରାଣୀ ଝାଂସୀ ରୋଡ଼ରେ ଥିବା ଆମ୍ବେଦକର ଭବନରୁ ଏହା ଆରମ୍ଭ ହୋଇ ଯନ୍ତରମନ୍ତର ପର୍ଯ୍ୟନ୍ତ ଲୋକେ ପ୍ରତିବାଦର ରାଲୀରେ ଯିବେ ଓ ସେଠାରେ ଏକ ସଭା ହେବ ବୋଲି ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ଦେଇ ଡକ୍ଟର ଉଦିତ୍ ରାଜ କହିଛନ୍ତି ଯେ, ୨୬ ନଭେମ୍ବର ୧୯୪୯ ରେ ଡକ୍ଟର ଭିମରାଓ ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନ ଦେଶରେ ଲାଗୁ କରାଯାଇଥିଲା, ହେଲେ ଏହା ବର୍ତ୍ତମାନ ବିପଦରେ ରହିଛି । ଦୁଃଖର କଥା ଯେ, ଯେଉଁ ସଂଗଠନର ଲୋକେ ଏହି ସମ୍ବିଧାନକୁ ବଂଚାଇବା କଥା ସେମାନେ ନିଜେ ଏହି ସମ୍ବିଧାନକୁ ଉଚ୍ଛେଦ କରିବାରେ ବ୍ୟସ୍ତ ରହୁଛନ୍ତି । ଏପରି ସମୟରେ ସମ୍ବିଧାନକୁ ବଂଚାଇବାକୁ ଲୋକେ ରାଜରାସ୍ତାକୁ ଓହ୍ଲାଇବା ନିହାତି ଆବଶ୍ୟକ । ସେଥିପାଇଁ ଏହାର ବିରୁଦ୍ଧରେ ପ୍ରଦର୍ଶନ କରିବାକୁ ଏହି ଦିନଟିକୁ ସେମାନେ ବାଛିଛନ୍ତି ବୋଲି ଡକ୍ଟର ରାଜ୍ ପ୍ରକାଶ କରିଛନ୍ତି । ଏହି ଦିନ ଦିଲ୍ଲୀ ସମେତ ଲକ୍ଷଲକ୍ଷ ଲୋକ ଦେଶସାରା ସମ୍ବିଧାନର ନମୁନାକୁ ଧରି ପ୍ରଦର୍ଶନ କରିବେ । ଡକ୍ଟର ଉଦିତ୍ ରାଜଙ୍କ କହିବାନୁଯାୟୀ, ବର୍ତ୍ତମାନର ସରକାର ସମସ୍ତ ସରକାରୀ ପ୍ରତିଷ୍ଠାନକୁ ଘରୋଇକରଣ କରି ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି । ଭେଲ୍ ହେଉ, କି ସେଲ୍, କି ଗେଲ ହେଉ, କି ବଏସଏନଏଲ୍, ସମସ୍ତ ସରକାରୀ ସଂସ୍ଥା ଗୁଡ଼ିକୁ ସରକାର ବିକ୍ରି କରିବାକୁ ଯୋଜନା କରୁଛନ୍ତି । ଏସବୁ ସଂସ୍ଥା ଗୁଡ଼ିକୁ ଜନସାଧାରଣଙ୍କ ଝାଳ ବୁହା ପଇସାରେ ପ୍ରତିଷ୍ଠା କରାଯାଇଥିବାବେଳେ ସରକାର ନିଜ ବନ୍ଧୁମାନଙ୍କୁ ଲାଭ ପହଂଚାଇବା ଉଦ୍ଦେଶ୍ୟରେ ଯେପରି ଭାବେ ସେମାନଙ୍କୁ ଉପହାର ଭାବରେ ଦେଉଛନ୍ତି, ତାହା ଦେଶର ନାଗରିକମାନଙ୍କ ପ୍ରତି କୁଠାରାଘାତ ହୋଇଛି । ଡକ୍ଟର ଉଦିତ ରାଜ୍ ଇଭିଏମ୍ ମେସିନର ବ୍ୟବହାର ବିରୁଦ୍ଧରେ ପ୍ରଶ୍ନ କରି କହିଛନ୍ତି ଯେ, କୋଟିକୋଟି କିଲୋମିଟର ଦୂରରେ ଥିବା ଉପଗ୍ରହମାନଙ୍କୁ ଯଦି ପୃଥିବୀରେ ଥାଇ ଯଦି ଲୋକେ ନିୟନ୍ତ୍ରଣ କରି ପାରୁଛନ୍ତି, ତେବେ ଇଭିଏମ୍ରେ କିଛି ବ୍ୟତିକ୍ରମ କରିବା କଣ ଅସମ୍ଭବ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟ ପ୍ରକାରେ ଆମେରିକା ଓ ଜାପାନ ଭଳି ବିକଶିତ ଦେଶରେ ବର୍ତ୍ତମାନ ମଧ୍ୟ ବେଲଟ ପେପରରେ ନିର୍ବାଚନ କରାଯାଉଥିବାବେଳେ ଭାରତରେ କାହିିଁକି ତାହା ହେବ ନାହିଁ ବୋଲି କହିଛନ୍ତି ।
Advertisement